ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀ ଫେରିବାଲାକୁ ୧୦ ବର୍ଷ ଜେଲ୍‌

ଘଟଣା ପରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା

ଫୁଲବାଣୀ : ଫୁଲବାଣୀ ପକ୍‌ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଅଭିଯୁକ୍ତ ବସିର ଶାହା(୩୦)କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଦେଢ଼ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଦର୍ଶାଇଛନ୍ତି। ଏହାସହ ପୀଡ଼ିତାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଘଟଣାର ୩ ମାସ ପରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା।  ପୀଡିତାଙ୍କ ପକ୍ଷରୁ ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରିଥିଲେ।

ଗତ ୨୦୧୯ ମସିହା ଫେବ୍ରୁଆରି ୨୨ ତାରିଖରେ ଫିରିଙ୍ଗିଆ ଥାନାର ଏକ ଗ୍ରାମାଞ୍ଚଳରେ  ଉତ୍ତରପ୍ରଦେଶ ବରେଲି ନିକଟସ୍ଥ ଫରିଦପୁର ଅଂଚଳର ଅଭିଯୁକ୍ତ ବସିର ଶାହା ପାଲ ବିକ୍ରି କରୁଥିଲା। ଘଟଣା ଦିନ ପୀଡ଼ିତା ଘରକୁ ଯାଇ ପାଲ କିଣିବା ପାଇଁ କହିଥିଲା। ପୀଡିତା ନାବାଳିକା ଘରେ କେହି ନ ଥିବା ନାହାନ୍ତି ବୋଲି କହିବା ସହିତ ପାଲ କିଣିବାକୁ ମନା କରିଥିଲା। ତେବେ ପୀଡ଼ିତାକୁ ଏକୁଟିଆ ଥିବା ସୁଯୋଗରେ ପିଇବା ପାଇଁ ପାଣି ମାଗିଥିଲା ଅଭିଯୁକ୍ତ। ନାବାଳିକା ଜଣକ ପାଣି ଆଣିବାକୁ ଯିବା ବେଳେ ବସିର ଜୋରଜବରଦସ୍ତ  ଘରେ ପଶି ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ପାଟି କରିବାରୁ ବସିର ସେଠାରୁ ଫେରାର ହୋଇ ଯାଇଥିଲା। ଖବର ପାଇ ପୀଡ଼ିତାର ବାବା ଓ ଗାଁ ଲୋକେ ଅଭିଯୁକ୍ତ ବସିର୍‌ ଓ ଆଉ ଜଣେ ସହଯୋଗୀକୁ କାବୁ କରି ଫିରିଙ୍ଗିଆ ଥାନାରେ ଜିମା ଦେବା ସହ ଏ ସଂକ୍ରାନ୍ତରେ ନିଜେ ପୀଡ଼ିତା ଏକ ଅଭିଯୋଗ ଦାଏର  କରିଥିଲେ। ପୁଲିସ ଏହି ଘଟଣାରେ କେସ୍‌ ନଂ ୧୫/୨୦୧୯ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସମସ୍ତ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଆଜି ମାମଲାର ଶୁଣାଣି କରି ବିଚାରପତି ଉପରୋକ୍ତ ରାୟ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର