୧୦ ବର୍ଷ ଶିଶୁକୁ ଗୋଡ଼େଇ ଗୋଡ଼େଇ ହତ୍ୟା

ଥୁଆମୂଳ ରାମପୁର : ୧୦ ବର୍ଷର ଶିଶୁ କାହାର ବା କ’ଣ କ୍ଷତି କରିପାରେ? କାହାର ବା ସେ ଶତ୍ରୁ ହୋଇପାରେ?? ମାତ୍ର ତାକୁ ଅତି ନିର୍ମମ ଭାବେ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧୀନ ଥୁଆମୂଳ ଭଟାଗୁଡା ଗ୍ରାମରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ବୁଧବାର ଦିନ ୧୨ଟା ସମୟରେ ଜଣେ ନରପିଶାଚ ଶିଶୁଟିକୁ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ନିରୀହ ଶିଶୁ ହେଉଛି, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଭାଟଗୁଡା ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନୀଲ। ଅନୀଲକୁ ସେହି ଗ୍ରାମର ଜୟସିଂ ଜାନୀ (୪୨) ନାମକ ଜଣେ ବ୍ୟକ୍ତି ହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଜୟସିଂ ଟାଙ୍ଗିଆରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି। ଶିଶୁଟିକୁ ହତ୍ୟା କରିବା ସହିତ ଆଉ କେତେଜଣଙ୍କୁ ଆକ୍ରମଣ ବି କରିଥିଲା। ତା’ର ଆକ୍ରମଣ କରି ଘାସିରାମଙ୍କ ବଡ଼ପୁଅ ଦେବାନନ୍ଦ ଏବଂ ଜଣେ ବୃଦ୍ଧ ତାମା ଜାନୀଙ୍କୁ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସେ କାହିଁକି ଏପରି କାଣ୍ଡ କଲା, ତାହା ଜଣାପଡ଼ିନାହିଁ। ଅଭିଯୋଗ ପରେ ଥାନା ଅଧିକାରୀ ଗୋବିନ୍ଦ ମାଝୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର