ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା, ଅଭିଯାନ, ପ୍ରକଳ୍ପ ଉଦ୍‌ଘାଟିତ ହେବା ସହ ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ବୈଠକରେ ଅଧ୍ୟକ୍ଷତା କରି କହିଥିଲେ, ମହିଳା ଓ ଶିଶୁମାନଙ୍କୁ ସୁରକ୍ଷିତ, ସମାନ ଓ ସମ୍ମାନଜନକ ପରିବେଶ ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ସେ ମାତୃଭାଷାରେ ଆଧାରିତ ପ୍ରାରମ୍ଭିକ ଶିକ୍ଷା, ବାଲ୍ୟ ବିବାହ ରୋକିବା, କିଶୋରୀ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ, ସମୁଦାୟ ସଂପୃକ୍ତି ଓ ତଳସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥିଲେ। 

Advertisment

Narendra Modi: ‘ଭାରତର ଯୁବପିଢ଼ି ଦେଶକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ପାଇଁ ସଂକଳ୍ପ ନେବା ଉଚିତ’

କିଶୋରୀ ଗର୍ଭଧାରଣ ରୋକିବା ଓ ସେମାନଙ୍କ ସହାୟତା ନିମିତ୍ତ ପାଇଲଟ୍ ପ୍ରକଳ୍ପ 
‘ଆମେ ପଢ଼ିବା ଆମ ଭାଷାରେ’ ପାଇଲଟ୍ ପ୍ରକଳ୍ପ ପାଇଁ ବୁଝାମଣାପତ୍ର
କନ୍ଧମାଳବୌଦ୍ଧ ଜିଲ୍ଲାରେ ଆଇସିଡିଏସ୍‌ କର୍ମଚାରୀ ଆବାସିକ କ୍ୱାର୍ଟର୍ସ ଉଦ୍‌ଘାଟିତ
ବରପାଲି, ବରଗଡ଼ ଜିଲ୍ଲାରେ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଭବନ ଉଦ୍‌ଘାଟିତ

ଏହି ଅବସରରେ  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ‘ଆମେ ପଢ଼ିବା ଆମ ଭାଷାରେ’ ନାମକ ପାଞ୍ଚବର୍ଷୀୟ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ସହ ସମନ୍ୱୟରେ ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ମାତୃଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁରମାଲକାନଗିରି ଜିଲ୍ଲାରେ ମୁଣ୍ଡା, କୁଇ, ସଉରା, କୁଭି, ଗୋଣ୍ଡି ଓ କୋୟା ଭାଷାରେ ଯୋଜନାଟି କାର୍ଯ୍ୟକାରୀ ହେବ। ଅଙ୍ଗନୱାଡି କର୍ମୀଙ୍କୁ ଭାଷା ନିର୍ଦ୍ଦିଷ୍ଟ ତାଲିମ, ଶିକ୍ଷା ସାମଗ୍ରୀ ଓ ଅଡିଓ-ଭିଜୁଆଲ ବିଷୟବସ୍ତୁ ପ୍ରଦାନ କରାଯିବ। ‘ସୁଭଦ୍ରା ଯୋଜନା’ ପରି ‘ଆମେ ପଢ଼ିବା ଆମ ଭାଷାରେ’ ଯୋଜନାକୁ ଘରେ ଘରେ ସୁପରିଚିତ କରିବା ପାଇଁ ଉଦ୍ୟମ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହ୍ୱାନ ଦେଇଥିଲେ। ଏହାସହ ଅଙ୍ଗନୱାଡ଼ିକୁ ଆକର୍ଷଣୀୟ କରାଯିବ ବୋଲି ସେ କହିଥିଲେ। ବାଲ୍ୟବିବାହ ରୋକିବାକୁ୧୦୦ ଦିନିଆ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରାଯାଇଛି। ଏଥିରେ ଯୁବ ନେତୃତ୍ୱ, ଆଶା, ଅଙ୍ଗନୱାଡ଼ି କର୍ମୀ ଓ ସଂସ୍ଥାଗତ ମଞ୍ଚଗୁଡ଼ିକର ସକ୍ରିୟ ସଂପୃକ୍ତିରେ କନ୍ୟା ଶିକ୍ଷା, ସଚେତନତା ଓ ସୁରକ୍ଷାକୁ ମଜବୁତ କରାଯିବ। ସାଇକେଲ ରାଲି, ଯୁବ ସମ୍ମିଳନୀ, ମାନବଶୃଙ୍ଖଳ, ସ୍କୁଲ୍-କଲେଜ ଭିତ୍ତିକ ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଡିଜିଟାଲ୍‌ ସଚେତନତା ମାଧ୍ୟମରେ ଏହାକୁ ସଫଳ କରାଇବାକୁ ଗୁରୁତ୍ବ ଦିଆଯିବ।

BJD Strike: ମଣ୍ଡି ଅବ୍ୟବସ୍ଥା ନେଇ ଟ୍ରେଲର ଦେଖାଇଲୁ, ପିଲ୍ମ ଦେଖାଇବୁ: ବିଜେଡି

ବୈଠକର ଆଲୋଚନାରୁ ଜଣାଯାଇଛି, ମୟୂରଭଞ୍ଜ ଜିଲ୍ଲାରେ ୟୁନିସେଫ୍‌ ସହଯୋଗରେ କିଶୋରୀ ମାଆ ସହାୟତା ଓ କିଶୋରୀ ଗର୍ଭଧାରଣ ରୋକିବା ପାଇଁ ପାଇଲଟ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ଏହା ମାଧ୍ୟମରେ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା, ସାମାଜିକ ସୁରକ୍ଷା, ପୁନଃ ଶିକ୍ଷା ଓ କୌଶଳ ମାର୍ଗ ସହ ସମନ୍ୱିତ ସହାୟତା ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଭବିଷ୍ୟତରେ ରାଜ୍ୟସ୍ତରୀୟ ମଡେଲ୍ ଭାବେ କାମ କରିବ।
ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ବରପାଲିସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନର ନୂତନ ପ୍ରଶାସନିକ ଭବନ ଓ ଆନୁଷଙ୍ଗିକ ସୁବିଧାର ଉଦ୍‌ଘାଟନ କରିଛନ୍ତି। ସେହିଭଳି ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଆଇସିଡିସି କ୍ଷେତ୍ର ଅଧିକାରୀଙ୍କ ପାଇଁ ଆବାସିକ କ୍ୱାର୍ଟର୍ସର ମଧ୍ୟ ଉଦ୍‌ଘାଟନ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶିକା ମନିଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଏନ୍‌.ସି. ଜ୍ୟୋତିରଂଜନ ନାୟକ, ଅତିରିକ୍ତ ଶାସନ ସଚିବ ସୁମିତ୍ରା କୁମାରୀ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅନନ୍ତ ନାରାୟଣ ସିଂ ଲାଗୁରୀ, ସଦସ୍ୟ ସଚିବ ଓଏସ୍‌ଏଲ୍‌ଏସ୍‌ଏ ଅରବିନ୍ଦ ପଟ୍ଟନାୟକ, ସିଏଫ୍‌ଓ ୟୁନିସେଫ୍‌ ପ୍ରଶାନ୍ତ ଦାଶ, ବିଭାଗୀୟ ବରିଷ୍ଠ ଅଧିକାରୀ, ୟୁନିସେଫ, ପିରାମଲ ଫାଉଣ୍ଡେସନ୍‌, ପ୍ରଥମ ଫାଉଣ୍ଡେସନ୍‌ ଓ ଏସ୍‌ଏଲ୍‌ଏସ୍‌ଏର ପ୍ରତିନିଧିଙ୍କ ସହ ଆଭାସୀ ମାଧ୍ୟମରେ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ।