ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ମାନ୍ୟବର ସ୍ବତନ୍ତ୍ର ଓପିଆଇଡି କୋର୍ଟର ବିଚାରପତି ବିଶ୍ବଜିତ ଦାସ ଏକ ଏନ୍‌ଡିପିଏସ୍‌ ମାମଲାର ବିଚାର କରି ୨ ନିଶା ମାଫିଆଙ୍କୁ ୧୦ ବର୍ଷର ଜେଲ୍‌ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜରିମାନା ଏବଂ ଏହା ଅନାଦେୟ ହେଲେ ଆଉ ଗୋଟିଏ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି।

Advertisment

୨୦୨୦ ମସିହାରେ କ୍ରାଇମବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ୩ ଜଣ ନିଶା ମାଫିଆଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗର, ୮୫ ହଜାର ଟଙ୍କା ଏବଂ ମୋବାଇଲ ଫୋନ୍‌ ଜବତ କରିଥିଲା। ଏସ୍‌ଟିଏଫ୍ ବ୍ରାଉନସୁଗାର ଚାଲାଣ ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ବେଳେ ଆଜି ଓପି୍ଆଇଡି କୋର୍ଟରେ କେବଳ ଅରଡ଼ବଜାରର ସେକ୍‌ ଜମିର ଏବଂ ପ୍ରଭାତ କୁମାର ସେଠୀଙ୍କୁ ଦଣ୍ଡାଦେଶ କରାଯାଇଥିବା ଜଣାଯାଇଛି। ପ୍ରକାଶ ଥାଉକି ଯେ, ଆଜି କୋର୍ଟରେ ଦଣ୍ଡ ଶୁଣାଣି ପରେ ୨ ନିଶା ମାଫିଆଙ୍କୁ ପୁଲିସ ଜେଲ୍‌ ନେଉଥିବା ବେଳେ ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ହାଇଡ୍ରାମା ଦେଖିବାକୁ ମିଳିଥିଲା। ୨ ଜଣଙ୍କୁ ଘେରିଯାଇ ଏତେ ଜୋର୍‌ରେ କନ୍ଦାକଟା କରିଥିଲେ ଯେ ଆଖପାଖର ଲୋକେ ସେଠାରେ ଏକତ୍ରିତ ହୋଇଯାଇଥିଲେ। ତେବେ ପୁଲିସ ସେମାନଙ୍କ ଭିଡ଼ ହଟାଇ ତୁରନ୍ତ ଅଭିଯୁକ୍ତ ଦୁଇଜଣଙ୍କୁ ଭ୍ୟାନ୍‌ରେ ବସାଇ ଜେଲ୍‌କୁ ନେଇଯାଇଥିଲେ। ଏହି ମୋକଦ୍ଦମାରେ ସରକାରଙ୍କ ତରଫରୁ ଏହି ମାମଲା ପରିଚାଳନା ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଲଳିତ କର ପରିଚାଳନା କରିଥିଲେ।