କେନ୍ଦୁଝର: କେନ୍ଦୁଝର ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଆଜି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି କାଣ୍ଡେ ମୁଣ୍ଡା(୩୧) କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ସେ ରାୟରେ ଉଲ୍ଲେଖ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ରାଜ୍ୟର ଜଣେ ୧୪ ବର୍ଷର ନାବାଳିକା ବଡବିଲ ଥାନା ଅଂଚଳରେ ରହୁଥିବା ତାଙ୍କ ବଡବାପାଙ୍କ ଘରକୁ ୧୩ ଅପ୍ରିଲ ୨୦୧୬ ରେ ଆସିଥିଲେ ।
ସେଠାରେ ମେ ମାସ ୨୮ ତାରିଖ ଦିନ ସେ ଗାଁରେ ହେଉଥିବା ପାଲା ଦେଖିବାକୁ ରାତିରେ ଯାଇଥିଲେ । ରାତି ପ୍ରାୟ ୧୨ ଟା ବେଳେ ନିକଟସ୍ଥ ଚା ଦୋକାନକୁ ପାଣି ପିଇବାକୁ ଯାଇଥିବାବେଳେ ଅଭିଯୁକ୍ତ କାଣ୍ଡେ ମୁଣ୍ଡା ତାକୁ ଜୋର ଜବରଦସ୍ତ ଉଠାଇନେଇ ପାଖରେ ଥିବା ଏକ ଆମ୍ବ ଗଛ ମୂଳେ ଦୁଷ୍କର୍ମ କରିଥିଲା । ଏହି ଘଟଣା ନେଇ ନାବାଳିକା ତା’ ବଡବାପାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲା । ବଡବିଲ ଥାନାରେ କେସ ନଂ ୭୨ ତା ୩୦/୦୫/୨୦୧୬ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୩୬୭(୧)(୨), ୫୦୬,୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ୩୭୬ (୧) ରେ ଅଭିଯୁକ୍ତ କୁ ୧୦ବର୍ଷ ଜେଲ ଦଣ୍ଡ ସହ ଜରିମାନା ଅନାଦେୟ ୬ ମାସ ଅଧିକ ଜେଲ ଦଣ୍ଡ କରିଛନ୍ତି । ଦଫା ୫୦୬ ରେ ୧ ବର୍ଷ ଜେଲ ଦଣ୍ଡ ୨ହଜାର ଟଙ୍କା ଜରିମାନା କରିଛନ୍ତି । ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ୮ଜଣ ସାକ୍ଷୀ ଓ ପୁଲିସ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଏହି ଦଣ୍ଡାଦେଶ କରିଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । ପୀଡିତାଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ମଧ୍ୟ ଆଦେଶ କରିଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରିଥିଲେ।