ବାଲେଶ୍ବର: ଖନ୍ତାପଡ଼ା ଥାନା ଅଞ୍ଚଳରେ ଏକ ପ୍ରାଣାନ୍ତକ ଆକ୍ରମଣ ଏବଂ ମୃତ୍ୟୁ ମାମଲାର ବିଚାର କରି ବାଲେଶ୍ବର ଜିଲ୍ଲା ଓ ଦୌରାଜଜ ଭଗବାନ ପ୍ରଧାନ ଦୋଷୀକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ କରିଥିବା ସୂଚନା ମିଳିଛି।

Advertisment

ଖନ୍ତାପଡ଼ା ଥାନା ଦ୍ବାରିକା ଗ୍ରାମରେ ଏକ ଟିଭି କେବୁଲକୁ ନେଇ ଅଜୟ ଜେନା ସେହି ଗ୍ରାମର ଚିତ୍ତରଞ୍ଜନ ଖିଲାର ସହ ପାଟିତୁଣ୍ଡ ହୋଇଥିଲା। ଅଜୟଙ୍କ ଘରକୁ ଚିତ୍ତରଞ୍ଜନଙ୍କ ବାଡ଼ି ଦେଇ ଟିଭି କେବୁଲ ଯାଇଥିଲା। ଏହି କେବୁଲରୁ ମଝିରେ ଚିତ୍ତରଂଜନ ଅଜୟଙ୍କ ଅଗୋଚରରେ କାଟି ନିଜ ଘର ଟିଭିକୁ ସଂଯୋଗ କରିଥିଲା। ଫଳରେ ଅଜୟଙ୍କ ଟିଭି ସିଗନାଲ ଠିକ୍‌ ଭାବେ ଆସୁନଥିଲା। ଅଜୟ ଏ ସଂକ୍ରାନ୍ତରେ କେବୁଲ ଅପରେଟରଙ୍କୁ ବାରବାର ଅଭିଯୋଗ କରିବା ପରେ ତାରରୁ କେଉଁଠି ବାଇପାସ ହୋଇଥିବା ଜଣାଯାଇଥିଲା।

ଏହାକୁ ନେଇ ଅଜୟ ଚିତ୍ତରଂଜନଙ୍କୁ ପଚାରିବାରୁ ସେ ଅଜୟଙ୍କୁ ମାଡ଼ ମାରିଥିଲା। ଅଜୟଙ୍କ ବାପା ଯଦୁନାଥ ଆସି ସେମାନଙ୍କୁ ଅଟକାଇବାରୁ ଚିତ୍ତରଂଜନ ଠେଙ୍ଗାରେ ପିଟି ଅଜୟ, ତାଙ୍କ ବାପା ଓ ମାଆଙ୍କୁ ପ୍ରାଣାନ୍ତକ କରିଥିଲେ। ଅଜୟଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍‌ ନମ୍ବର ୧୦/୧୬ରେ ମାମଲା ରୁଜୁ କରି ଚିତ୍ତରଂଜନକୁ କୋର୍ଟ ଚାଲାଣ କରାଯାଇଥିଲା। ଅପରପକ୍ଷରେ ଗୁରୁତର ଆହତ ହୋଇଥିବା ଯଦୁନାଥ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବାରୁ ପରେ ତାହା ହତ୍ୟା ମାମଲାକୁ ପରିବର୍ତ୍ତିତ ହୋଇଥିଲା।

ମାମଲାଟି ଜିଲ୍ଲାଜଜ୍‌ଙ୍କ ଅଦାଲତରେ ବିଚାରଧୀନ ଥିଲା। ଆଜି ଅପରାହ୍‌ଣରେ ଜିଲ୍ଲା ଓ ଦୌରାଜଜ୍‌ ଅଭିଯୁକ୍ତ ଚିତ୍ତରଂଜନକୁ ଦୋଷୀ ସାବ୍ୟସ୍ତ କରି ଧାରା ୩୦୪(କ)ରେ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ରାୟ ଶୁଣାଣି କରିଛନ୍ତି। ମାମଲାରେ ୧୮ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ପବ୍ଲିକ ପ୍ରୋସିକ୍ୟୁଟର ପ୍ରଶାନ୍ତ କୁମାର ମଲ୍ଲିକ ମୋକଦ୍ଦମା ପରିଚାଳନା କରୁଥିଲେ।