ସୁନ୍ଦରଗଡ଼: ୧୦ ବର୍ଷ ସୁନ୍ଦରଗଡ଼ ବ୍ଲକ୍ ମଝାପଡ଼ାସ୍ଥିତ ଏକ ଘରୋଇ ପଞ୍ଚାୟତ ବାଳିକା ହାଇସ୍କୁଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ ପଦରେ ବିନା ଦରମାରେ ଖଟିଥିବା ପିରୋ କିସାନ ନାମ୍ନି ବାପ ଛେଉଣ୍ଡ, ଅବିବାାହିତା ଆଦିବାସୀ ଯୁବତୀଙ୍କୁ ସରକାରୀ ଅନୁଦାନ ମିଳିବା ପରେ ବିନା କାରଣରେ ତଡ଼ି ଦେଇଥିଲା ସ୍କୁଲ ପରିଚାଳନା କମିଟି। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପାଖରେ ନ୍ୟାୟ ପାଇଁ ଗୁହାରି କରି କରି ଏହା ମଧ୍ୟରେ ୭ ବର୍ଷ ବିତିଯାଇଛି, କିନ୍ତୁ ପିରୋଙ୍କୁ ନ୍ୟାୟ ମିଳି ନାହିଁ। ଶେଷକୁ ଆଜି ସେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନରେ ବସିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ୨୦୦୪ରେ ବାଳିକା ହାଇସ୍କୁଲ ପ୍ରତିଷ୍ଠା ପରଠାରୁ ପରିଚାଳନା କମିଟି ଅନୁମୋଦନକ୍ରମେ ତିଲେଇମଲଟି ଗାଁର ଅସହାୟା ଯୁବତୀ ପିରୋଙ୍କୁ ପିଅନ ରୂପେ ନିଯୁକ୍ତି ଦିଆଯାଇଥିଲା। ସେତେବେଳେ ତାଙ୍କୁ ସ୍କୁଲ ପରିଚାଳନା ପାଇଁ କମିଟି ୩୦ ହଜାର ଟଙ୍କା ମାଗିଥିଲା। ସେ ବଡ଼ କଷ୍ଟରେ ୧୫ ହଜାର ଟଙ୍କା ଯୋଗାଡ଼ କରି ୨୦୧୦ ଜୁଲାଇ ୨ ତାରିଖରେ ଦେଇଥିଲେ। ବାକି ଟଙ୍କା ସରକାରୀ ଅନୁଦାନ ମିଳିବା ପରେ ଦେବାକୁ ଚୁକ୍ତି ହୋଇଥିଲା। କିନ୍ତୁ ସରକାରୀ ଅନୁଦାନ ଆସିବା ଯାଏ ତାଙ୍କୁ ବିନା ଦରମାରେ ଖଟିବାକୁ କୁହାଯାଇଥିଲା। ସେ କମିଟି ସର୍ତ୍ତରେ ହଁ କରିଥିଲେ। ସେ କାର୍ଯ୍ୟ କରିବା ମଧ୍ୟରେ ତାଙ୍କ ଉପସ୍ଥାନ ଫର୍ମ ପ୍ରତିବର୍ଷ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନବୀକରଣ ହୋଇ ଆସୁଥିଲା। କିନ୍ତୁ ୨୦୧୩ରେ ସ୍କୁଲ ସରକାରୀ ଅନୁଦାନ ପାଇବା ପରେ କମିଟି କୌଣସି କାରଣ ନ ଦର୍ଶାଇ ବିନା ସୂଚନାରେ ତାଙ୍କୁ ଚାକିରିରୁ ବାହାର କରି ଦେଇଥିଲେ ଓ ତାଙ୍କ ସ୍ଥାନରେ ସୁନନ୍ଦା ପଣ୍ଡା ନାମ୍ନି ମହିଳାଙ୍କୁ ନିଯୁକ୍ତି ଦେଇଥିଲେ। ଏହା ଜାଣିବା ପରେ ପିରୋ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଜଣାଇ ସେମାନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିନ୍ତୁ ଅଧିକାରୀମାନେ ତାଙ୍କ କଥା ଶୁଣି ନଥିଲେ। ତଥାପି ପିରୋ ନ୍ୟାୟ ପାଇଁ ଲଢ଼ି ଚାଲିଛନ୍ତି।

ଆଜି ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗପତ୍ର ଦେଇଥିଲେ। ଗରିବ ଓ ଏକାକୀ ମହିଳା ହୋଇଥିବାରୁ ସେ ଅସହାୟ ହୋଇପଡ଼ିଥିବା ପ୍ରକାଶ କରି ନ୍ୟାୟ ମାଗିଥିଲେ। କିନ୍ତୁ ପ୍ରଶାସନ ତାଙ୍କ ଗୁହାରିକୁ ଶୁଣି ନଥିଲା। ବହୁବାର ପ୍ରଶାସନ ଦ୍ବାରକୁ ଦୌଡ଼ି ଦୌଡ଼ି ଥକି ପଡ଼ିବା ପରେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ କରିଛନ୍ତି। ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀ ଆସି ତାଙ୍କୁ ସମର୍ଥନ ଦେଇ ପ୍ରଶାସନ ତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ର ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଆସି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପିରୋଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ପିରୋ ଲାଞ୍ଚ ଟଙ୍କା ଫେରସ୍ତ କରାଇବା ଓ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ଦାବି କରି ଖବର ଲେଖାଯିବା ପର୍ଯ୍ୟନ୍ତ ଅନଶନରୁ ଉଠି ନଥିଲେ।