ଇଟାଲି ପର୍ଯ୍ୟଟକ ଅପହରଣର ୧୦ ବର୍ଷ ପରେ ବି ଗଡ଼ପାକାଲିରେ ମାଓ ଭୟ

ଉପାନ୍ତ ଗ୍ରାମକୁ ୧୦ କିମି. ଚାଲି ଚାଲି ଗଲେ ବିଧାୟକ ଓ ବିଡିଓ, ଲୋକଙ୍କ ସମସ୍ୟା  ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ର ଉପାନ୍ତ ଇଲାକାରେ ଥିବା ଗଡ଼ପାକାଲି ଗ୍ରାମ ୧୦ ବର୍ଷ ପୂର୍ବ‌େ ଦେଶବିଦେଶରେ ପରିଚିତି ପାଇଥିଲା। ଗତ ୨୦୧୨ ମସିହାରେ ଦୁଇ ଇଟାଲୀୟ ପର୍ଯ୍ୟଟକ ବସୁସ୍କୋ ପାଉଲୋ ଓ କ୍ଲାଉଡିଓ କାଲାନ୍‌ଜେଲୋ ଗଡ଼ପାକାଲି ଅଞ୍ଚଳକୁ ବୁଲି ଯାଇଥିବା ବେଳେ ଉଭୟଙ୍କୁ ମାଓବାଦୀ ଅପହରଣ କରି ନେଇଥିଲେ। ସେହିଦିନ ଠାରୁ ଏହି ଗାଁ ନାଁ କହିଲେ କେବଳ ପର୍ଯ୍ୟଟକ ନୁହଁନ୍ତି, ପ୍ରାଶାସନିକ ଅଧିକାରୀଙ୍କ ଛାତିରେ ଛନକା ପଶିଯାଏ। ଗଲା ୧୦ ବର୍ଷ ହେଲା କେହି ଏ ଅଞ୍ଚଳରେ ପାଦ ଦେଇ ନଥିଲେ। ହେଲେ ଆଜି ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଓ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ପ୍ରାୟ ୧୦ କିଲୋମିଟର ଦୁର୍ଗମ ଜଙ୍ଗଲ, ପାହାଡ଼ରେ ଚାଲି ଚାଲି ଗଡ଼ପାକାଲିରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଏଗୁଡ଼ିକ‌ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇ ଫେରିଥିବା ଜଣାପଡ଼ିଛି। ଗତ ତ୍ରିସ୍ତରୀୟ ନିର୍ବାଚନ ସମୟରେ ବିଧାୟକ ଶ୍ରୀ ପ୍ରଧାନ ଏହି ଅଞ୍ଚଳର ସମସ୍ୟା ନେଇ ଅବଗତ ହୋଇଥିଲେ। ଆଜି ବିଧାୟକ ଓ ବିଡିଓ ପହଞ୍ଚି ଗ୍ରାମକୁ ରାସ୍ତା, ପାନୀୟଜଳ ଓ ବିଦ୍ୟୁତ ସେବା ଭଳି ପ୍ରାଥମିକ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନା ମୁତାବକ, ଏହି ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ଯୋଗୁଁ ପାହାଡ଼ିଆ ରାସ୍ତା ଦେଇ ଚାଲି ଯିବା କଷ୍ଟକର। ଯାନବାହନ ତ ଦୂର କଥା ସାଇକେଲ ବି ନେବା କାଠିକର ପାଠ। ଗ୍ରାମରେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ରହିଥିଲେ ବି ରାସ୍ତା ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ସ୍କୁଲ ଘର ଓ ଅଙ୍ଗନବାଡ଼ି ଘର ନିର୍ମାଣ ହୋଇନାହିଁ। ଫଳରେ ଝାଟିମାଟି ଘରେ ନାମକୁ ମାତ୍ର ସ୍କୁଲ ଓ ଅଙ୍ଗନବାଡ଼ି କାର୍ଯ୍ୟ ଚାଲିଛି। ବିଭିନ୍ନ ଯୋଜନା ବାବଦରେ ଅନୁଦାନ ଆସୁଥିଲେ ସୁଦ୍ଧା ରାସ୍ତା ନଥିବା ଫଳରେ ଅଧିକାଂଶ ଅନୁଦାନ ମଧ୍ୟ ଫେରସ୍ତ ହୋଇଯାଇଛି। ଗାଁରେ ବିଦ୍ୟୁତ ସଂଯୋଗ ମଧ୍ୟ ନଥିବା ଯୋଗୁଁ ଲୋକେ ଜଙ୍ଗଲୀ ଜୀବନ ବିତାଉଛନ୍ତି। ପାନୀୟ ଜଳ କହିଲେ ନଦୀ ନାଳ ପାଣି ହିଁ ଭରସା। ରାସ୍ତା ନଥିବା ଯୋଗୁଁ ଲୋକେ ସଠିକ୍‌ ସମୟରେ ମେଡିକାଲ ସୁବିଧା ମଧ୍ୟ ପାଇପାରୁ ନାହାନ୍ତି। ରାସ୍ତା ନଥିବାରୁ ଉକ୍ତ ଅଞ୍ଚଳକୁ ସରକାରୀ ବାବୁ ହୁଅନ୍ତୁ ଅବା ନେତାଙ୍କ ପାଦ କେବେ ପଡ଼େନାହିଁ। ଆଜି କିନ୍ତୁ ବହୁ କଷ୍ଟରେ ବିଧାୟକ ଓ ବିଡିଓଙ୍କ ଗସ୍ତ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ପରେ ବିକାଶ ନେଇ ଗ୍ରାମବାସୀ କିଛି ମାତ୍ରାରେ ଅଶାବାଦୀ ହୋଇଛନ୍ତି।

ସମ୍ବନ୍ଧିତ ଖବର