ପ୍ରତିଶ୍ରୁତିରେ ଅଟକିଛି ଏମ୍ସ ପାଇଁ ୧୦୦ ଏକର ଜମି: ରୋଗୀସଂଖ୍ୟା ଦୃଷ୍ଟିରୁ ଦେଶର ଦ୍ବିତୀୟ ଏମ୍ସ
ଜମି ଅଭାବରୁ ହୋଇପାରୁନି ସମ୍ପ୍ରସାରଣ
ଭୁବନେଶ୍ବର: ସାରା ଦେଶରେ ଥିବା ୨୪ଟି ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେମ୍ (ଏମ୍ସ) ଭିତରେ ରୋଗୀ ସଂଖ୍ୟା ଦୃଷ୍ଟିରୁ ଦିଲ୍ଲୀ ଏମ୍ସ ପରେ ଭୁବନେଶ୍ବର ଏମ୍ସ ଦ୍ବିତୀୟ ସ୍ଥାନରେ ରହିଛି। ରୋଗୀଙ୍କୁ ଟର୍ସିୟାରି କେୟାର ପ୍ରଦାନ ଲକ୍ଷ୍ୟ ନେଇ ଏହି ଡାକ୍ତରଖାନାର ପ୍ରତିଷ୍ଠା ହୋଇଥିଲା। କିନ୍ତୁ ନୂତନ ବିଭାଗ ଖୋଲିବା ଠାରୁ ପୁରାତନ ବିଭାଗ ସମ୍ପ୍ରସାରଣ ପ୍ରତ୍ୟେକ କାର୍ଯ୍ୟ ପାଇଁ ଜମି ଅଭାବ ମୁଖ୍ୟ ସମସ୍ୟା ହୋଇଛି। ରାଜ୍ୟ ସରକାର ଏହି ଡାକ୍ତରଖାନାକୁ ୧୦୦ ଏକର ଜମି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା କାର୍ଯ୍ୟକ୍ଷମ ହେଲାନାହିଁ। ବର୍ତ୍ତମାନ ନୂଆ ସରକାର ଏହି ଦିଗରେ ଦୃଷ୍ଟିଦେବେ ବୋଲି ଏମ୍ସ କର୍ତ୍ତୃପକ୍ଷ ଆଶା କରିଛନ୍ତି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ୯୨ ଏକର ଜମି ରହିଛି ଏମ୍ସ ଭୁବନେଶ୍ବର ଡାକ୍ତରଖାନାର କୋଠା, ନର୍ସିଂ କଲେଜ, ଆୟୁଷ କୋଠା, ବର୍ଣ୍ଣ ସେଣ୍ଟର, ଟ୍ରମା ସେଣ୍ଟର। ଓପିଡି ସହିତ ୧,୩୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପାଇଁ ୪,୫୦୦ରୁ ୫,୦୦୦ ରୋଗୀ, ସମ୍ପର୍କୀୟଙ୍କ ସହିତ ୪,୫୦୦ କର୍ମଚାରୀ, ୧,୧୦୦ ବିଦ୍ୟାର୍ଥୀ ଯାତାୟାତ କରୁଛନ୍ତି। ଓପିଡି, ଡାକ୍ତରଖାନାକୁ ବାଦ୍ଦେଇ ଏଠାରେ ଥିବା ଟ୍ରମା ସେଣ୍ଟରକୁ ପ୍ରତିଦିନ ୧୦୦ରୁ ଅଧିକ ଆମ୍ବୁଲାନ୍ସ ଯାତାୟାତ କରୁଛି। ଏତେ ସଂକୀର୍ଣ୍ଣ ସ୍ଥାନ ଡାକ୍ତରଖାନା ପାଇଁ ଯଥେଷ୍ଟ ହେଉନାହିଁ। ସ୍ଥିତି ଏଭଳି ଯେ ଜରୁରୀକାଳୀନ ଚିକିତ୍ସା, ଓପିଡିରେ ପ୍ରାଥମିକ ଚିକିତ୍ସା, ଅସ୍ତ୍ରୋପଚାର, ଔଷଧ, ସ୍ବାସ୍ଥ୍ୟ ବୀମା, ପରୀକ୍ଷଣ ଭଳି ପ୍ରାୟ ସବୁ କ୍ଷେତ୍ରରେ ରୋଗୀଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡୁଛି। ଏପରିକି ଗୁରୁତର ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ମଧ୍ୟ ୨ରୁ୩ ମାସ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଅନେକ ଗରିବ ରୋଗୀ ଏହାର ଲାଭ ଉଠାଇ ପାରୁ ନାହାନ୍ତି। ରୋଗୀଙ୍କୁ ଉଚ୍ଚମାନର ଚିକିତ୍ସା ପ୍ରଦାନ ପାଇଁ ବଡ଼ ଭିତ୍ତିଭୂମି ଏବଂ ସେଥିପାଇଁ ଅଧିକ ଜମି ଆବଶ୍ୟକ ବୋଲି ଏମ୍ସ ପ୍ରତିଷ୍ଠା ସମୟରୁ ହିଁ ଅନୁଭବ କରାଯାଇଥିଲା। ପ୍ରଥମ ନିର୍ଦ୍ଦେଶକ ଡ. ଅଶୋକ ମହାପାତ୍ରଙ୍କ ସମୟରୁ ହିଁ ଆଉ ୧୦୦ ଏକର ଜମି ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରାଯାଇଥିଲା। ମାତ୍ର ସେତେବେଳେ ଏହାକୁ ଗୁରୁତ୍ବ ଦିଆଯାଇନଥିଲା।
ପରବର୍ତ୍ତୀ ସମୟରେ ଜମି ପ୍ରଦାନ ପାଇଁ ସମ୍ମତି ପ୍ରକାଶ କରାଯାଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରିବାନେଇ କୌଣସି ପଦକ୍ଷେପ ଏଯାଏ ଆରମ୍ଭ ହୋଇନାହିଁ। ୪ ବର୍ଷର ଲମ୍ବା ଲଢ଼େଇ ପରେ ୨ ବର୍ଷ ପୂର୍ବରୁ ଡାକ୍ତରଖାନା ନିକଟସ୍ଥ ୨୬ ଏକର ଜମିର ପଟ୍ଟା ଦିଆଯାଇଛି। ହେଲେ ଏହା ଯଥେଷ୍ଟ ନୁହେଁ। ଏମ୍ସ ଚତୁଃପାର୍ଶ୍ବରେ ଥିବା କିଛି ଅବ୍ୟବହୃତ ସରକାରୀ ଜମିକୁ ଦିଆଗଲେ ଡାକ୍ତରଖାନା ସମ୍ପ୍ରସାରିତ ହୋଇପାରିବ ଏବଂ ରୋଗୀଙ୍କୁ ଟର୍ସିୟାରି କେୟାର ମିଳିପାରିବ ବୋଲି ମତ ପ୍ରକାଶ ପାଉଛି। ଉଦାହରଣସ୍ବରୂପ ଏହି ଡାକ୍ତରଖାନା ନିକଟରେ ଥିବା ୮ ଏକର ସରକାରୀ ଜମିର ବିବାଦ କୋର୍ଟରେ ବିଚାରାଧୀନ ରହିଛି। ୮୦ ଦଶକରେ ଦନ୍ତ ଚିକିତ୍ସା କଲେଜ ବା ଡେଣ୍ଟାଲ କଲେଜ ପାଇଁ ଏକ ଘରୋଇ ସଂସ୍ଥାକୁ ଏହି ୮ ଏକର ଜମି ଲିଜ୍ରେ ଦିଆଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେ କଲେଜ ହୋଇପାରି ନାହିଁ। ତେବେ ସରକାରଙ୍କ ପାଖକୁ ମଧ୍ୟ ଜମି ଫେରିନାହିଁ। ଏହି ଜମି ଏମ୍ସର ବ୍ୟବହାରରେ ଆସିପାରିବ। ଜମି ଅଭାବ ସହିତ ଆଉ ଗୋଟିଏ ସମସ୍ୟା ବି ରହିଛି, ଆଜି ପର୍ଯ୍ୟନ୍ତ ଜାତୀୟସ୍ତରର ଏହି ଡାକ୍ତରଖାନା ପଞ୍ଚାୟତ ଅଧୀନରେ ରହିଛି। ବିଏମ୍ସି ଅଞ୍ଚଳରେ ଆସୁ ନଥିବାରୁ ବିଜୁଳି ବ୍ୟବସ୍ଥା ଓ ଆବର୍ଜନା ପରିଚାଳନା ଆଦି ପାଇଁ ବିଏମ୍ସି କୌଣସି ପଦକ୍ଷେପ ନେଉନାହିଁ।