କଟକ: ଦେଶରେ ପାଖାପାଖି ୧୦୦ କୋଟିରୁ ଅଧିକ ଟଙ୍କାର ସାଇବର୍ ଠକେଇ ପଛରେ ଜଣେ ବ୍ୟାଙ୍କ ପିଅନର ସମ୍ପୃକ୍ତି ଥିବା ଘଟଣା ଚକିତ କରିଛି। ବିହାର ଭୋଜପୁର ଜିଲ୍ଲାରେ ଏକ ଉପାନ୍ତ ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ବରୋଦା ଶାଖାରେ କାର୍ଯ୍ୟରତ ପିଅନ ବିକାଶ ସିଂହ (୩୦)କୁ କଟକ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ରିମାଣ୍ଡରେ ଆଣିବା ପରେ ଏଭଳି ତଥ୍ୟ ହସ୍ତଗତ ହୋଇଛି। କେବଳ ଓଡ଼ିଶାରୁ କଟକ ସମେତ ଜଗତସିଂହପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ କୋଟିଏ ୫୮ ଲକ୍ଷ ୫୫ ହଜାର ୮୦୦ ଟଙ୍କା ହଡ଼ପ୍ ହୋଇଛି। ଦେଶରେ ବିଭିନ୍ନ ବ୍ୟାଙ୍କରେ ସରକାରୀ ଆକାଉଣ୍ଟର ତଥ୍ୟ ଚୋରି କରି ସାଇବର୍ ଅପରାଧୀଙ୍କୁ ବିକ୍ରି କରିବା ଅଭିଯୋଗରେ ପୁଲିସ ତାକୁ କାବୁ କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/06/cyber-fraud-2022d4d4d4f7d87df87f8ddf.jpg)
ସୁବର୍ଣ୍ଣପୁର ସୋନପୁର ମହାବିଦ୍ୟାଳୟର ସୋନପୁର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ଖାତାରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହଡ଼ପ ହୋଇଥିଲା। ଜୁନ୍ ୧୦ ତାରିଖରେ କଲେଜ କର୍ତ୍ତୃପକ୍ଷ ଖାତା ଯାଞ୍ଚ ସମୟରେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ। କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ସୋନପୁର ଟାଉନ ଥାନାରେ ଏତଲା ଦେଇଥିଲେ। ଦ୍ବିତୀୟ ମାମଲା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କ ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଥିବା ଆକାଉଣ୍ଟରୁ ଗଲା ଜୁନ୍ ୧୭ ତାରିଖରେ ଦସ୍ତଖତ ଜାଲି କରି ୪୬ ଲକ୍ଷ ୧୨ ହଜାର ୯୦୦ ଟଙ୍କା ହଡ଼ପ ହୋଇଛି। ତୃତୀୟ ମାମଲାରେ କୃଷି ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ନାଁରେ କଟକ ନୂଆବଜାର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ସଞ୍ଚୟ ଖାତାରୁ ଗଲା ଜୁନ ୨ ତାରିଖରେ ଜାଲି ଦସ୍ତଖତ ବଳରେ ୪୨ ଲକ୍ଷ ଟଙ୍କା ହଡ଼ପ ହୋଇଥିଲା। ସେହିମାସ ୨୨ ତାରିଖରେ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଅଭିଯୋଗ ହୋଇଥିଲା। ଏହି ତିନୋଟି ମାମଲାରେ ସମାନ ଶୈଳୀରେ ଠକେଇ ହୋଇଥିବାରୁ କମିସନରେଟ୍ ପୁଲିସର ସାଇବର୍ ଥାନା ପୁଲିସ ଘଟଣାକୁ ଗୁରୁତ୍ବର ସହିତ ନେଇଥିଲା। ଏହି ଠକେଇ ପଛର କାର୍ପଟଦାର୍ ବିକାଶ ବୋଲି ସାଇବର ଥାନା ପୁଲିସ ଜାଣିବାକୁ ପାଇଥିଲା। ଯଦିଓ ବିକାଶକୁ ବିହାର ପୁଲିସ ଏଭଳି ଠକେଇ ମାମଲାରେ ପୂର୍ବରୁ ଗିରଫ କରିଥିଲା, କଟକ ସାଇବର୍ ଥାନା ପୁଲିସ ତାକୁ ରିମାଣ୍ଡରେ ଆଣିବା ପାଇଁ କଟକ ଜେଏମ୍ଏଫ୍ସି ସିଟି କୋର୍ଟରେ ଦିନିକିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିଲା। ଗୁରୁବାର ରିମାଣ୍ଡ ମିଳିବା ପରେ ତାକୁ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ଶୁକ୍ରବାର ପୁଣି ତାକୁ କୋର୍ଟରେ ହାଜର କରାଯିବା ପରେ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯିବ। ବିକାଶ ଯେଉଁ ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ପିଅନ ଥିଲା, ସେ ସେଠାରେ ଦେଶର ବିଭିନ୍ନ ସରକାରୀ ବ୍ୟାଙ୍କ ଆକାଉଣ୍ଟର ନମ୍ବର, ଚେକ୍ ସମ୍ପର୍କିତ ତଥ୍ୟ, ମୋବାଇଲ୍ ନମ୍ବର, ଦସ୍ତଖତ ଫଟୋ ଉଠାଇ ସାଇବର ଅପରାଧୀଙ୍କ ନିକଟକୁ ପଠାଉଥିଲା।
ଅପରାହ୍ନରେ ବ୍ୟାଙ୍କ୍ ବନ୍ଦ ହେବାପରେ ବିକାଶ ବ୍ୟାଙ୍କର କମ୍ପ୍ୟୁଟର୍ରୁ ଏହି ତଥ୍ୟ ଚୋରି କରିନେଉଥିଲା। ପାଖାପାଖି ୧୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ବିକାଶ ସାଇବର୍ ଅପରାଧୀଙ୍କ ନିକଟକୁ ପଠାଇଥିବା ତଦନ୍ତରୁ ଜଣାପଡ଼ିଛି। ଏଥିପାଇଁ ସେ ପ୍ରତି ଆକାଉଣ୍ଟ ପିଛା କମିସନ୍ ପାଉଥିଲା। ସାଇବର୍ ଅପରାଧୀଙ୍କ ଆଉ ଗୋଟିଏ ଗୋଷ୍ଠୀ ଏହି ସରକାରୀ ଆକାଉଣ୍ଟ ନାଁରେ ଜାଲି ଚେକ୍ ପ୍ରସ୍ତୁତ କରି ଯେଉଁ ବ୍ୟାଙ୍କରେ ଖାତା ରହିଥାଏ, ସେହି ବ୍ୟାଙ୍କ ଶାଖାରେ ଚେକ୍ ଲଗାଇ ଟଙ୍କା ହଡ଼ପ କରିନେଉଥିଲେ। ବିକାଶ ପଛରେ ଆଉ ଗୋଟିଏ ବଡ଼ ସାଇବର ଅପରାଧୀ ଗ୍ୟାଙ୍ଗ୍ କାମ କରୁଥିବାରୁ ସେମାନଙ୍କୁ ଧରିବାକୁ ତନାଘନା ଆରମ୍ଭ ହୋଇଛି।
ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଚେକ୍ ମାଧ୍ୟମରେ ଟ୍ରାନ୍ସଫର୍ ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରି ଏ ସଂକ୍ରାନ୍ତରେ ଅନୁମତି ନେଇଥାନ୍ତି। ଅଥଚ ଉପରୋକ୍ତ ବ୍ୟାଙ୍କରେ ଲକ୍ଷାଧିକ ଟଙ୍କା ଚେକ୍ ମାଧ୍ୟମରେ ଟ୍ରାନ୍ସଫର୍ ହୋଇଥିବା ବେଳେ ଆକାଉଣ୍ଟଧାରୀ ଏ ସଂକ୍ରାନ୍ତରେ କିଛିଜାଣନ୍ତି ନାହିଁ। ଏହି ସାଇବର୍ ଅପରାଧୀ ସ୍କୁଲ, କଲେଜ, ସରକାରୀ ପ୍ରତିଷ୍ଠାନର ବ୍ୟାଙ୍କ୍ ଆକାଉଣ୍ଟକୁ ଟାର୍ଗେଟ୍ କରୁଥିବା ତଦନ୍ତରୁ ଜଣାପଡ଼ିଛି। ଏ ପ୍ରକାର ଆକାଉଣ୍ଟଧାରୀ ସାଧାରଣତଃ ନିୟମିତ ଆକାଉଣ୍ଟ ଯାଞ୍ଚ କରୁ ନଥିବାରୁ ଏହି ଆକାଉଣ୍ଟକୁ ଟାର୍ଗେଟ୍ କରାଯାଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/cyber-frauds-calling-up-up-residents-for-vaccine-registration-.jpg)