ବର୍ଷା ଯୋଗୁଁ ରାୟଗଡ଼ା ନିକଟରେ ରେଳ ଟ୍ରାକ୍‌ ପୁନରୁଦ୍ଧାର ବ୍ୟାହତ: ଦୁଇ ଦିନ ପାଇଁ ୧୦ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଗତ ୬ ତାରିଖ ବିଳମ୍ବିତ ରାତିରେ ରାୟଗଡ଼ା ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା ପରିସ୍ଥିତି ଯୋଗୁଁ ଦୋଇକାଲୁ ଓ ଆମ୍ବଦଳା ଷ୍ଟେସନ ମଧ୍ୟରେ ରେଳଧାରଣ ତଳୁ ମାଟି ଓ ଵାଲାଷ୍ଟ ଧୋଇଯାଇ ରେଳଧାରଣା ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏଯ‌ାଏ ଏହି ରେଳଟ୍ରାକର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇ ନ ଥିବାରୁ ଇଷ୍ଟକୋଷ୍ଟ ରେଳପଥ ପକ୍ଷରୁ ଏହି ମାର୍ଗ ଦେଇ ଚଳାଚଳ କରୁଥିବା ଟ୍ରେନଗୁଡିକୁ ବାତିଲ୍‌ କରାଯିବା ସହିତ କେତେକର ଆଂଶିକ ବାତିଲ ଓ କିଛିର ମାର୍ଗ ପରିବର୍ତନ କରାଯାଇଛି। ଗତକାଲି ରାତିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ରେଳବାଇ ଟ୍ରାକ୍‌ ପୁନରୁଦ୍ଧାର କାର୍ଯ୍ୟରେ ସାରାଦିନ ବ୍ୟାହତ ହୋଇଥିଲା। ପୁନରୁଦ୍ଧାର କାର୍ଯ୍ୟ ଆଖିଦୃଶିଆ ଭାବେ ଆଗେଇ ପାରିନାହିଁ। ଆଜି ସନ୍ଧ୍ୟା ୭ଟା ସୁଦ୍ଧା ଗୋଟିଏ ପାର୍ଶ୍ୱ ରେଳଧାରଣା ଠିକ ହୋଇଯିବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଅନ୍ୟ ରେଳଧାରଣଟି ଶୁକ୍ରବାର ସକାଳ ସୁଦ୍ଧା ସମ୍ପୂର୍ଣ୍ଣ ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ଏହି ମାର୍ଗରେ କେତେକ ମାଲବାହୀ ଟ୍ରେନ ଚଳାଚଳ କରାଯିବ। ପରେ ପୁନରୁଦ୍ଧାର ହୋଇଥିବା ରେଳଧାରଣା ଦେଇ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ। ଟ୍ରାକ ଓ ରେଳ ବ୍ରିଜ ନିକଟରେ ଅକସ୍ମାତ୍‌ ଜଳସ୍ତର ବୃଦ୍ଧିକୁ ଆଶଙ୍କା କରି ରେଳବାଇ ତରଫରୁ ୨୪X୭ ଘଣ୍ଟିଆ ତୀକ୍ଷ୍ଣ ଦୃଷ୍ଟି ରଖାଯିବ। ଉଭୟ ସମ୍ବଲପୁର ରେଳମଣ୍ଡଳ ଓ ପୂର୍ବତଟ ରେଳପଥ ମୁଖ୍ୟାଳୟ ଭୁବନେଶ୍ୱରଠାରେ ଜରୁରିକାଳୀନ କଣ୍ଟ୍ରୋଲ ରୁମ ଚାଲୁ ରହିଛି। ଟ୍ରାକ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରେଳବାଇ ବ୍ରିଜ ଓ ଟ୍ରାକ ଇଞ୍ଜିନିୟରମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି। ସମ୍ବଲପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଜୟଦୀପ ଗୁପ୍ତା ଘଟଣାସ୍ଥଳରେ ନିଜେ ରହି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୮ ତାରିଖ ପାଇଁ ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର, ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର, କୋବ୍ରା-ବିଶାଖାପାଟଣା-କୋବ୍ରା ଏକ୍ସପ୍ରେସ୍‌, ଦୁର୍ଗ-ବିଶାଖାପାଟଣା‌-ଦୁର୍ଗ ପାସେଞ୍ଜର, ଝାରସୁଗୁଡ଼ା-ରାଉରକେଲା-ଝାରସୁଗୁଡ଼ା ଏକ୍ସ‌ପ୍ରେସ୍‌ ଉଭୟ ଦିଗରୁ ବାତିଲ୍‌ ହୋଇଛି। ସେହିପରି ୯ ତାରିଖ ପାଇଁ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ-ସମ୍ବଲପୁର ଏକ୍ସପ୍ରେସ୍‌, ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ଉଭୟ ପାର୍ଶ୍ବରୁ ବାତିଲ୍‌ ହୋଇଥିବା ବେଳେ ଝାରସୁଗୁଡ଼ା-ରାଉରକେଲା ଏକ୍ସପ୍ରେସ୍‌ ଜଗଦଲପୁରରୁ ବାତିଲ ହୋଇଛି। ଏଥିସହ ସମ୍ପୃକ୍ତ ରୁଟ୍‌ ଦେଇ ଯାତାୟାତ କରୁଥିବା ୧୦ଟି ଟ୍ରେନ୍‌ର ଗତିପଥ ପରିବର୍ତନ କରାଯାଇଥିବା ବେଳେ ୩ଟି ଆଂଶିକ ବାତିଲ ହୋଇଛି।

ସମ୍ବନ୍ଧିତ ଖବର