ମା’ ହତ୍ୟାକାରୀ ପୁଅକୁ ୧୦ ବର୍ଷ ଜେଲ୍

ସୁନ୍ଦରଗଡ଼: ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ ଶୁଭଦର୍ଶୀ ପଟନାୟକ ମା’ ହତ୍ୟାକାରୀ ବଡ଼ ପୁଅକୁ ୧୦ ବର୍ଷ ଜେଲ୍ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ହତ୍ୟାକାରୀ ପୁଅ ହେଲା ଧରୁଆଡିହି ଥାନା ତୁମୁଲବୁଡ଼ ଗାଁର ଦୁଷ୍ମନ୍ତ କାଲୋ। ୨୦୧୭ରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ତୁମୁଲବୁଡ଼ ଗ୍ରାମରେ ଏ ଜଘନ୍ୟ ହତ୍ୟାକାଣ୍ଡଟି ଘଟିଥିଲା। ତାଙ୍କ ଘର ପଛପଟେ ଥିବା ଆମ୍ବ ଗଛ ପାଖରେ ବଡ଼ ପୁଅ ଦୁଷ୍ମନ୍ତ କୌଣସି କଥାକୁ ନେଇ ନିଜ ମା’ ବିଶୟା କାଲୋଙ୍କୁ ଏକ କାଠଫାଳିଆରେ ପିଟି ପିଟି ହତ୍ୟା କରିଥିଲା। ଏହି ସମୟରେ ମୃତାଙ୍କ ସାନ ବୋହୂ ଓ ଝିଅ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇ ନଥିଲେ। ଘଟଣା ସମୟରେ କୌଣସି କାମରେ ବାହାରକୁ ଯାଇଥିବା ସାନ ପୁଅ ଖବର ପାଇ ଆସି ଧରୁଆଡିହି ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଥାନା ଅଧିକାରୀ ମେନକା ରାଉତ ମାମଲାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ପୁଲିସର ରିପୋର୍ଟ, ୨୯ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଓ ସରକାରୀ ଓକିଲଙ୍କ ଅକାଟ୍ୟ ଯୁକ୍ତିଭିତ୍ତିରେ ଭାରତୀୟ ଦଣ୍ଡବିଧି ଧାରା ୩୦୪(୧)ରେ କୋର୍ଟ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ମାମଲାକୁ ସରକାରୀ ଓକିଲ ଅବଦୁଲ ସମିମ ଅଖତର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର