୧୩୦ ବର୍ଷରେ ଓଡ଼ିଶାକୁ ଛୁଇଁଛି ଶହେ ବାତ୍ୟା, ଭବିଷ୍ୟତ ପାଇଁ ଐତିହ୍ୟର ସଂରକ୍ଷଣ ଲୋଡ଼ା

ବିମ୍‌ଷ୍ଟେକ୍‌ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଉଦ୍‌ଘାଟିତ

ଭୁବନେଶ୍ବର: ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର। ୧୮୯୧ ମସିହାରୁ ଆଜି ପର୍ଯ୍ୟନ୍ତ ଶହେରୁ ଅଧିକ ବାତ୍ୟା ଆସି ଅନେକ କ୍ଷୟକ୍ଷତି କରିଛି। ତେବେ ୧୯୯୯ ମସିହା ମହାବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଧାରାକୁ ଭାଙ୍ଗିଥିଲା। ଆଜି ଦିନରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ଅନ୍ୟମାନଙ୍କଠାରୁ ବହୁ ଆଗରେ ରହିଛି। ଦେଶର ପ୍ରଥମ ରାଜ୍ୟ ଭାବେ ନିଜସ୍ବ ବିପର୍ଯ୍ୟୟ ମୁକାବିଲା ବଳ ପ୍ରସ୍ତୁତ କରିଛି। ପ୍ରାକୃତିକ ବିପର୍ଯ୍ୟୟରେ ଯେପରି ଜଣେ କେହି ମୃତ୍ୟୁବରଣ ନ କରିବେ ସେଥିପାଇଁ ଆଗୁଆ ସୂଚନା ପ୍ରଦାନ, ମାନବ ସମ୍ବଳର ପରିଚାଳନା, ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ସ ଫର୍‌ ମଲ୍ଟି-ସେକ୍ଟୋରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍‌ କର୍ପୋରେସନ) ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦କୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

‌ହୋଟେଲ୍‌ ମେ ଫେୟାରରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ୫ ହଜାର ବର୍ଷ ପୁରୁଣା। ପ୍ରାକୃତିକ ବିପର୍ଯ୍ୟୟରେ ଐତିହ୍ୟ ସ୍ଥଳୀଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେଉଛି। ୨୦୦୧ରେ ଭୂମିକମ୍ପ ଦ୍ବାରା ଗୁଜୁରାଟରେ ବହୁ ଐତିହ୍ୟ ନଷ୍ଟ ‌ହୋଇଥିଲା। ୨୦୧୫ରେ ନେପାଳରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଥିଲା। ଏଭଳି ସମୟରେ ବିମ୍‌ଷ୍ଟେକ୍‌ ଦେଶଗୁଡ଼ିକ ଐତିହ୍ୟଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ବାରୋପ କରୁଥିବା ଖୁସିର ବିଷୟ। କାରଣ ବର୍ତମାନ ସମୟରେ ଆମର ଐତିହ୍ୟ ସ୍ଥଳୀଗୁଡ଼ିକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ରଖିବାକୁ ହେବ। ଏଗୁଡ଼ିକ କେବଳ ଆମ ସଂସ୍କୃତିର ବାର୍ତାବହ ନୁହନ୍ତି। ବରଂ ଅର୍ଥନୀତିକୁ ଆଗକୁ ନେବାରେ ଐତିହ୍ୟର ପ୍ରମୁଖ ଭୂମିକା ରହିଛି। ଏହି ସବୁ ଐତିହ୍ୟଗୁଡ଼ିକର ସୁରକ୍ଷା ପାଇଁ ଆମର ଆଗୁଆ ସର୍ତକ ସୂଚନା ବ୍ୟବସ୍ଥାକୁ ସମ୍ପୃଦ୍ଧ କରିବାକୁ ପଡ଼ିବ। ଏଦିଗରେ ଦ୍ବିତୀୟ ବିମ୍‌ଷ୍ଟେକ୍‌ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ବେଶ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଥିଲେ।

ମୁଖ୍ୟ ସଚିବ ଅସିତ୍‌ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶା ସବୁଠାରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ୧୯୯୯ ମହାବାତ୍ୟାଠାରୁ ଆରମ୍ଭ କରି ତିତ୍‌ଲି, ଫାଇଲିନି, ହୁଡ୍‌ହୁଡ୍‌, ଫନି, ବୁଲ୍‌ବୁଲ୍‌ ପରି ବାତ୍ୟା ରାଜ୍ୟରେ ବ୍ୟାପକ କ୍ଷତି କରିଛି। ତେବେ ୧୯୯୯ ମହାବାତ୍ୟା ପରେ ବାତ୍ୟା ମୁକାବିଲା ଦିଗରେ ଅନେକ ପଦକ୍ଷେପ ନିଆଯାଇଛି। ଫନି ସମୟରେ ୨୪ ଘଣ୍ଟା ମଧ୍ୟରେ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏନ୍‌ଡିଆରଏଫ୍‌ ସହ ମିଶି ଓଡ୍ରାଫ୍‌ ଓ ଅନ୍ୟାନ୍ୟ ସଂସ୍ଥା ଓଡ଼ିଶା, ମେଘାଳୟ, କେରଳ ରାଜ୍ୟରେ ବିଭିନ୍ନ ସମୟରେ ଲୋକଙ୍କ ଧନଜୀବନକୁ ରକ୍ଷା କରାଯାଇପାରିଛି ବୋଲି ସେ କହିଥିଲେ। ଏନ୍‌ଡିଏମ୍‌ଏର ସଦସ୍ୟ ସଚିବ ଜି ଭିଭି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀରେ ବିମ୍‌ଷ୍ଟେକ୍‌ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଉତ୍ସବରେ ଏନ୍‌ଡିଆରଏଫ୍‌ ଡିଜି ସତ୍ୟ ନାରାୟଣ ପ୍ରଧାନ ସ୍ବାଗତ ଭାଷଣ ଦେବା ସହ ତିନି ଦିନ ଧରି ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତ ସମେତ ବାଲାଂଦେଶ, ମିଆଁମାର, ଶ୍ରୀଲଙ୍କା, ନେପାଳରୁ ୮୦ ଜଣ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦେଇଛନ୍ତି। ଭୂଟାନ ଓ ଥାଇଲ୍ୟାଣ୍ଡର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିନାହାନ୍ତି। ଏହି ସମ୍ମିଳନୀରୁ ଯେଉଁ ନିର୍ଯାସ ବାହାରିବ ତାହାକୁ ଆଧାର କରି ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରାଯିବ ବୋଲି ଅଧିକାରୀମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର