ଯାଜପୁରସଦର: ଭଙ୍ଗାଯିବ ଅସୁରକ୍ଷିତ ବେଲେଶ୍ବର ବିଜୁ ସେତୁ। ଉଚ୍ଚସ୍ତରୀୟ ତଦନ୍ତ ପରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ସର୍ବେଶ୍ୱର ସିଂ ଗତ ୧୨ ତାରିଖରେ ବିଭାଗୀୟ ଇଞ୍ଜିନିୟର-ଇନ୍-ଚିଫ୍ (ମୁଖ୍ୟଯନ୍ତ୍ରୀ)ଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି। ମରାମତି ଯୋଗ୍ୟ ନଥିବାରୁ ଏହି ସେତୁକୁ ଭାଙ୍ଗି ନୂତନ ପୋଲ ନିର୍ମାଣ କରିବାକୁ ସେ ପତ୍ରରେ ସ୍ପଷ୍ଟ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ୨୦୧୪-୧୫ରେ ନିର୍ମାଣ ହୋଇଥିବା ବିଜୁ ସେତୁର ଏମିତି ଅବସ୍ଥା କାହିଁକି ହେଲା? ଦାୟିତ୍ବରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ (ଯାଜପୁର)ର ତତ୍କାଳୀନ ଯନ୍ତ୍ରୀ ଓ ଏହାର ନିର୍ମାଣ ଦାୟିତ୍ବ ନେଇଥିବା ଠିକାସଂସ୍ଥାକୁ ଏଥିପାଇଁ କାହିଁକି ଦାୟୀ କରାଯିବ ନାହିଁ? ଏଭଳି ଦୁର୍ବଳ କାମ କରିଥିବା ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରାଯିବ ନାହିଁ କାହିଁକି? ୨୦୧୫ରେ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ସେତୁ ମାତ୍ର ୧୦ ବର୍ଷରେ ଭଙ୍ଗା ଅବସ୍ଥାରେ ପହଞ୍ଚିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ, ଗତ ସରକାରଙ୍କ ସମୟରେ ନିର୍ମାଣ ହୋଇଥିବା ଅନ୍ୟ ବିଜୁ ସେତୁ ଓ ନିର୍ମାଣର ସ୍ଥାୟିତ୍ବକୁ ନେଇ ମଧ୍ୟ ସନ୍ଦେହ ଉପୁଜିଛି।
ଯାଜପୁର ବ୍ଲକ୍ର ପଣସା ଓ ଚଇନପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ବୈତରଣୀ ନଦୀ ଉପରେ ବେଲେଶ୍ବରଠାରେ ଏକ
ବିଜୁ ସେତୁ ନିର୍ମାଣ କରାଯାଇଥିଲା। ନଦୀରେ ବନ୍ୟାଜଳ ଆସିବା ପରେ ଏହି ସେତୁ ଦବିଥିଲା। ପୋଲ ଅସୁରକ୍ଷିତ ଥିବାରୁ ସେଥିରେ ଯାତାୟାତ ବାରଣ କରାଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ପୋଲ ସ୍ଥିତି ଅନୁଧ୍ୟାନ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ (ଆର୍ଡି) ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଥିଲା। ଯାଜପୁର ଜିଲ୍ଲାପାଳ ଜୁଲାଇ ୧୧ ତାରିଖରେ ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସେତୁର ମରାମତି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁଲାଇ ୧୮ ତାରିଖରେ ବିଭାଗୀୟ ବୈଷୟିକ ଟିମ୍ ସେତୁ ଯାଞ୍ଚ କରିଥିଲେ। ପୂର୍ବରୁ ସେତୁର ମାନ ତଦନ୍ତ କରିବାକୁ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ୍-୧ର ନିର୍ବାହୀ ଯନ୍ତ୍ରୀଙ୍କୁ ୧୮.୩.୨୦୨୫ରେ ନିର୍ଦ୍ଦେଶ ହୋଇଥିଲା। ଏବେ ୧୭ କୋଟି ଟଙ୍କାର ବିଜୁ ସେତୁ ଭାଙ୍ଗିବାକୁ ସୁପାରିସ୍ କରିବାକୁ ନେଇ ନିର୍ମାଣକାରୀ ସଂସ୍ଥା ଉପରେ ଅଙ୍ଗୁଳି ଉଠିଛି। ଯଦିଓ ନିର୍ମାଣ ପରବର୍ତ୍ତୀ ରକ୍ଷଣାବେକ୍ଷଣ ସମୟ ଅତିକ୍ରାନ୍ତ ହୋଇଛି, ମାତ୍ର ଏତେ କମ୍ ବର୍ଷରେ ସେତୁର ବିପଜ୍ଜନକ ଅବସ୍ଥାକୁ ନେଇ ସଂପୃକ୍ତ ସଂସ୍ଥାର ଅନ୍ୟ ନିର୍ମାଣଗୁଡ଼ିକୁ ଯାଞ୍ଚ କରିବାକୁ ଦାବି ହୋଇଛି। ଏବେ ସେତୁ ଉପରେ ଯାତାୟାତ ବାରଣ ରହିଛି। ପଣସା ଓ ଚଇନପୁର ପଞ୍ଚାୟତର ହଜାର ହଜାର ଲୋକ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ପିଲାମାନେ ନଦୀ ଆରପାର୍ଶ୍ବ ସ୍କୁଲକୁ ଯାଇ ପାରୁନଥିବାବେଳେ ପଣସା ଅଞ୍ଚଳର ଲୋକେ ନଦୀ ଆରପଟେ ଥିବା ଆରୋଗ୍ୟ କେନ୍ଦ୍ରକୁ ମଧ୍ୟ ଯାଇ ପାରୁନାହାନ୍ତି।
ଭଙ୍ଗା ହେବ ୧୦ ବର୍ଷର ବିଜୁ ସେତୁ
ଭଙ୍ଗାଯିବ ଅସୁରକ୍ଷିତ ବେଲେଶ୍ବର ବିଜୁ ସେତୁ। ଉଚ୍ଚସ୍ତରୀୟ ତଦନ୍ତ ପରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ସର୍ବେଶ୍ୱର ସିଂ ଗତ ୧୨ ତାରିଖରେ ବିଭାଗୀୟ ଇଞ୍ଜିନିୟର-ଇନ୍-ଚିଫ୍ (ମୁଖ୍ୟଯନ୍ତ୍ରୀ)ଙ୍କୁ...
/sambad/media/media_files/2025/08/15/untitled-12-2025-08-15-08-47-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)