ରେଳ ବଜେଟ୍‌ରେ ହାତ ଖୋଲିଦେଲେ, ଓଡ଼ିଶାକୁ ୧୦ ହଜାର କୋଟି

ଭୁବନେଶ୍ବର : ୨୦୨୪ରେ ସାଧାରଣ ନିର୍ବାଚନ। ତା’ ପୂର୍ବରୁ କେନ୍ଦ୍ର ସରକାର ରେଳ କ୍ଷେତ୍ରରେ ଓଡ଼ିଶାକୁ ଅର୍ଥ ଅଜାଡ଼ି ଦେଇଛନ୍ତି। ରାଜ୍ୟ ସରକାର ମାଗିଥିବା ଅର୍ଥଠାରୁ ଢେର ଅଧିକ ଦେଇ ପାଟି ଚୁପ୍‌ କରିବାକୁ ଉଦ୍ୟମ କରିଛନ୍ତି। ବଜେଟ୍ ଆସିବାର ଠିକ୍‌ ପୂର୍ବରୁ ରାଜ୍ୟ ସରକାର ଚିଠି ଲେଖି ରେଳ ଭିତ୍ତିଭୂମି ବିକାଶ ଲାଗି ୮ ହଜାର ୪୦୦ କୋଟି ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ମାତ୍ର କେନ୍ଦ୍ର ସରକାର ଆଶାଠାରୁ ଅଧିକ ପ୍ରଦାନ କରିଛନ୍ତି। ୨୦୨୩-୨୪ ‌ରେଳ ବଜେଟ୍‌ରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି, ଯାହାକି ଏକ ରେକର୍ଡ। ପୂର୍ବରୁ କୌଣସି ବି କେନ୍ଦ୍ର ସରକାର ସମୟରେ ଓଡ଼ିଶାକୁ ଏତେ ଟଙ୍କା ମିଳି ନ ଥିଲା। ଏମିତିକି ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହଜାର କୋଟି ଟଙ୍କାର ଅନୁଦାନ ମିଳିବା କଷ୍ଟକର ହୋଇପଡ଼ୁଥିଲା।

ଚଳିତ ରେଳ ବଜେଟ୍‌ରେ ପୂର୍ବତଟ ରେଳପଥରେ ନୂଆ ଲାଇନ୍ ପାଇଁ ୧୯୮୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ଦୋହରୀକରଣ ପାଇଁ ୩୬୯୯କୋଟି ୬୬ ଲକ୍ଷ ଟଙ୍କା ଦିଆଯାଇଛି। ସେହିପରି ଟ୍ରାଫିକ୍ ପାଇଁ ୧୪୭ କୋଟି ୩୮ଲକ୍ଷ, ଲେବଲ୍ କ୍ରସିଂ ପାଇଁ ୩୨କୋଟି ୧୯ଲକ୍ଷ, ଟ୍ରାକ୍ ନବୀକରଣ ପାଇଁ ୧୦୫୦ କୋଟି, ଓଭରବ୍ରିଜ ଓ ଅଣ୍ଡରପାସ ପାଇଁ ୪୫୪ କୋଟି ୬୮ଲକ୍ଷ, ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟ ପାଇଁ ୫୪୮ କୋଟି ୩୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ରାଜ୍ୟ ମାଗିଥିଲା ୮,୪୦୦ କୋଟି
ଜନଜାତି ଗୌରବ ଓ ଏନର୍ଜି କରିଡରରେ ଓଡ଼ିଶା ସାମିଲ
ପୂର୍ବତଟ ରେଳପଥକୁ ୧୧ ହଜାର ୩୦୦ କୋଟି
ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପକୁ ୧୬୦୦ କୋଟି
୫୭ ରେଳ ଷ୍ଟେସନର ହେବ ଆଧୁନିକୀକରଣ

NewsBytes

୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ୫୫୨୮ କୋଟି ଟଙ୍କାର ଅନୁଦାନ ଦିଆଯାଇଥିଲା। ୨୦୨୨-୨୩ରେ ତାହା ୯୭୩୪ କୋଟିକୁ ବୃଦ୍ଧି ପାଇଥିଲା। ୨୦୦୯ରୁ ୨୦୧୪ ଏବଂ ୨୦୧୪ରୁ ୨୦୨୩କୁ ବିଚାରକୁ ନେଲେ ରେଳ ବଜେଟ ଅନୁଦାନ କ୍ଷେତ୍ରରେ ବହୁ ପରିମାଣ ବୃଦ୍ଧି ଘଟିଛି। କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ସମୟରେ ରେଳବାଇରେ ବାର୍ଷିକ ହାରାହାରି ୮୩୮କୋଟି ଟଙ୍କା ମିଳୁଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୧୦, ୦୧୨ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଯାହାକି ୨୦୦୯-୧୪ ତୁଳନାରେ ୧୨ଗୁଣ ଅଧିକ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ ଲାଗି ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୧ କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଏଥର ତାହା ପାଖାପାଖି ଦୁଇଗୁଣ ବଢ଼ିଛି। ଅର୍ଥାତ୍‌ ଚଳିତ ବଜେଟ୍‌ରେ ଏହି ପ୍ରକଳ୍ପ ଲାଗି ରେକର୍ଡ ପରିମାଣ ୧୫୯୯.୫୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସେହିପରି ଅନୁଗୁଳ-ସୁକିନ୍ଦା ୯୮.୭କିମି ଲାଗି ୨୦୦ କୋଟି, ତାଳଚେର-ବିମଳାଗଡ଼ ରେଳ ଲାଇନ୍‌ର ୧୫୪କିମି ପାଇଁ ୩୦୦ କୋଟି, ଜୟପୁର-ମାଲକାନଗିରି ରେଳ ଲାଇନ୍‌ର ୧୩୦ କିମି ପାଇଁ ୧୧୫ କୋଟି, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ(୩୮କିମି) ଲାଗି ୧୦୦ କୋଟିର ବ୍ୟୟବରାଦ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଉପସ୍ଥାପନ କରିଥିବ‌ା ବଜେଟରେ ଜନଜାତି ଗୌରବ କରିଡର, ଏନର୍ଜିଂ କରିଡର ଭଳି ବିଭିନ୍ନ କରିଡର ଲାଗି ଅଲଗା ଅଲଗା ପ୍ରକଳ୍ପ କରିବାକୁ ଘୋଷଣା କରିଛନ୍ତି। ଯେଉଁଥିରେ ଓଡ଼ିଶା ବେଶ୍‌ ଉପକୃତ ହେବ। ଅନେକ ଉପାନ୍ତ ଓ ଶିଳ୍ପ ସମ୍ପୃଦ୍ଧ ଅଞ୍ଚଳରେ ରେଳ ଲାଇନ୍‌ ପହଞ୍ଚିବ ବୋଲି କୁହାଯାଇଛି। ଜନଜାତି ଗୌରବ କରିଡର ଓ ଏନର୍ଜିଂ କରିଡର ଅଧୀନରେ ଓଡ଼ିଶାରେ ୨୮୪ କୋଟି ଲେଖାଏ ଖର୍ଚ୍ଚ କରାଯିବ। ଉପକୂଳ ବନ୍ଦରଗୁଡ଼ିକୁ ସଂଯୋଗ ଲାଗି ୫୭କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଦୋହରୀକରଣ ପ୍ରକଳ୍ପଗୁଡ଼ିକ ଲାଗି ମଧ୍ୟ ୩ହଜାର କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି। ଯେଉଁଥିରେ ଖୋର୍ଦ୍ଧାରୋଡ-ବାରଙ୍ଗ, ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗଡ଼, ବାଙ୍ଗୀରିପୋଷି-ଦୈତାରୀ-ଟମକା-ଯଖପୁରା, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍, ବିଜୟନଗରମ୍-ସମ୍ବଲପୁର ତୃତୀୟ ଲାଇନ୍, ଜରପଡ଼ା-ବୁଢ଼ାପଙ୍କ ୩ୟ ଓ ୪ର୍ଥ ଲାଇନ୍‌, ବୁଢ଼ାପଙ୍କ-ସାଲେଗାଁଓ ୩ୟ ଓ ୪ର୍ଥ ଲାଇନ୍‌, ଝାରସୁଗୁଡ଼ା-ବିଳାସପୁର ୪ର୍ଥ ଲାଇନ୍‌, କୋରାପୁଟ-ସିଙ୍ଗାପୁର ରୋଡ୍‌, ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ୍‌, କୋଟ୍ଟାଭାଲସା-କୋରାପୁଟ, ବୋଣ୍ଡମୁଣ୍ଡା-ରାଞ୍ଚି, ଜଗଦଲପୁର-କୋରାପୁଟ, ରାଉରକେଲା-ଝାରସୁଗୁଡ଼ା ୩ୟ ଲାଇନ୍‌ ଆଦି ରହିଛି।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରେଳ ବଜେଟ୍‌ରେ ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ତା’ଠାରୁ ଅଧିକ ଅର୍ଥ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟର ବିକାଶ ପାଇଁ ଯେଉଁ ଭାବନା ରହିଛି ତାହା ଚଳିତ ବଜେଟ‌ରେ ପ୍ରତିଫଳିତ ହୋଇଛି। ଗତ ବଜେଟରେ ୧୦ ହଜାରରୁ ଟିକେ କମ୍ ରହିଥିଲା। ଓଡ଼ିଶାରେ ରେଳର ପ୍ରଗତି ଭଲ ହୋଇଛି। ୨୦୦୯ରୁ ୨୦୧୪ ଭିତରେ ଓଡ଼ିଶାରେ ବ‌ର୍ଷକୁ ମାତ୍ର ୨୦ରୁ ୨୫କିମି ରେଳପଥ ନିର୍ମାଣ ହେଉଥିଲା। ତେବେ ୨୦୨୨-୨୩ରେ ୨୮୦ କିମି ନୂତନ ରେଳପଥ ନିର୍ମାଣ କରିବା ଲକ୍ଷ୍ୟରେ କାର୍ଯ୍ୟ ଜୋରସୋର୍‌ରେ ଚାଲିଛି। ଚଳିତ ବର୍ଷ ଓଡ଼ିଶାକୁ ସର୍ବାଧିକ ପାଣ୍ଠି ମିଳିଥିବାରୁ ୪୦ରୁ ୫୦ବର୍ଷ ହେଲା ପଡ଼ିରହିଥିବା ପ୍ରକଳ୍ପଗୁଡିକର କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ। ରେଳ ଆଧୁନିକୀକରଣ ପାଇଁ ପ୍ରଥମେ ରାଜ୍ୟର ୩୪ଟି ରେଳ ‌ଷ୍ଟେସନର ଉନ୍ନତୀକରଣ ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଓଡ଼ିଶାବାସୀଙ୍କୁ ଆଶା ଆକାକ୍ଷାଂକୁ ନଜରରେ ରଖି ୫୭ଟି ରେଳ ଷ୍ଟେସନ୍‌ର ଆଧୁନିକୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର