ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌

କେନ୍ଦୁଝର: ଏକ ଦୁଷ୍କର୍ମ ମାମଲାର ବିଚାର କରି ଆଜି କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରମୁଙ୍ଗା ଥାନା ମାନପୁର ଗ୍ରାମର ଖଗେଶ୍ବର ପାତ୍ର (୨୪) ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା। ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜାଣି କୌଶଳ କ୍ରମେ ୨୦୧୮ ଫେବ୍ରୁଆରି ୨ ତାରିଖରେ ତା‌ଙ୍କର ଗର୍ଭପାତ କରାଇଥିଲା। ଘଟଣା ସଂପର୍କରେ କାହାରିକୁ କିଛି ନକହିବାକୁ ପରାମର୍ଶ ଦେବା ସହ ପ୍ରଘଟ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା।

ଏଥିନେଇ ନାବାଳିକାଙ୍କ ପରିବାର ପକ୍ଷରୁ ତୁରୁମୁଙ୍ଗା ଥାନାରେ ୨୦୧୮ ଫେବ୍ରୁଆରି ୫ ତାରିଖରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍ ନମ୍ବର ୧୨/ ୨୦୧୮ ରେ ଏକ ମାମଲା ରୁଜୁ କରି ଖଗେଶ୍ବରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି କେସରେ କୋର୍ଟ ୧୨ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଆଜି ଖଗେଶ୍ବରକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଅନ୍ୟପଟେ ପୀଡ଼ିତା ନାବାଳିକାଙ୍କୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା କରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର