ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜୟପୁର: ଗତ ୨୦୧୪ମସିହାରେ ବୈପାରୀଗୁଡ଼ା ଥାନା ଅଂଚଳରେ ଜୈନେକା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ବୈଦନାଥ କମାରଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ଦେଇଛନ୍ତି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଆଦାୟ କରାଯାଇଥିବା ଜୋରିମାନାର ୨୫ହଜାର ଟଙ୍କାରୁ ୨୦ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବାକୁ ରାୟ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଗତ ୨୦୧୪ମସିହା ଜୁନ ୧୦ତାରିଖ ଦିନ କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଥାନା ଅଂଚଳର ଗୋଟିଏ ଗାଁର ନାବାଳିକା ଜଣକ ଭୋର ସମୟରେ ଘରୁ ଶୌଚ କରିବାକୁ ଯାଉଥିଲେ। ଏହି ସମୟରେ ସେହି ଗାଁର ଅଭିଯୁକ୍ତ ବୈଦନାଥ କମାର ନାବାଳିକା ଜଣକୁ ଅପହରଣ କରି ନେଇଥିଲେ। ପରିବାରବର୍ଗ ବହୁ ଖୋଜାଖୋଜି କରି ନାବାଳିକାକୁ ପାଇନଥିଲେ। ଅଭିଯୁକ୍ତ ଜଣକ ନାବାଳିକାକୁ ଅପହରଣକରି ବୋରିଗୁମ୍ମା ଥାନା ଅର୍ନ୍ତଗତ କଦଗୁଡ଼ା ଗାଁରେ ରହୁଥିବା ମଧୁ କମାରଙ୍କ ଘରେ ରଖିଥିଲେ। ଏସଂପର୍କରେ ନାବାଳିକାଙ୍କ ପରିବାରବର୍ଗ ଜାଣିବା ପରେ ବୈପାରୀଗୁଡ଼ା ଥାନାରେ ୨୬ତାରିଖ ଦିନ ଏତଲା ଦେଇଥିଲେ।

ପୁଲିସ ସେହି ଦିନ କଦଗୁଡ଼ା ଗାଁରେ ଚଢ଼ାଉ କରି ପିଡ଼ୀତା ନାବାଳିକା ଓ ଅପହରଣକାରୀ ଅଭିଯୁକ୍ତ ବୈଦ୍ୟନାଥଙ୍କୁ ଧରିଥିଲେ। ପୁଲିସ ପୀଡ଼ିତା ନାବାଳିକା ଓ ଅପହରଣକାରୀଙ୍କର ଡାକ୍ତରୀ ମାଇନା କରାଇଥିଲେ। ନାବାଳିକା ତାଙ୍କ ଇଛା ବିରୋଧରେ ଅଭିଯୁକ୍ତ ବୈଦ୍ୟନାଥ ଡରାଇ ଧମକାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଅଭିଯୁକ୍ତ ବୈଦ୍ୟନାଥଙ୍କ ବିରୋଧରେ ଦଫା ୩୬୬(ଏ),୩୭୬(୧),୬ ଓ ୪ପକ୍ସ ଆକ୍ଟରେ ପୁଲିସ ଗିରଫ କରି କୋର୍ଟ ଚାଳାଣ କରିଥିଲେ। ଏହି ମାମଲାର ବିଚାର ଚାଳିଥିବା ବେଳେ ୧୨ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା।

ଆଜି ମାନ୍ୟବର କୋର୍ଟ ରାୟ ପ୍ରକାଶକରି ଅଭିଯୁକ୍ତ ବୈଦ୍ୟନାଥଙ୍କୁ ୬ପକ୍ସ ଆକ୍ଟରେ ୧୦ବର୍ଷର ସଶ୍ରମକାରାଦଣ୍ଡାଦେଶ ୨୦ହଜାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ବର୍ଷକ ସଶ୍ରମ କାରାଦଣ୍ଡ ଭୋଗିବାକୁ କୁହାଯାଇଛି। ସେଭଳି ଦଫା ୩୬୬ରେ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ହଜାର ଜୋରିମାନା ଦେବାକୁ ନିର୍ଦେଶ ଦିଆଯାଇଛି। ଏହି ଜୋରିମାନା ଅନାଦେୟ ଆଉ ୩ମାସ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ତେବେ ଉଭୟ ଦଣ୍ଡାଦେଶ ମିଳିତ ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି। ଅଭିଯୁକ୍ତଙ୍କ ନିକଟରୁ ଆଦାୟ ହୋଇଥିବା ଜୋରିମାନା ୨୫ହଜାର ଟଙ୍କାରୁ ୨୦ହଜାର ଟଙ୍କା ପିଡ଼ୀତାଙ୍କୁ ଦିଆଯିବାକୁ ରାୟ ପ୍ରକାଶ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଧିର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର