ଗଣଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ଜେଲ୍‌

କରଞ୍ଜିଆ: ୨୦୦୫ ମସିହାରେ ଘାଘରବେଡ଼ା ଅଞ୍ଚଳରେ ସଂଘଟିତ ଏକ ଗଣଦୁଷ୍କର୍ମ ମାମଲାର ବିଚାର କରି କରଞ୍ଜିଆ ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଶାନ୍ତ କୁମାର ମିଶ୍ର ଅଭିଯୁକ୍ତ ମଧୁ କାରୁଆକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ କୋର୍ଟ ରାୟ ଦେଇଛନ୍ତି। ପ୍ରକାଶଥାଉକି, ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇସାରିଛି।

ମାମଲା ବିବରଣୀରୁ ପ୍ରକାଶ, ୨୦୦୫ ମସିହା ଅକ୍ଟୋବର ୧୪ ତାରିଖରେ ଝାଡ଼ଖଣ୍ଡ ମଝିଗଣ ଥାନା ଅନ୍ତର୍ଗତ ମୋନାଲିପୋଖରୀ ଗ୍ରାମର କିଛି ଯୁବତୀ ଘାଘରାବେଡ଼ା ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ସେହିଦିନ ସନ୍ଧ୍ୟାରେ ଏକ କମାଣ୍ଡର ଜିପ୍‌ରେ କିଛି ଦୁର୍ବୃତ୍ତ ସଂପୃକ୍ତ ଅଞ୍ଚଳରେ ଅପରାଧ ଘଟାଇ ଫେରାର ହୋଇ ଯାଉଥିବା ସଂପର୍କରେ ଖବର ପାଇଥିଲେ ତତ୍କାଳୀନ ଘାଘରାବେଡା ଫାଣ୍ଡି ଅଧିକାରୀ। ପୁଲିସ୍‌ ପକ୍ଷରୁ ତତ୍କାଳ କାର୍ଯ୍ୟା‌ନୁଷ୍ଠାନ ଗ୍ରହଣ କରାଯିବାବେଳେ ଉକ୍ତ ଜିପ୍‌ରେ ଥିବା ୪ ଜଣ ବ୍ୟକ୍ତି ଧରାପଡ଼ିଥିଲେ। ଅଭିଯୁକ୍ତମାନଙ୍କୁ ଫାଣ୍ଡିରେ ରଖାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ବିଳମ୍ବିତ ରାତିରେ ଝାଡ଼ାଯିବା ବାହାନାରେ ହାତକଡ଼ି ସହ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ତଦନ୍ତ କରୁଥିବା ସମୟରେ ତା’ପରଦିନ ସକାଳେ ପୀଡ଼ିତାଙ୍କ ବାପା ଓ ତାଙ୍କ ଗାଁର କିଛି ଲୋକ ଆସି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରି ଗଣ୍ଡଗୋଳ କରିବା ସହ ପୁଲିସ ଜିପ୍‌ ପୋଡ଼ି ଦେଇଥିଲେ ଏବଂ ଘାଘରାବେଡ଼ା ଫାଣ୍ଡିରେ ନିଆଁ ଲଗାଇ ଦେଇଥିଲେ। ଏ ସଂକ୍ରାନ୍ତରେ ରରୁଆଁ ଥାନା କର୍ମଚାରୀ କଳାବତୀ ଗିରିଙ୍କ ଅଭିଯୋଗକୁ ଆଧାର କରି ଥାନା କେସ୍‌ ନମ୍ବର ୬୭/୨୦୦୫ରେ ଏକ ମାମଲା ରୁଜୁ କରାଯାଇଥିଲା।

ତଦନ୍ତ ସମୟରେ ଜଣାପଡ଼ିଥିଲା ପୀଡ଼ିତା ଯୁବତୀ ଓ ତାଙ୍କର ୩ ଜଣ ସାଙ୍ଗ ଘାଘରବେଡ଼ା ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ଫେରିବା ସମୟରେ ଉକ୍ତ କମାଣ୍ଡର ଜିପ‌୍‌ରେ ଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଜିପ୍‌ରେ ଉଠାଇ ନେଇଥିଲେ। ନିକଟସ୍ଥ ବାଙ୍କିଆ ହୁଡ଼ିରେ ୩ ଜଣ ଯୁବତୀଙ୍କୁ ଛାଡ଼ି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଅନ୍ୟ ଏକ ଜାଗାକୁ ନେଇ ଦୁଷ୍କର୍ମ କରି ପଳାଇବା ସମୟରେ ଧରାପଡ଼ିଥିଲେ। ଏହି ମାମଲାରେ ୨୭ ଜଣଙ୍କର ସାକ୍ଷ୍ୟ, ପୀଡ଼ିତାଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସ ତଦନ୍ତକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଆସାମୀ ମଧୁ କାରୁଆକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗଦାଧର ମୁର୍ମୁ ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର