ପୁରୀ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସରର ବିକାଶ ପାଇଁ ଖର୍ଚ୍ଚ ହେବ ୯୯.୮୬ କୋଟି ଟଙ୍କା। ଏଥିରେ ବହୁତଳ କୋଠା ନିର୍ମାଣ ହେବ। ଯେଉଁଥିରେ ଅଧିକ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହେବ ବୋଲି ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଫେସର ଅତୁଲ କୁମାର ନନ୍ଦ କହିଛନ୍ତି।

Advertisment

କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଶ୍ରୀସଦାଶିବ ପରିସର ଜୟଦେବ ସଭାଗୃହରେ ଆଧୁନିକ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସ୍ପନ୍ଦନ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ନନ୍ଦ ଏଥିରେ ଅଧ୍ୟକ୍ଷତା କହିଥିଲେ, ବର୍ତ୍ତମାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟ ୨୨ଶହ। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ସମ୍ମିଳନୀ କକ୍ଷର ଅଭାବ କାରଣରୁ କୌଣସି ସଭାସମିତି କରିବାରେ ଅସୁବିଧା ହେଉଛି। ଏହି ଅସୁବିଧାକୁ ଦୃଷ୍ଟିରେ ରଖି କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୯୯.୮୬ କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି। ଆବଶ୍ୟକ ପଡ଼ିଲେ, ଆହୁରି ଅନୁଦାନ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଯୋଗଦେବ ବୋଲି ମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ମିଳିଥିବା ପ୍ରଫେସର ନନ୍ଦ କହିଛନ୍ତି। ଆଧୁନିକ ବିଭାଗର ପୂର୍ବତନ ବିଭାଗ ମୁଖ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଫେସର ବିଜୟପାଲ କଚ୍ଛୱା, ପ୍ରଫେସର ରମାକାନ୍ତ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଡ. ସ୍ୱାଗତିକା ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଧୁନିକ ବିଭାଗର ଅଧ୍ୟାପକ ସୁଶାନ୍ତ କୁମାର ଶତପଥୀ, ବିଶ୍ୱନାଥ ମିଶ୍ର, ପଦ୍ମଜା ଶତପଥୀ, ଡ. ଶକ୍ତିପ୍ରସାଦ ଦ୍ବିବେଦୀ, ମଧୁସ୍ମିତା ମିଶ୍ର, ଡ. ରୁଦ୍ରପ୍ରସାଦ ମିଶ୍ର ଯୋଗ ଦେଇଥିଲେ। ଅନ୍ୟପଟେ ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜସ୍ବ ଉଦ୍ୟମରେ ୩୦ଟି ଜିଲ୍ଲାର ସ୍ବତନ୍ତ୍ରତାକୁ ବହନ କରୁଥିବା ୩୦ଟି ବ୍ୟଞ୍ଜନ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ।