ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ୧୦୦ଟି ସ୍ମାର୍ଟ ସ୍କୁଲକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଭବାନୀପାଟଣା ସହରସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭବାନୀପାଟଣା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଶିବାନୀ ନାଏକ ନିଜର ଅନୁଭୂତି ବଖାଣି ଥିଲେ। ଶିବାନୀ ନିଜ ଅଭିଭାଷଣରେ ତାଙ୍କ ସ୍କୁଲର ୫-ଟି ରୂପାନ୍ତର ଯୋଗୁ ସ୍କୁଲରେ ବିଜ୍ଞାନ ଲାବ୍ ଠାରୁ ଇ-ଲାଇବ୍ରେରି, ଆରଓ ପାଣି ବ୍ୟବସ୍ଥା, ଶୌଚାଳୟ ସମେତ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ସଫଳ ବର୍ତ୍ତମାନ ମୋ ହାତମୁଠାରେ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ତୁମେ ବଡ଼ହେଲେ କ’ଣ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ଶିବାନୀ ଆଇଏଏସ୍ ଅଧିକାରୀ ହେବି ବୋଲି କହିଥିଲେ।
ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାକୁ ଏକ ଶିକ୍ଷା ହବ୍ରେ ପରିଣତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଯୋଗୁ ଆଜି କଳାହାଣ୍ଡି ଜିଲ୍ଲାରେ ସରକାରୀ ଇଂଞ୍ଜିନିୟରିଂ କଲେଜ, ସରକାରୀ କୃଷି ମହାବିଦ୍ୟାଳୟ, ସରକାରୀ ପଲିଟେକ୍ନିକାଲ କଲେଜ ଭଳି ଶିକ୍ଷା ଅନୁଷ୍ଠାନ ହୋଇପାରିଛି। କାର୍ଯ୍ୟକ୍ରମରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ଓ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଉପସ୍ଥିତ ଥିଲେ। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଅନୁପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କେବଳ ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କହିବାକୁ ସୁଯୋଗ ମିଳିଥିଲା। ଏନେଇ ବିଧାୟକମାନଙ୍କ ମଧ୍ୟରେ ଭୃକୁଞ୍ଚନ ଦେଖାଦେଇଥିଲା। ଏପରିକି କଳାହାଣ୍ଡି ଜିଲ୍ଲାର ଅଭିଭାଷଣ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ଅପେକ୍ଷା ନକରି ନର୍ଲା ବିଧାୟକ ମଞ୍ଚରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। ଶେଷ ମୁହୂର୍ତ୍ତରେ କଳାହାଣ୍ଡି ଜିଲ୍ଲାପାଳ ଓ ଲାଞ୍ଜିଗଡ଼ ବିଧାୟକ ତାଙ୍କୁ ବୁଝାସୁଝା କରି ପୁଣି ବସିବାକୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକମାନେ ଭାଷଣ ଦେବାରୁ ବଞ୍ଚିତ ହେବା ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୯ଟି ସ୍ମାର୍ଟ ସ୍କୁଲର ଲୋକାର୍ପଣ ହୋଇଥିଲା। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୧୦୦ଟି ସ୍ମାର୍ଟ ସ୍କୁଲ ଲୋକାର୍ପିତ ହୋଇଥିଲା। ଭବାନୀପାଟଣା ସଦର ବ୍ଲକର କର୍ଲାପଡ଼ା, ବିମ୍ବାଧର ସରକାରୀ ଉଚ୍ଚବିଦ୍ୟାଳୟ, ଦାଦପୁର ଦଧିବାମନ ଉଚ୍ଚବିଦ୍ୟାଳୟ, କାମଠଣା ଦୟାନିଧି ସରକାରୀ ଉଚ୍ଚବିଦ୍ୟାଳୟ, ଗୁରଜୁଙ୍ଗ ସରକାରୀ ଉଚ୍ଚବିଦ୍ୟାଳୟ, ମାଲଗାଁ ସରକାରୀ ଉଚ୍ଚବିଦ୍ୟାଳୟ, ତିଲଯୋଡ଼ି ସରକାରୀ ଉଚ୍ଚବିଦ୍ୟାଳୟ, ଉଦେପୁର ସରକାରୀ ଉଚ୍ଚବିଦ୍ୟାଳୟ, ଘୁଷୁରିଗୁଡ଼ି ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ଥୁଆପଦର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ଭବାନୀପାଟଣା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଶଗଡ଼ା ସରକାରୀ ଉଚ୍ଚବିଦ୍ୟାଳୟ, ସେପୁର ସରକାରୀ ଉଚ୍ଚବିଦ୍ୟାଳୟ, ତଲବେଲଗା ସରକାରୀ ଉଚ୍ଚବିଦ୍ୟାଳୟ, କୁଲିଆମାଲ ସରକାରୀ ଉଚ୍ଚବିଦ୍ୟାଳୟ, ଗଣନାଥପୁର ସରକାରୀ ଉଚ୍ଚବିଦ୍ୟାଳୟ, ବୋର୍ଡ଼ା ସରକାରୀ ଉଚ୍ଚବିଦ୍ୟାଳୟ, ବୋରଭଟ୍ଟା ଶିବପ୍ରସାଦ ସରକାରୀ ଉଚ୍ଚବିଦ୍ୟାଳୟ, ମୁଷିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ, ଧର୍ମଗଡ଼ ବ୍ଲକର ପର୍ଲା ଅନନ୍ତ ପ୍ରସାଦ ଦାସ ନୋଡ଼ାଲ ଉଚ୍ଚବିଦ୍ୟାଳୟଥୁଆମୂଳ ରାମପୁର ବ୍ଲକର ନାକରୁଣ୍ଡି ସରକାରୀ ଉଚ୍ଚବିଦ୍ୟାଳୟ, ଥୁଆମୂଳ ରାମପୁର ସରକାରୀ ଉଚ୍ଚବିଦ୍ୟାଳୟ, କର୍ଲାପାଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ମହୁଲପାଟଣା ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ, ଥୁଆମୂଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମେତ ୧୦୦ଟି ସ୍କୁଲ ଲୋକାର୍ପିତ ହୋଇଛି।