ପୁରୀ: ‘ଗାଁରେ ବସିବ ପଲ୍ଲୀସଭା। ଗ୍ରାମବାସୀଙ୍କ ସହମତିରେ ପଲ୍ଲୀସଭାରେ ଅନୁମୋଦନ ହେବ ଉନ୍ନୟନମୂଳକ ପ୍ରକଳ୍ପ। ଗାଁର ଉନ୍ନତି ଦାୟିତ୍ବ ଗ୍ରାମବାସୀ ନେବେ। ସରକାର ବିଶ୍ବାସ ଓ ଭରସାର ସେତୁବନ୍ଧ ହୋଇ ହୋଇ ଗ୍ରାମବାସୀଙ୍କ ସହ ଛିଡ଼ାହେବେ। ୧୦ ହଜାର କୋଟି ଟଙ୍କା ବିନିମୟରେ ଏଭଳି ଢଙ୍ଗରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ରୂପାୟନ ହେବ। ୨୦୨୬ ମସିହା ସୁଦ୍ଧା ପ୍ରତି ଗାଁକୁ ପାନୀୟ ଜଳ, ସବୁ ଗାଁକୁ ରାସ୍ତା ଏବଂ ବାସହୀନଙ୍କ ମୁଣ୍ଡ ଉପରକୁ ଛାତ ଯୋଗାଇ ଦିଆଯିବ।’

Advertisment

ପୁରୀ ତାଳବଣିଆ ପଡ଼ିଆରେ ଅନୁଷ୍ଠିତ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏମିତି ଦୃଢ଼ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ଆମ ଶାସନ ବ୍ୟବସ୍ଥାର ମୂଳକେନ୍ଦ୍ର ପଞ୍ଚାୟତିରାଜ ବ୍ୟବସ୍ଥା। ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗ୍ରାମରେ ବାସ କରନ୍ତି। ଯେତେ ଦିନ ପର୍ଯ୍ୟନ୍ତ ଗାଁର ବିକାଶ ହୋଇନାହିଁ ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ହୋଇପାରିବ ନାହିଁ। ଗାଁର ବିକାଶ ହିଁ ଉତ୍ତମ ପ୍ରାଶାସନିକ ମନ୍ତ୍ର ବୋଲି ଶ୍ରୀ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଗତ ଅଢ଼େଇ ଦଶନ୍ଧି ଧରି ପଲ୍ଲୀସଭାକୁ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ କରି ଦିଆଯାଇଥିଲା। ଜଳ, ଜମି, ଜଙ୍ଗଲକୁ ବ୍ୟବସାୟୀଙ୍କ ହାତରେ ଟେକି ଦିଆଯାଇଥିଲା। ସେଥିପାଇଁ ଗ୍ରାମୀଣ ବିକାଶଧାରା ଅଧାରେ ଅଟକିଯାଇଛି। ପଲ୍ଲୀସଭା ବଦଳରେ ସବୁକିଛି କେବଳ ପଞ୍ଚାୟତ ଖାତାରେ ଲିପିବଦ୍ଧ କରାଯାଉଥିଲା। ସେ ସମୟ ସରିଯାଇଛି। ଏବେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଗାଁରେ ରାସ୍ତା, ପାଣି, ସାଧନ କେନ୍ଦ୍ର, କମ୍ୟୁନିଟି ସେଣ୍ଟରଠାରୁ ନେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ। ଅତୀତରେ ଇନ୍ଦିରା ଆବାସ ବଣ୍ଟନ ଦଳୀୟ ଭିତ୍ତିରେ କରାଯାଉଥିଲା। ଆମ ସରକାର ନୂଆ ସର୍ଭେ ପରେ ୧୫ ଲକ୍ଷରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ୫ ଲକ୍ଷ ଭିନ୍ନକ୍ଷମ, ରୋଗୀ, ଅନାଥ, ନିରାଶ୍ରୟ ଓ ବିଧବା ମହିଳାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇ ତୁରନ୍ତ ଘର ଯୋଗାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୭୫୫୦ କୋଟି ଟଙ୍କା ବ୍ୟୟ ହେବ। ଚଳିତ ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍‌ରେ ଏଥିଲାଗି ୨୬ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପଲିଥିନ୍‌ ତଳେ, ଗଛ ମୂଳେ ଓ ବାରଣ୍ଡାରେ ଶୋଉଥିବା ଲୋକଙ୍କୁ ଖୋଜିଖୋଜି ଏହି ବ୍ୟବସ୍ଥାରେ ସାମିଲ କରାଯିବ। 

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୩ ଲକ୍ଷରୁ ଊର୍ଦ୍ଧ୍ବ ଘର ଦିଆସରିଛି। ଆଉ ୪ ଲକ୍ଷ ଘର ନିର୍ମାଣାଧୀନ ରହିଛି। ଏହାବ୍ୟତୀତ ଆଉ ୨୬ ଲକ୍ଷ ଲୋକ ସର୍ଭେ ମାଧ୍ୟମରେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ ହୋଇଛନ୍ତି। ସେହିଭଳି ୬ ଲକ୍ଷ ଲୋକଙ୍କୁ ଇ-କେୱାସି ମାଧ୍ୟମରେ ରାସନ୍‌ କାର୍ଡ ଦିଆଯିବ। ୩୧୪ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ସହ ଗାଁରୁ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା ପାଇଁ ୪୨୧୪ କୋଟି ଟଙ୍କା ଖର୍ଚ୍ଚ ହେବ। ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ୧୮ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ଗ୍ରାମ ସହଭାଗିତାରେ ଏଣିକି ଉନ୍ନତୀକରଣ କାର୍ଯ୍ୟ ନିରନ୍ତର ଜାରି ରହିବ। ପହଲଗାମରେ ବର୍ବର ଆତଙ୍କବାଦୀଙ୍କ ଆକ୍ରମଣରେ ନିହତଙ୍କ ବିୟୋଗରେ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ, ଏହି ଜଘନ୍ୟ ହତ୍ୟାକାଣ୍ଡର ଉପଯୁକ୍ତ ଉତ୍ତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦିଆଯିବ। ଏ ଦେଶ ଓ ଜାତିର ଜାତକରେ ହାରିବା ଲେଖା ହୋଇନାହିଁ। ଗୋଟିଏ ହାତରେ ଶାସ୍ତ୍ର, ଅନ୍ୟ ହାତରେ ଶସ୍ତ୍ର ଧରି କଠୋର ଜବାବ ଦେବାକୁ ଏ ଜାତି ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ଗ୍ରାମୀଣ ବିକାଶରେ ଦେଶର ବିକାଶ ସମ୍ଭବ। ଗାଁର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଉନ୍ନତି ପାଇଁ ସମସ୍ତଙ୍କ ସହଭାଗିତା ଲୋଡ଼ା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଗାଁ ବଦଳିଲେ ମା’ର ସ୍ଥିତି ବଦଳିବ। ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶାର ବାର୍ତ୍ତାବହ ହେବାକୁ ପଡ଼ିବ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଥିଲେ, ଗାଁରେ ଆତ୍ମା ଅଛି। ଗାଁକୁ ବିକଶିତ ଓ ସରସ ସୁନ୍ଦର କରିବା ପାଇଁ ସଂକଳ୍ପ ନିଆଯାଇଛି। ଗାଁରେ ରାସ୍ତା, ପାଣି, ନଦୀବନ୍ଧ, ସ୍କୁଲ ଘର ସମେତ ବିକଶିତ ଗାଁ ଗଢ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି। 

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ୬ ଲକ୍ଷ ପରିବାରଙ୍କୁ ରାସନ୍‌ କାର୍ଡ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ରାସନ୍‌ କାର୍ଡ ଇ-କେୱାଇସି ପରେ ବହୁ ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ୫ଲକ୍ଷ ମୃତ ବ୍ୟକ୍ତିଙ୍କ ନାମରେ କାର୍ଡ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ବାଦ୍‌ ଦିଆଯାଇଛି। ଏହାବ୍ୟତୀତ ୧ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍‌ ଦିଆଯାଇଛି। ବଞ୍ଚିତ ହୋଇଥିବା ପ୍ରକୃତ ହିତାଧିକାରୀ କାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରତି ବ୍ଲକ୍‌ରେ ୨-୩ ମାସ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ, ଗାଁରୁ କ୍ରୀଡ଼ା ପ୍ରତିଭା ସୃଷ୍ଟି ପାଇଁ ଭିତ୍ତିଭୂମି ପ୍ରତିଷ୍ଠା ହେବ। ପ୍ରତି ବ୍ଲକ୍‌ରେ ଷ୍ଟାଡିୟମ, ଇନ୍‌ଡୋର ଗେମ୍ ବ୍ୟବସ୍ଥା ସହ ପଞ୍ଚାୟତରେ ମିନି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ। ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ପ୍ରମୁଖ ସଚିବ ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।

ଇ-ପଞ୍ଚାୟତ ସେବାର ଶୁଭାରମ୍ଭ ୬୧୩ ପଞ୍ଚାୟତକୁ ୩୨ କୋଟିର ପ୍ରୋତ୍ସାହନ ରାଶି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ଇ-ପଞ୍ଚାୟତ ସେବା’ର ଶୁଭାରମ୍ଭ ହୋଇଛି। ‘ପଞ୍ଚାୟତିରାଜ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (ପିପିଏମ୍‌ଏସ୍‌)ର ମଧ୍ୟ ଲୋକାର୍ପଣ ହୋଇଛି। ଏହା ମାଧ୍ୟମରେ ଅନ୍‌ଲାଇନ୍‌ରେ ବିଲ୍‌ ପ୍ରସ୍ତୁତି, ଯାଞ୍ଚ ଅନୁମୋଦନ, ସମ୍ପତ୍ତି ପଞ୍ଜୀକରଣ, ଅପ୍‌ଡେଟେସନ୍‌ ସ୍ବଚ୍ଛତାର ସହ କରାଯାଇପାରିବ। ଏଥିସହ ‘ପଞ୍ଚାୟତ ମନିଟରିଂ ସିଷ୍ଟମ’ର ଶୁଭାରମ୍ଭ ହୋଇଛି। ଏହା ଜରିଆରେ ରାଜ୍ୟର ୧ ଲକ୍ଷ ୬ ହଜାରରୁ ଅଧିକ ତ୍ରିସ୍ତରୀୟ ନିର୍ବାଚିତ ପଞ୍ଚାୟତ ଜନପ୍ରତିନିଧି ଏବଂ ୬୦ ହଜାରରୁ ଅଧିକ କର୍ମଚାରୀଙ୍କୁ ନୂଆ ପରିଚୟ ପ୍ରଦାନ କରାଯିବ। ଗ୍ରାମପଞ୍ଚାୟତ ସ୍ତରରେ ସ୍ବଚ୍ଛ ଲୋକାଭିମୁଖୀ ଶାସନ ପ୍ରଦାନ କରିବା ପାଇଁ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗଙ୍କ ଅନୁଦାନରେ ୬୧୩ଟି ଗ୍ରାମ ପଞ୍ଚାୟତର ନିଜସ୍ବ ଆୟବୃଦ୍ଧି, ଅର୍ଥ ବିନିଯୋଗ, ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ଉତ୍ତମ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର ପ୍ରୟାସ ଓ କାର୍ଯ୍ୟଦକ୍ଷତାରେ ଶ୍ରେଷ୍ଠତ୍ବ ପାଇଁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ୪୧୨୪ କୋଟିରେ ୩୧୪ ବ୍ଲକ୍‌ରେ କ୍ରୀଡ଼ା ଷ୍ଟାଡିୟମ୍‌
ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ୩୧୪ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କ୍ରୀଡ଼ା ବିଭାଗ ପକ୍ଷରୁ ୪୧୨୪ କୋଟି ଟଙ୍କାରେ ଷ୍ଟାଡିୟମ ନିର୍ମିତ ହେବ। ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ୍‌ ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯିବ। ୧୪-୧୫ ଏକର ଜାଗାରେ ଷ୍ଟାଡିୟମ୍‌ର ଉନ୍ନତୀକରଣ ହେବ। ଖୋଖୋ, କବାଡ଼ି, କ୍ରିକେଟ, ଫୁଟବଲ, ବ୍ୟାଡ୍‌ମିଣ୍ଟନ, ଟେବୁଲ ଟେନିସ୍‌ ସହ ଇନ୍‌ଡୋର ଗେମ୍‌ ଖେଳିବା ପାଇଁ ବ୍ୟବସ୍ଥା କରାଯିବ। ଗ୍ରାମାଞ୍ଚଳର ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଏଁ ମିନି ଷ୍ଟାଡିୟମ ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି। 

ସୌର ବିଦ୍ୟୁତ୍‌ ପାଇଁ ଦିଆଯିବ ୧.୩୮ଲକ୍ଷ ଟଙ୍କା ରିହାତି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ସମଗ୍ର ରାଜ୍ୟରେ ୧୮ ଶହ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଏଥିରେ ୩ ଲକ୍ଷ ଉପଭୋକ୍ତାଙ୍କୁ ୨୦୨୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସୌରଶକ୍ତି ଜରିଆରେ ବିଜୁଳି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ୩ କିଲୋୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ୧ ଲକ୍ଷ ୩୮ ହଜାର ଟଙ୍କାର ରିହାତି ଦେବାର ବ୍ୟବସ୍ଥା ରହିଛି। ଏହାଦ୍ବାରା ଲୋକେ ବିନା ମୂଲ୍ୟରେ ବିଜୁଳି ପାଇବେ। ବିଜୁଳି ଶକ୍ତି ବଳକା ରହିଲେ ଏହାକୁ ବିକ୍ରି ମଧ୍ୟ କରିପାରିବେ। ଲକ୍ଷପତି ଦିଦିରେ ଓଡ଼ିଶା ଦେଶରେ ୧ ନମ୍ବର ଲକ୍ଷପତି ଦିଦି ତିଆରି କରିବାରେ ‘ସୁଭଦ୍ରା’ ଯୋଜନା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ସେପ୍ଟେମ୍ବର ୧୭ ତାରିଖରେ ‘ସୁଭଦ୍ରା’ ଯୋଜନା ଆରମ୍ଭ ହେଲା। ୬ ମାସ ଭିତରେ ଏହି ଯୋଜନାରେ ଦୁଇଟି କିସ୍ତିରେ ୧୦ ହଜାର ଲେଖାଏଁ ଦିଆଯାଇଥିଲା। ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି। ଭାରତ ବର୍ଷରେ ଓଡ଼ିଶାର ସୁଭଦ୍ରା ଭଉଣୀମାନେ ଦେଶରେ ନମ୍ବର ୱାନ୍‌ ଲକ୍ଷପତି ଦିଦି ହୋଇପାରିଛନ୍ତି। ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ମହିଳାମାନଙ୍କୁ ଅର୍ଥ ଦିଆଗଲା। କିନ୍ତୁ ୫ ହଜାର ଟଙ୍କା ଲେଖାଏଁ ଦିଆଯାଉଥିବାରୁ ସମାଲୋଚନା ହୋଇଥିଲା। ମାତ୍ର ମହିଳାମାନେ ଏହାକୁ ଭୁଲ୍‌ ପ୍ରମାଣିତ କରିଦେଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।