କଟକ-ମହାନଦୀବିହାର: ହାବିଲଦାର, କନେଷ୍ଟବଳ ଓ ସିପାହିମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ। ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ। ଏବେ ମୋଟର ସାଇକଲ ଭତ୍ତା ବାବଦରେ ଏକ ହଜାର ଟଙ୍କା ପାଇବେ। ଆଜି କଟକରେ ଆୟୋଜିତ ଓଡ଼ିଶା ପୁଲିସ, ଓଏସ୍ଏପି ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏଭଳି ଘୋଷଣା କରିଥିଲେ। କେବଳ ସେତିକି ନୁହେଁ, ପୂର୍ବରୁ ପୋଷାକ, ଜୋତା ଇତ୍ୟାଦି ପାଇଁ ୫ ହଜାର ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୧୦ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କହିଥିଲେ, ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବ।
ଭୁବନେଶ୍ୱରଠାରେ ମହାସଂଘର ନୂତନ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯିବ। ଏହି ଅବସରରେ ଶ୍ରୀ ମାଝୀ କହିଥିଲେ, ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଭୂମିକା ରାଜ୍ୟର ପୁଲିସ ବଳ ତୁଲାଇଥାନ୍ତି। ବିଭାଗରେ କନେଷ୍ଟବଳ ଏବଂ ସିପାହିମାନେ ସବୁଠାରୁ ଗୁରୁ ଦାୟିତ୍ବ ତୁଲାଉଛନ୍ତି। ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ଗୁଇନ୍ଦା ପାଇଁ ଖବର ସଂଗ୍ରହ କରିବା ପରି ଦାୟିତ୍ବ ତୁଲାଉଛନ୍ତି। ସେମାନେ ହିଁ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ପୁଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ହେବ। ଏହାସହ ଖୁବଶୀଘ୍ର ରାଜ୍ୟର ପ୍ରତି ଥାନାକୁ ମୋଟର ସାଇକଲ୍ ଯୋଗାଇ ଦେବାସହ ଏହି ବାବଦରେ ଅତିରିକ୍ତ ବଜେଟ୍ରେ ୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ସେ କହିଥିଲେ। ସେହିପରି ରାଜ୍ୟରେ ଅତିରିକ୍ତ ସିଏପିଏଫ୍ ପ୍ରତିଷ୍ଠା ପାଇଁ ୨୯୯ କୋଟି ଟଙ୍କା ଏବଂ ପୁଲିସର ତ୍ବରିତ ଗମନାଗମନ ପାଇଁ ୧୬ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ଯେଉଁଥିରେ ୬୪୯ ଗୋଟି ଯାନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ହାବିଲଦାର, କନେଷ୍ଟବଳ ଓ ସିପାହି ମହାସଂଘର ବାର୍ଷିକ ଉତ୍ସବ
କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ସେଠୀ ଯୋଗଦେଇ ପୁଲିସର ଉତ୍ସର୍ଗୀକୃତ ମନୋଭାବ, ଲୋକଙ୍କ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ସାଲୁଟ୍ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନେଷ୍ଟବଳ ଓ ସିପାହିମାନଙ୍କ ସହଯୋଗ ବିନା ପୁଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ। ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ପୁଲିସ ହାବିଲଦାର, କନେଷ୍ଟବଳ ଏବଂ ସିପାହି ମହାସଂଘ ର ସଭାପତି ଅନିଲ କୁମାର ଷଣ୍ଢ, ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ କିଶୋର କୁମାର ମହାନ୍ତି ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଷଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ କିଶୋର କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ମୌଳିକ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ମହାସଂଘର ଉପସଭାପତି ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଷଷ୍ଠ ବାଟାଲିୟନ ସଂଘର ସଭାପତି ଅଶୋକ ବେହେରା, ପ୍ରବୀର କୁମାର ଧଳ, ବିମଳ ପାତ୍ର, ଦୀପକ ନାୟକ, ରାମିକାନ୍ତ ଶର୍ମା, ଅସୀମ ରଞ୍ଜନ ତରାଇ, ୱାଲଟର୍ କୁଲୁ, ଆଲୋକ କୁମାର ପାହାନ୍ତା ସିଂହ, ଉତ୍କଳ କେଶରୀ ମଲ୍ଲିକ, ପିଣ୍ଟର ମୁର୍ମୁ, ବିଷ୍ଣୁ ପ୍ରସାଦ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/17/tau7ptw3zFjKefyU6Q7s.jpg)