ବୋରୱେଲ ଭିତରେ ସାପ ସହ ୧୦୦ ଘଣ୍ଟା ରହିଥିଲେ ୧୦ବର୍ଷୀୟ ବାଳକ ରାହୁଲ

ଭୁବନେଶ୍ବର : ୮୦ ଫୁଟ୍‌ର ବୋର୍‌ୱେଲ୍‌ ତଳୁ ଉଦ୍ଧାର ହୋଇଥିବା ଛତିଶଗଡ଼ର ୧୦ବର୍ଷୀୟ ବାଳକ ରାହୁଲଙ୍କ ଉପରେ ନଜର ରଖିବା ଲାଗି ଯେଉଁ କ୍ୟାମେରା ବୋରୱେଲ ଭିତରକୁ ଯାଇଥିଲା ସେଥିରେ ସାପର ‌ଫଟୋ ଉଠିଥିଲା। ଉଦ୍ଧାରକାରୀ ଟିମ୍ ଓ ଜିଲ୍ଲା ପ୍ରଶାସନ ଏ ବିଷୟରେ ଅବଗତ ଥିଲେ ବି ଘଟଣା ବିଷୟରେ ଲୋକମାନେ ଜାଣିଲେ ଭୟଭୀତ ହେବା ଆଶଙ୍କାରେ ଏହାକୁ ପ୍ରଘଟ କରି ନ ଥିଲା ସ୍ଥାନୀୟ ପ୍ରଶାସନ। ଅତି ବିପଜ୍ଜନକ ସ୍ଥିତିରେ ୧୦୫ ଘଣ୍ଟା ଧରି ଜୀବନ ସହ ସଂଗ୍ରାମ କରିଥିଲା ରାହୁଲ। ବୋରୱେଲ ଭିତରୁ ଉଦ୍ଧାର ହୋଇ ଆସିବା ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଟ୍ବିଟ୍‌ ସମସ୍ତଙ୍କୁ ଚକିତ କରିଥିଲା। ମୁଖ୍ୟମନ୍ତ୍ରୀ ନିଜେ ଟ୍ବିଟ୍‌ କରି ବୋରୱେଲ ଭିତରେ ସାପ ଥିବା ସଂପର୍କରେ ସ୍ପଷ୍ଟ କରିଥିଲେ। ଯାହାଫଳରେ ଏହି ଭୟାନକ ଘଟଣା ସଂପର୍କରେ ଜଣାପଡ଼ିଥିଲା।

ଭଗବାନଙ୍କ ଆଶୀର୍ବାଦରୁ ପୁଅକୁ ଫେରି ପାଇଛି : ମା’
ମୋର ସଂପୂର୍ଣ୍ଣ ବିଶ୍ବାସ ଥିଲା ଯେ ‌ପୁଅ ନିଶ୍ଚିତ ଫେରିବ। ମୃତ୍ୟୁକୁ ହରାଇ ମା’ କୋଳକୁ ଫେରିବ ବୋଲି ମୋର ବିଶ୍ବାସ ଥିଲା। ଭଗବାନ ଏତେ ନିଷ୍ଠୁର ନୁହନ୍ତି ଯେ ଅସମୟରେ ମୋ’ଠୁ ତା’କୁ ଛଡ଼ାଇନେବେ। ରାହୁଲକୁ ଫେରି ପାଇବା ପରେ ଏଭଳି ଢଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମା’। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏନ୍‌ଡିଆରଏଫ୍‌, ସେନା, ଜିଲ୍ଲାପାଳ, ବିଧାୟକ ଓ ସରକାର ରାହୁଲଙ୍କ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଭଗବାନଙ୍କ ଆଶୀର୍ବାଦରୁ ପୁଅକୁ ଫେରି ପାଇଛି ବୋଲି ସେ କହିଛନ୍ତି।

ପୁରୀରେ ହଜି ଯାଇଥିଲା ରାହୁଲ
ଛତିଶଗଡ଼ର ଜାଞ୍ଜିଗିର-ଚାମ୍ପାର ମାଲଖାଦାରୁଆ ଥାନ ଅଧୀନ ପିହରିଡ଼ ଗାଁର ବୋ‌ରୱେଲରେ ଖସି ପଡ଼ିଥିଲା ରାହୁଲର ରହିଛି ଓଡ଼ିଶା ଲିଙ୍କ୍। ଏକଦା ନିଜ ପିତାମାତାଙ୍କ ସହିତ ପୁରୀ ବୁଲିବାକୁ ଆସିଥିବା ରାହୁଲ କୁଆଡ଼େ ହଜି ଯାଇଥିଲେ। ତେବେ ଖୋଜାଖୋଜି କରିବା ପରେ କିଛି ବାଟରେ ତାଙ୍କୁ ଠାବ କରାଯାଇଥିଲା। ରାହୁଲଙ୍କ ମା’ କହିଛନ୍ତି ଯେ ପୁରୀ ଆସିଥିବା ସମୟରେ ଖାଦ୍ୟ ଖାଇବା ବେଳେ ରାହୁଲ କୁଆଡ଼େ ଚାଲି ଯାଇଥିଲା। ବହୁତ ଖୋଜାଖୋଜି କରିବା ପରେ ଅଧ କିଲୋମିଟର ଦୂରରେ ଥିବା ମନ୍ଦିର ନିକଟରୁ ଚିହ୍ନଟ ହୋଇଥିଲା। ଠାକୁରଙ୍କ କୃପାରୁ ପୁଅକୁ ଖୋଜି ପାଇଥିବା ବୋଲି ସେ କହିଛନ୍ତି।

ସୋଡିୟମ ସ୍ତର ହ୍ରାସ ସତ୍ତ୍ବେ ସୁସ୍ଥ ଅଛି ରାହୁଲ
ବୋରୱେଲ ଭିତରୁ ଉଦ୍ଧାର ହୋଇଥିବା ରାହୁଲର ସ୍ବାସ୍ଥାବସ୍ଥା ସ୍ଥିର ରହିଛି। ତା’ର ସ୍କିନ୍ ଆନାଲିସିସ୍ ଶେଷ ହୋଇଛି। ଦୀର୍ଘ ସମୟ ଧରି ପାଣିରେ ରହିଥିଲେ ବି ଚର୍ମର ସ୍ଥିତି ଭଲ ରହିଛି। ଚର୍ମ ରୋଗ ଭଳି କୌଣସି ଆଶଙ୍କା ନାହିଁ। ତେବେ ରାହୁଲର ଶରୀରରେ ସୋଡିୟମ ସ୍ତର ସାମାନ୍ୟ ହ୍ରାସ ପାଇଛି। ଏବେ ଡ୍ରିପ୍ ଦିଆଯାଉଥିବାରୁ ଅଳ୍ପ ସମୟ ଭିତରେ ସାଧାରଣ ଅବସ୍ଥାକୁ ଆସିବ ବୋଲି ସୂଚନା ଦେଇଛନ୍ତି ଛତିଶଗଡ଼ ବିଳାସପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ପ୍ରମୋଦ ମହାଜନ। ଡାକ୍ତର ମହାଜନ କହିଛନ୍ତି, ରାହୁଲକୁ ଜ୍ବର ହୋଇଥିବା ନେଇ ଯେଉଁ ଚର୍ଚା ହେଉଛି ଏଥିରେ ସତ୍ୟତା ନାହିଁ। ସ୍ବାସ୍ଥ୍ୟାବସ୍ଥା ଏକଦମ୍ ଠିକ୍ ଅଛି। ବୋରୱେଲରୁ ଉଦ୍ଧାର ପରେ ହସ୍ପିଟାଲ ଆଣିବା ରାସ୍ତାରେ ତାକୁ କ୍ଷୀର ଓ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ରାତିରେ ମଧ୍ୟ ବିସ୍କୁଟ ଖାଇବାକୁ ଦିଆଯାଇଥିଲା। ହସ୍ପିଟାଲରେ ତାକୁ ଆଜି ସୁପ୍ ଦିଆଯାଇଛି। ସୁପ୍ ପିଇବା ସହିତ ଖାଦ୍ୟ ଗ୍ରହଣ କରୁଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର