ବେବିନା ଗଣଦୁଷ୍କର୍ମ ଘଟଣାକୁ ୧୦ବର୍ଷ; ଭୟରେ ରିପୋର୍ଟକୁ ଚାପିଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ବର: ପିପିଲି ଥାନା ଅଧୀନ ଅଜ୍ଜୁର୍ନଗୋଦା ଗାଁର ଦଳିତ ଝିଅ ବେବିନା ଗଣଦୁଷ୍କର୍ମ ଘଟଣାକୁ ଆଜି ୧୦ବର୍ଷ ପୂରିଛି। ୨୦୧୧ ମସିହା ନଭେମ୍ବର ୨୯ତାରିଖରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିଲା। ହେଲେ ଏହି ବହୁଚର୍ଚ୍ଚିତ ଘଟଣାରେ ଅପରାଧୀମାନେ ଦଣ୍ଡ ପାଇଛନ୍ତି ନା ସରକାର ବସାଇଥିବା ତଦନ୍ତ କମିସନ ରିପୋର୍ଟ ବିଧାନସଭାରେ ଆଗତ ହୋଇଛି। ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ପି.କେ ମହାନ୍ତି କମିସନ ୨୦୧୬ ମସିହା ମାର୍ଚ ୩୦ରେ ଚୂଡ଼ାନ୍ତ ରିପୋର୍ଟ ଗୃହ ବିଭାଗ ନିକଟରେ ଦାଖଲ କରିଛନ୍ତି। ମାତ୍ର ମୁଖା ଖୋଲିଯିବା ଭୟରେ ରାଜ୍ୟ ସରକାର ତଦନ୍ତ କମିସନ ରିପୋର୍ଟକୁ ବିଧାନସଭାରେ ଆଗତ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।

ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ ଯେ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଥିଲା, ଏଥିପାଇଁ ଉତ୍ତରଦାୟୀ କିଏ ଓ ଘଟଣାରେ ପୁଲିସ ନିଜର କାର୍ଯ୍ୟ ଠିକ୍‌ଭାବେ ସଂପାଦନ କରିଛି କି ନାହିଁ ଏହି ଉଦ୍ଦେଶ୍ୟ ନେଇ ତଦନ୍ତ କମିସନ ଗଠନ ହୋଇଥିଲା। କମିସନ ଏଥିପାଇଁ ୪ବର୍ଷ ସମୟ ନେଇଥିବା ବେଳେ ଏଥିରେ ୫୦ରୁ ଅଧିକ ସତ୍ୟପାଠ, ୫୦ଜଣଙ୍କୁ ଜେରା ଓ ୧୦୦ରୁ ଅଧିକ ବୈଠକ ହୋଇଥିଲା। ୨୦୧୬ ମସିହାରେ ପ୍ରାୟ ୪ଶହ ପୃଷ୍ଠାର ଏକ ରିପୋର୍ଟ ଗୃହ ସଚିବଙ୍କୁ ପ୍ରଦାନ କରିଥିଲେ ତଦନ୍ତ କମିସନ। ରିପୋର୍ଟ ଦେବାର ୬ବର୍ଷ ବିତିଥିଲେ ହେଁ, ରିପୋର୍ଟକୁ ସାର୍ବଜନୀନ କରାଯାଉନାହିଁ। ସେ କହିଛନ୍ତି ଯେ ‌ଏହି ଘଟଣାରେ ପୁଲିସ ଅଧିକାରୀଙ୍କ ନିଷ୍କ୍ରିୟତା ଓ ରାଜନେତାମାନଙ୍କ ହସ୍ତକ୍ଷେପ ଫଳରେ ପୁଲିସ ମାମଲା ରୁଜୁ କରି ନ ଥିଲା କି ଡାକ୍ତର ଠିକ୍ ଭାବେ ପୀଡ଼ିତାଙ୍କ ଚିକିତ୍ସା କରି ନ ଥିଲେ। ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ ପରେ ଘଟଣାର ଦେଢ଼ ମାସ ପରେ ପୁଲିସ ମାମଲା ରୁଜୁ କରିଥିଲା। ରାଜ୍ୟରେ ବ୍ୟାପକ ଜନ ଅସନ୍ତୋଷକୁ ସହି ନ ପାରି ଶେଷରେ ରାଜ୍ୟ ସରକାର ଦୋଷୀ ଅଧିକାରୀଙ୍କୁ ନିଲମ୍ବିତ/ବହିଷ୍କାର ଆଦେଶ ଦେଇଥିଲେ। ଏହାସହ ତତ୍କାଳୀନ କୃଷି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। ମାତ୍ର ବିଡ଼ମ୍ବନାର ବିଷୟ ଘଟଣା ଘଟିବାର ୧୦ବର୍ଷ ବିତି ଯାଇଥିଲେ ମଧ୍ୟ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ତେଣୁ ଆସନ୍ତା ବିଧାନସଭାରେ ତଦନ୍ତ କମିସନ ରିପୋର୍ଟ ଉପସ୍ଥାପିତ କରିବା ସହିତ ପିପିଲି ପୀଡ଼ିତାର ବିଚାର କେତେବାଟରେ ପହଞ୍ଚିଛି ସରକାର ଏହାର ଉତ୍ତର ରଖନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ, ପ୍ରଶାନ୍ତ ଶତପଥୀ ଓ ଜ୍ଞାନଦେବ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର