ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୧୦୦ ମିଟର ହେବ ନିଷିଦ୍ଧ ଅଂଚଳ, କୌଣସି ନିର୍ମାଣ ମନା

ଶ୍ରୀମନ୍ଦିର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣର ଡ୍ରାଫ୍ଟ ଅଧିନିୟମ

ଭୁବନେଶ୍ବର/ପୁରୀ: ଶ୍ରୀମନ୍ଦିର ପାଇଁ ପ୍ରଥମ ଥର କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧିକରଣ ଜାରି କରିଛି ଚିଠା ଐତିହ୍ୟ ଉପବିଧି । ଏହି ଚିଠା ଉପବିଧି ଅନୁସାରେ ଶ୍ରୀମନ୍ଦିର ଚାରିପଟରେ ନିର୍ମାଣ ଉପରେ କଟକଣା ଲଗାଯାଇଛି । ଜାତୀୟ ସ୍ମାରକୀ ପ୍ରାଧିକରଣ ଏ ନେଇ ଡ୍ରାଫ୍ଟ ବାଇ-ଲ ବା  ଚିଠା ଉପବିଧି ପ୍ରକାଶ କରିଛି । ଚିଠା ନିୟମ ଅନୁସାରେ ଏଏସଆଇ ସଂରକ୍ଷିତ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖର ୧୦୦ ମିଟର ବ୍ୟାସାର୍ଦ୍ଧରେ ରହିଥିବା ଅଂଚଳକୁ ନିଷିଦ୍ଧ ଅଂଚଳ ଘୋଷଣା କରାଯିବ । ଅର୍ଥାତ୍ ଏହି ଅଂଚଳରେ କୌଣସି ନିର୍ମାଣ ହୋଇପାରିବ ନାହିଁ । ଉଭୟ ସରକାରୀ କିମ୍ବା ବେସରକାରୀ ନିର୍ମାଣକୁ ବାରଣ କରାଯାଇଛି ।

ସେହିପରି  ଶ୍ରୀମନ୍ଦିର ଚତୁଃପାର୍ଶ୍ବର ୨୦୦ ମିଟର ଅଂଚଳକୁ ନିୟନ୍ତ୍ରିତ ଅଂଚଳ କରାଯିବ । ଯେଉଁଠାରେ ନିର୍ମାଣ ନିଷେଧ ନୁହେଁ, କିନ୍ତୁ ଏଥିପାଇଁ ନାସନାଲ ମନୁମେଂଟ ଅଥରିଟି ବା ଜାତୀୟ ସ୍ମାରକୀ ପ୍ରାଧିକରଣର ଅନୁମତି ନେବାକୁ ପଡ଼ିବ । ୯ ଦଶମିକ ୭ ଏକର ଅଂଚଳରେ ଥିବା ଶ୍ରୀମନ୍ଦିର ସ୍ଥାନ ସଂରକ୍ଷଣ ଅଂଚଳ ହୋଇଥିବା ବେଳେ ନିଷିଦ୍ଧ କ୍ଷେତ୍ର ହେଉଛି ମେଘନାଦ ପାଚେରୀ ସହିତ ପ୍ରାୟ ୩୭ ଏକର ଅଂଚଳ । ସେହିପରି ନିୟନ୍ତ୍ରିତ କ୍ଷେତ୍ର ହେଉଛି ୧୩୮ ଏକରରୁ ଅଧିକ । ନାସନାଲ ମନୁମେଂଟ ଅଥରିଟି ଜାରି କରିଥିବା ପ୍ରସ୍ତାବିତ ଉପବିଧି ଉପରେ ଆପତ୍ତି ଓ ପରାମର୍ଶ ମଗାଯାଇଛି । ଜାନୁୟାରୀ ୧୮ରୁ ଏହି ଚିଠା ଉପବିଧି ପ୍ରକାଶ କରାଯାଇଛି  ଏବଂ ଫେବ୍ରୁଆରୀ ୧୮ ମଧ୍ୟରେ ଏ ନେଇ ମତାମତ ଦେବାକୁ ଆହ୍ୱାନ ଦିଆଯାଇଛି । ଏପଟେ ରାଜ୍ୟ ସରକାର ଐତିହ୍ୟ କରିଡର ପାଇଁ ଶ୍ରୀମନ୍ଦିରର ୭୫ ମିଟର ବ୍ୟାସାର୍ଦ୍ଧରେ ଥିବା ଅଂଚଳକୁ ସଫା କରିଛନ୍ତି । ଏବେ ଜାତୀୟ ସ୍ମାରକୀ ପ୍ରାଧିକରଣର ପ୍ରସ୍ତାବିତ ନିୟମାବଳି ଏହି ଯୋଜନାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର