ଚନ୍ଦକା ଅଞ୍ଚଳରେ ଜନଅସନ୍ତୋଷ: କଟାହେବ ଶହ ଶହ ବର୍ଷର ହଜାରେ ଆମ୍ବ ଗଛ

ମେଣ୍ଢାଶାଳ ପୁରୁଣା ଗ୍ରାଣ୍ଡ ଟ୍ରଙ୍କ ରୋଡ୍‌ର ପ୍ରଶସ୍ତୀକରଣ ପାଇଁ ଶହ ଶହ ବର୍ଷର ହଜାରେ ଆମ୍ବ ଗଛ ବଳିପଡ଼ିବେ। ଗଛ କଟାହେବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ପିଡବ୍ଲ୍ୟୁଡି ପକ୍ଷରୁ ଗଛମାନଙ୍କରେ ଚିହ୍ନ ଦିଆ ସରିଗଲାଣି। ଖାଲି କରତ ଲାଗିବା ବାକି ରହିଛି। ଚନ୍ଦକାରୁ ଛତାବର ପର୍ଯ୍ୟନ୍ତ ରାସ୍ତା କଡ଼ରେ ମୁଣ୍ଡ ଟେକି ରହିଥିବା ଏହି ଶହ ଶହ ବର୍ଷର ଆମ୍ବଗଛ କଟ‌ା ହେବା ନିଶ୍ଚିତ ହେବା ପରେ ଏ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ଭିନ୍ନ ମାର୍ଗ ଥିବା ସତ୍ବେ ଗଛଗୁଡ଼ିକ କାଟିବା ଦରକାର ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏବେ ପାଣିଓରାରୁ ଚନ୍ଦକା ପର୍ଯ୍ୟନ୍ତ ଏହି ରାସ୍ତାର ଦୁଇ କଡ଼ରେ ପ୍ରାୟ ଏକ ହଜାରରୁ ଅଧିକ ଆମ୍ବ ଗଛ ରହିଛି। ବ୍ରିଟିଶ ଅମଳର ଏହି ଗଛଗୁଡ଼ିକର ବୟସ ପାଖାପାଖି ଦୁଇ ଶହ ବର୍ଷ ହେବ ବୋଲି ସ୍ଥାନୀୟ ବୟସ୍କ ବ୍ୟକ୍ତିମାନେ କହନ୍ତି। ଅନେକ ଏହାକୁ ଶେର ଶାହାଙ୍କ ଅମଳର ଗଛ ବୋଲି କହିଥାନ୍ତି। ତେଣୁ କାହିଁ କେ‌ଉଁ ଅମଳରୁ ବଞ୍ଚି ରହିଥିବା ଏହି ଆମ୍ବ ଗଛକୁ ନେଇ ସ୍ଥାନୀୟ ଲୋକେ ଗର୍ବ କରନ୍ତି। ଏବେ ବି ଗଛଗୁଡ଼ିକ ପ୍ରଚୁର ଫଳ ଦିଅନ୍ତି। ମାତ୍ର ରାସ୍ତା ପ୍ରଶସ୍ତୀକରଣ ନଁାରେ ଏବେ ବଡ଼ ନିର୍ଦୟଭାବେ ଏହି ଗଛଗୁଡ଼ିକୁ କାଟିବାକୁ ଯୋଜନା କରାଯାଇଛି। ପିଡବ୍ଲ୍ୟୁଡି ପକ୍ଷରୁ ଗଛଗୁଡ଼ିକ‌ରେ ମାର୍କିଂ କରାଯାଇଛି। ତେଣୁ ଖୁବ୍‌ଶୀଘ୍ର ଗଛଗୁଡ଼ିକୁ କାଟି ଦିଆଯିବ ବୋଲି ସ୍ପଷ୍ଟ ହୋଇଗଲାଣି।
ଏେନଇ ଚନ୍ଦକା ଡିଏଫ୍ଓ କେଦାର କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ସବୁ ଗଛ କଟାଯିବାକୁ ଅନୁମତି ଦିଆଯାଇନାହିଁ। ରାସ୍ତା ପ୍ରଶସ୍ତୀକରଣ ପାଇଁ ନିହାତି ଦରକାର ପଡ଼ୁଥିବା ଗଛ କଟାଯିବ। ଅଧିକ ପରିମାଣର ପୁରୁଣା ଗଛଗୁଡ଼ିକ ଯେମିତି ବଞ୍ଚାଇ ହେବ, ସେଥିପ୍ରତି ଧ୍ୟାନ ଦେବାକୁ ୱାର୍କସ୍‌ ବିଭାଗକୁ ନିର୍ଦେଶ ରହିଛି। ତେଣୁ ବାରମ୍ବାର ମିଳିତ ସର୍ଭେ କରାଯାଉଛି ଓ ଚୂଡ଼ାନ୍ତ ରିପୋର୍ଟ ପାଇବା ପରେ ଗଛ କାଟିବାକୁ ଅନୁମତି ଦିଆଯିବ। ଏବେ ଗଛ କଟାଯିବ ନାହିଁ ବୋଲି ସେ କହିଥିଲେ। ସେହିଭଳି ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ମିଶ୍ରଙ୍କ କହିବା କଥା ଯେ ବହୁତ ଗଛ ବଞ୍ଚାଇବାକୁ ଉଦ୍ୟମ ଜାରି ରହିଛି। ମାର୍କିଂ କାମ ସରିଥିଲେ ବି ଗଛ କଟା ହେବା ଚୂଡ଼ାନ୍ତ ହୋଇନାହିଁ।
ସୂଚନାଯୋଗ୍ୟ ଯେ ଏହି ରାସ୍ତା ପ୍ରଶସ୍ତୀକରଣରେ ଜମି ଅଧିଗ୍ରହଣ ହିଁ ସବୁଗଛମାନଙ୍କୁ ବଞ୍ଚାଇ ରଖିବାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ରାସ୍ତା କଡ଼ର ମୂଲ୍ୟବାନ ଜମି ଲୋକେ ଛାଡ଼ୁ ନଥିବାରୁ ଅନେକ ସ୍ଥାନରେ ସମସ୍ୟା ମୁଣ୍ଡ ଟେକୁଛି। ଏମିତିକି ରାସ୍ତା ପ୍ରଶସ୍ତୀକରଣ ପରେ ବନ ବିଭାଗ ସେହି ପରିମାଣର ନୂଆ ଗଛ କେଉଁଠି ଲଗାଇବ ବୋଲି ଚିନ୍ତା ପଡ଼ିଲାଣି। ତେଣୁ ପୁରୁଣା ଗଛ ହରାଇବା ପରେ ନୂଆ ଗଛ କ୍ଷତି ଭରଣା କରିବା ଆଶା କ୍ଷୀଣ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର