ରୂପାନ୍ତରିତ ହେବ ୧୦ ହଜାର ପ୍ରାଥମିକ ସ୍କୁଲ

ଭୁବନେଶ୍ୱର : ରାଜ୍ୟର ୧୦ ହଜାର ପ୍ରାଥମିକ ବିଦ୍ୟାଳୟର ରୂପ ବଦଳିବ। ସ୍ଥାନୀୟ ଶିଳ୍ପ ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକର ସିଏସ୍‌ଆର୍ ପାଣ୍ଠି ଓ ପୁରାତନ ଛାତ୍ରଛାତ୍ରୀଙ୍କ ସାହାଯ୍ୟରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକଶିତ ହେବ। ପ୍ରଥମେ ସ୍କୁଲ ଭିତ୍ତିଭୂମି ଯାଞ୍ଚ କରାଯିବା ପରେ ମନୋନୀତ ବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ କରାଯିବ। ଏଥିରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯିବ। ବିଶେଷକରି ରାଜ୍ୟର ଉପାନ୍ତ ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିରେ ବ୍ୟାପକ ଉନ୍ନତି ଆସିବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ‘ମୋ ସ୍କୁଲ’ ଉକ୍ତ ବିଦ୍ୟାଳୟଗୁଡ଼ିକର ପ୍ରକଳ୍ପ ଅଗ୍ରଗତି, କାର୍ଯ୍ୟକାରିତା ଆଦି ତଦାରଖ କରିବ ବୋଲି ‘ମୋ ସ୍କୁଲ ଅଭିଯାନ’ର ଦଶମ ପରିଚାଳନା ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ୟୁଟ୍ୟୁବ୍‌ରେ ପ୍ରସାରିତ ହେବ ପ୍ରେରଣାଦାୟକ ବକ୍ତୃତା
ପୁରାତନ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିଚାଳିତ ହେବ ‘ସ୍କୁଲ କ୍ଲବ୍‌’

ବୈଠକରେ ଯୋଗଦେଇ ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କହିଲେ, ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ବାରା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ହୋଇଛି। ରାଜ୍ୟ ସରକାର, ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କ ମିଳିତ ସହଯୋଗରେ ସରକାରୀ ସ୍କୁଲ୍‌ର ଶୈକ୍ଷିକ ବାତାବରଣରେ ପରିବର୍ତ୍ତନ ଆସିଛି। ଏବେ ମୋ ସ୍କୁଲର ସଫଳତାର ଗାଥା ପ୍ରତି ବିଦ୍ୟାଳୟ ଓ ଗାଁରେ ପହଞ୍ଚିଛି। ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀ କେବଳ ‘ମୋ ସ୍କୁଲ୍‌’ ସମ୍ପର୍କରେ ଜାଣୁନାହାନ୍ତି, ବରଂ ଏହାର ସଫଳତାକୁ ମଧ୍ୟ ଅନୁଭବ କରୁଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥୀ ଏସ୍‌. ଯୋଗଦେଇ ମୋ ସ୍କୁଲ ଅଧୀନରେ ହେଉଥିବା ପ୍ରକଳ୍ପଗୁଡ଼ିକର ସ୍କୁଲ ଓ ରାଜ୍ୟସ୍ତରରେ ବ୍ୟାପକ ସମୀକ୍ଷା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତି ଜିଲ୍ଲାର ‘ସ୍କୁଲ୍‌ କ୍ଲବ୍‌’ର ସୁପରିଚାଳନା ପାଇଁ ଏକ ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ କ୍ୟାଡର୍ ଗଠନ କରିବାକୁ ବୈଠକରେ ଆଲୋଚନା ହୋଇଛି। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ଏହି କ୍ଲବ୍‌ଗୁଡ଼ିକ କାର୍ଯ୍ୟ କରିବା ସହ ବିଭିନ୍ନ ସହପାଠ୍ୟଭିତ୍ତିକ କାର୍ଯ୍ୟକ୍ରମର ପରିଚାଳନା କରିବ।

ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ହାଉସ୍‌ ସିଷ୍ଟମ୍‌କୁ କାର୍ଯ୍ୟକ୍ଷମ କରିବା ଦିଗରେ ମୋ ସ୍କୁଲ୍ ଅଭିଯାନ ସମସ୍ତ ସହଯୋଗ ଯୋଗାଇଦେବ। ଆକାଂକ୍ଷୀ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ସଫଳ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରେରଣାଦାୟକ ବକ୍ତୃତା ସିରିଜ୍‌ର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ୟୁଟ୍ୟୁବ୍‌ରେ ପ୍ରସାରିତ ହେବ। ବୈଠକରେ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ମୋ ସ୍କୁଲ ଅଭିଯାନର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଖୋର୍ଦ୍ଧା ଏଡିଏମ୍‌ ଏସ୍‌.ଏମ୍ ପ୍ରଧାନ, ଏସ୍‌ସି ଓ ଏସ୍‌ଟି ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର