ରାୟଗଡା: ଗଂଜେଇ ଚୋରା ଚାଲାଣ ମାମଲାର ଶୁଣାଣ କରି ସ୍ବତନ୍ତ୍ର ସେସନ୍ ତଥା ଜିଲ୍ଲା ଜଜ୍ ସୋମ ଶେଖର ଜେନା ରାୟ ପ୍ରକାଶ କରିଛନ୍ତି। ୧୮ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ରବୀନ୍ଦ୍ର ମାର୍ଥା ଓ ପୀତବାସ ମାର୍ଥାକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ନିର୍ଦେଶ ହୋଇଛି। ଜାମିନ୍ ଖାରଜ ହେବା ପରେ ଉଭୟଙ୍କୁ ରାୟଗଡା ଜେଲକୁ ପଠାଇ ଦିଆଯାଇଛି।

Advertisment

୨୦୧୦ ଏପ୍ରିଲ୍ ୨୭ ତାରିଖରେ ରବୀନ୍ଦ୍ର ଓ ପୀତବାସ ଏକ ଆମ୍ବାସଡର କାରରେ ଗଂଜେଇ ଭର୍ତି କରି କୋରାପୁଟରୁ ରାୟଗଡା ଅଭିମୁଖେ ଆସୁଥିଲେ। ଉକ୍ତ ଦିନ ଭାରତ ବନ୍ଦ ଡାକରା ଯୋଗୁ ରାୟଗଡାର ବିଭିନ୍ନ ଅନୁଷ୍ଠାନ ବନ୍ଦକୁ ସମର୍ଥନ କରି ସିରିଗୁଡା ଜେଏସକୋ ନିକଟରେ ରାସ୍ତାରୋକ କରିଥିଲେ। ଦିନ ପ୍ରାୟ ୧୨ଟା ବେଳେ ଆମ୍ବାସଡର କାରଟି ଦ୍ରୁତ ଗତିରେ ଆସିବା ସହ ଖସି ପଳାଇ ଯିବା ପାଇଁ ତରବର ହେବା ପରେ ସଂଦେହରେ ପୁଲିସ୍ ଅଟକାଇଥିଲା। ଯାଞ୍ଚ ସମୟରେ କାର ଭିତରୁ ଗଂଜେଇ ବାସ୍ନା ହେବା ହେବାରୁ ପୁଲିସ୍ ଉଭୟଙ୍କୁ ଅଟକ ରଖିବା ସହ ଏ ସଂପର୍କରେ ତତ୍କାଳୀନ ମାଜିଷ୍ଟ୍ରେଟ୍ ଦୁର୍ଗା ମହାପାତ୍ରଙ୍କୁ ଟାଉନ୍ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଥିଲେ। ସୂଚନା ପାଇ ଶ୍ରୀ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଯାଞ୍ଚ ସମୟରେ ଆମ୍ବାସଡର କାର ଭିତରୁ ୫ ବସ୍ତା ଗଂଜେଇ ଜବତ ହୋଇଥିଲା। ରାୟଗଡା ପୁଲିସ୍ ଉଭୟଙ୍କୁ ଗିରଫ କରିବା ସହ କେସ୍ ନଂ ୮୧/୨୦୧୦ ରେ ମାମଲା ରୁଜୁ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଆଜି ମାମଲାର ରାୟ ପ୍ରକାଶ କରିଚନ୍ତି ଜିଲ୍ଲା ଜଜ୍ ଶ୍ରୀ ଜେନା। ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ଉଭୟ ଅଭିଯୁକ୍ତଙ୍କ ଘର ନୟାଗଡ ଜିଲ୍ଲାର ଦେଉଳସାହି ଗ୍ରାମରେ। ସ୍ବତନ୍ତ୍ର ସରକାରୀ ଓକିଲ ବ୍ରଜ ସୁନ୍ଦର ନାୟକ ମାମଲା ପରିଚାଳନା କରୁଥିଲେ।