କେନ୍ଦୁଝର: ଜଣେ ନାବାଳିକା ଦୁଷ୍କର୍ମକାରୀକୁ ଆଜି କେନ୍ଦୁଝର ଅତିରିକ୍ତ ଦୌରାଜଜ୍ ତଥା ପୋକ୍ସୋ ସ୍ବତନ୍ତ୍ର ବିଚାରପତି ଶୁଭଶ୍ରୀ ତ୍ରିପାଠୀ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି। ସୂଚନା ଅନୁଯାୟୀ, ହରିଚନ୍ଦନପୁର ଅଞ୍ଚଳର ଜଣେ ନାବାଳିକା ୨୦୧୭ ମସିହା ନଭେମ୍ବର ୧୧ ତାରିଖ ସଂଧ୍ୟା ପ୍ରାୟ ୭ଟା ବେଳେ ଶୌଚ ହେବାକୁ ଘର ପଛକୁ ଯାଇଥିଲେ। ଏହି ସମୟରେ ତାଳଡିହି ଗ୍ରାମର ଲିଟନ ମହାନ୍ତ (୨୭) ତାଙ୍କୁ ଟେକି ନେଇ ଦୁର୍ଷ୍କମ କରିଥିଲା। ଘଟଣା ସଂପର୍କରେ କାହାରିକୁ କିଛି ନକହିବାକୁ ମଧ୍ୟ କହିଥିଲା।
ନାବାଳିକା ଜଣଙ୍କ ଘରକୁ ଫେରି ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ କହିଥିଲା। ପରିବାର ଲୋକ ତା’ପରଦିନ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ହରିଚନ୍ଦନପୁର ଥାନା କେସ ନଂ ୧୧୬/୨୦୧୭ରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ଲିଟନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୦ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ କୋର୍ଟ ଲିଟନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୧ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ସେହିପରି ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ପିପି ଗଣେଶପ୍ରସାଦ ମହାପାତ୍ର ପରିଚାଳନା କରୁଥିଲେ।