ଯାଜପୁରଟାଉନ/ସଦର : ଜଣେ ନାବାଳିକାଙ୍କୁ ଅପହରଣ କରି ରଖିବା ଓ ନିୟମିତ ଭାବେ ବଳପୂର୍ବକ ଦୁଷ୍କର୍ମ କରିବା ଅଭିଯୋଗରେ ଯାଜପୁରର ମାନ୍ୟବର ପୋକ୍ସୋ ବିଚାରପତି ଯତୀନ୍ଦ୍ର କୁମାର ବେହେରା ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ଅନୁସାରେ, ପାଣିକୋଇଲି ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ୨୦୧୮ ମସିହା ଅକ୍ଟୋବର ୨୯ ତାରିଖରେ ଅପହରଣ କରାଯାଇଥିଲା। ନାବାଳିକା ଜଣକ କଲେଜ୍ ଯାଉଥିବା ବେଳେ ୩ ଜଣ ବ୍ୟକ୍ତି ୨ ଟି ବାଇକ୍ରେ ଆସି ତାଙ୍କୁ ଅପହରଣ କରିନେଇଥିଲେ। ବିଭିନ୍ନ ସ୍ଥାନରେ ରଖି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ। କେସ୍ ନମ୍ବର ୧୭୪/୧୮ରେ ମାମଲା ରୁଜୁ କରି ପୁଲିସ ନଭେମ୍ବର ୩ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତ ଯାଜପୁର ଟାଉନ ଥାନା ଅନ୍ତର୍ଗତ ମାର୍କଣ୍ଡପୁର ଅଞ୍ଚଳର ଶିବ ଜେନା(୨୦) ଓ ସାନସୁଆର ଅଞ୍ଚଳର ମାନସ ଜେନା(୩୨)କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଏହି ମାମଲାରେ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାନ୍ୟବର ବିଚାରପତି ଦୁଇ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଇନଚାର୍ଜ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର ଶୈଳେନ୍ଦ୍ର ସାମଲ ଏହି ମାମଲାକୁ ପରିଚାଳନା କରିଥିଲେ।