କଣ୍ଟିଲୋ ନୀଳମାଧବ ପୀଠ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ୧୦୦ କୋଟି ଟଙ୍କା ଖର୍ଚ୍ଚହେବ, ୧୮ ମାସରେ କାମ  ସରିବ

ଭୁବନେଶ୍ବର :  କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ ।ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନା ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।  ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନୀଳମାଧବ ପୀଠର ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଉପରେ ବିଚାର ବିମର୍ଷ ପରେ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ଜଗନ୍ନାଥ ସଂସ୍କୃତି ସହ ନୀଳମାଧବ ପୀଠର ନିବିଡ ସଂପର୍କ ରହିଛି । ବିଶ୍ବାସ କରାଯାଏ ଯେ ନୀଳମାଧବ ପୀଠ ବ୍ରହ୍ମାଦ୍ରୀ ପର୍ବତରେ ମହାପ୍ରଭୁ ନୀଳମଣି ଭାବରେ ଶବର ରାଜା ବିଶ୍ବାବସୁଙ୍କ ଦ୍ବାରା ପୂଜା ପାଉଥିଲେ । ମହାପ୍ରଭୁଙ୍କ ଏହି ଆଦିରୂପକୁ ଦର୍ଶନ କରିବା ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ନୀଳମାଧବ ପୀଠକୁ ଆସିଥାନ୍ତି । ବ୍ରହ୍ମାଦ୍ରୀ ପର୍ବତର ଉତ୍ତର ଦିଗରେ ମହାନଦୀର ଭୀମକାନ୍ତ ରୂପ ଅତ୍ୟନ୍ତ ରମଣୀୟ । ପର୍ଯ୍ୟଟକ ମାନଙ୍କ ପାଇଁ ମଧ୍ୟ ଏହି ସ୍ଥାନ ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହି ପବିତ୍ର ପୀଠର ସୁବ୍ୟବସ୍ଥିତ ବିକାଶ ଦ୍ବାରା ଭକ୍ତ ଓ ପର୍ଯ୍ୟଟକ ସହିତ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଗତ ସପ୍ତାହରେ ନୀଳମାଧବ ପୀଠ ପରିଦର୍ଶନ କରି ବିକାଶ ଯୋଜନା ସଂପର୍କରେ ସେବାୟତ ତଥା ସ୍ଥାନୀୟ ଜନସାଧାରଣଙ୍କ ଓ  ଜିଲ୍ଲା ପ୍ରଶାସନ ସହ ବିସ୍ତୃତ ଆଲୋଚନା କରି ମାଷ୍ଟର ପ୍ଲାନ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ମାଷ୍ଟରପ୍ଲାନରେ ମୁଖ୍ୟତଃ ମନ୍ଦିରର ପୁନରୁଦ୍ଧାର,ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିକ୍ରମା ପଥ, ଚନ୍ଦନ ପୁଷ୍କରିଣୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ସହିତ ଚତୁପାର୍ଶ୍ବ ରାସ୍ତାର ଉନ୍ନତୀକରଣ, ଛାୟାପ୍ରଦ ବୃକ୍ଷ,  ଉଦ୍ୟାନ,ପାର୍କିଂ, ମହାନଦୀର କୂଳ ସୁରକ୍ଷା ଓ ନଦୀପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଆଦି ବିଷୟରେ ଗୁରୁତ୍ବ ଦିଆଯାଇଛି । ମନ୍ଦିରକୁ ଯାଇଥିବା ତିଖା  ପାହାଚ ଶ୍ରେଣୀର ପୁନରୁଦ୍ଧାର  କରାଯାଇ ଭକ୍ତ  ମାନେ ଯେପରି ସୁବିଧା ରେ ଯାଇ ପାରିବେ ତଦନୁଯାୟୀ  ବିକାଶ କରାଯିବ ।

ଏହା ସହିତ ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଚାରି ଦ୍ବାରର ଉନ୍ନତୀକରଣ କରାଯିବ । ବୟସ୍କ ଓ ଭିନ୍ନକ୍ଷମ ମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ସେଥିପାଇଁ ପଶ୍ଚିମ  ଦ୍ୱାରରେ ଲିପ୍ଟ ଓ ସ୍କାଏବ୍ରିଜ ସୁବିଧାର ବିକାଶ କରାଯିବ । ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ  ଖଣ୍ଡାଲାଇଟ  ପଥର ବିଛାଯିବା ସହିତ ମନ୍ଦିର ଓ ଠାକୁରଙ୍କ ବଗିଚାର ବିକାଶ କରାଯିବ । ଏହାସହିତ ରାସବିହାରୀ ମଣ୍ଡପ, ରଘୁନାଥ ମଠ ଓ ବାଟ ମଙ୍ଗଳା ମନ୍ଦିରର ମଧ୍ୟ ବିକାଶ କରାଯିବ ।  ଯାତ୍ରୀ ମାନଙ୍କ  ଜିନିଷପତ୍ର ରଖିବା ନିମନ୍ତେ ବ୍ୟବସ୍ଥା (କ୍ଲୋକ ରୁମ) ଏବଂ ପଦପ୍ରକ୍ଷାଳନ ବ୍ୟବସ୍ଥାର ମଧ୍ୟ ନିର୍ମାଣ କରାଯିବ ।

ମନ୍ଦିରକୁ ପ୍ରବେଶ ପାଇଁ ପୂର୍ବ ଓ ପଶ୍ଚିମ ପାର୍ଶ୍ବ ସଡକର ପ୍ରଶସ୍ତିକରଣ କରାଯିବ। ପୂର୍ବ ପାର୍ଶ୍ବ ସଡକକୁ ୯ ମିଟର ଓ ପଶ୍ଚିମ ପାର୍ଶ୍ବ ସଡକକୁ ୧୨ ମିଟର ପ୍ରଶସ୍ଥ କରାଯିବ। ମହାନଦୀର କୁଲକ୍ଷୟ ରୁ ମନ୍ଦିର କୁ ସୁରକ୍ଷା ଯୋଗାଇବା ପାଇଁ ୪୦୦ ମିଟର ସୁରକ୍ଷା ପ୍ରାଚୀର ନିର୍ମାଣ କରାଯିବ । ଏହି ପ୍ରକଳ୍ପ ପାଇଁ ସମୁଦାୟ ଦୁଇ ଏକର ଜମି ଆବଶ୍ୟକ ପଡିବ। ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ ଜମି ଅଧିଗ୍ରହଣ କରିବେ । ପୂର୍ତ୍ତ ବିଭାଗ  ଜରିଆରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।  ମହାନଦୀ  କୁଲକ୍ଷୟ  ରୋକିବା ପାଇଁ ସୁରକ୍ଷା ପ୍ରାଚୀର ଜଳସମ୍ପଦ  ବିଭାଗ  ନିର୍ମାଣ କରିବ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୈଠକରେ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ  ବୀର ବିକ୍ରମ ଯାଦବ  ପ୍ରକଳ୍ପ ସଂପର୍କରେ ଉପସ୍ଥାପନା ରଖିଥିଲେ । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର  ପି.କେ. ଜେନା, ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଅନୁ ଗର୍ଗ ଓ ନୟାଗଡ  ଜିଲ୍ଲପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର