ଶହେ ବର୍ଷ ତଳେ ଆସିଥିଲେ….ମହାତ୍ମାଙ୍କୁ ମନେପକାଉଛି କଟକ ମାଟି

କଟକ: ଠିକ ଶହେ ବର୍ଷ ତଳେ କଟକ ମାଟିରେ ପାଦ ଦେଇଥିଲେ ସାବରମତୀର ସନ୍ଥ, ଗାନ୍ଧୀ ମହାତ୍ମା। ସେଦିନ ଥିଲା ୧୯୨୧ ମସିହା, ମାର୍ଚ୍ଚ ୨୩ ତାରିଖ। ପୁରୀଘାଟ ନିକଟ କାଠଯୋଡ଼ି ବାଲିରେ ସେଦିନ ଗାନ୍ଧିଜୀଙ୍କ ସମାବେଶ ଇତିହାସ ପୃଷ୍ଠାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ଥିଲା। ସେହି ଗସ୍ତ ସମୟରେ ଗାନ୍ଧିଜୀ କଟକରେ ରାତ୍ରିଯାପନ କରିଥିଲେ। ସ୍ବରାଜ ଆଶ୍ରମରେ ରହିଥିଲେ। କଦମରସୁଲ୍ ଯାଇଥିଲେ। ମହିଳାମାନଙ୍କୁ ଉଦବୋଧନ ଦେଇଥିଲେ। ଆଉ ସ୍ବାଧୀନତା ଆନ୍ଦୋଳନ ପାଇଁ ମହିଳାମାନେ ଗାନ୍ଧିଜୀଙ୍କ ନିକଟରେ ସୁନାଗହଣା କାଢି ସମର୍ପି ଦେଇଥିଲେ। କଟକମାଟିରେ ସ୍ବାଧୀନତା ପାଇଁ ଆନ୍ଦୋଳନର ବୀଜ ବୁଣି ଥିଲେ। ସେହି ଗସ୍ତ ସମୟରେ ଗାନ୍ଧିଜୀ ଏଭଳି ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧୁ ନଥିଲେ କି ଫୁଙ୍ଗୁଳା ଦେହରେ ବୁଲୁ ନଥିଲେ। ବାଡ଼ି ବି ଧରୁ ନଥିଲେ। କୁହାଯାଏ କଟକ ଗସ୍ତ ଆଉ ଓଡ଼ିଶାର ଗରିବୀ ତାଙ୍କୁ ପରବର୍ତ୍ତୀ ସମୟରେ ଆଣ୍ଠୁ ଲୁଚୁ ନଥିବା ଲୁଗା ପିନ୍ଧିବା, ଫୁଙ୍ଗୁଳା ଦେହରେ ଫକିର ଭଳି ବାଡ଼ି ଧରି ବୁଲିବାକୁ ପ୍ରୋତ୍ସାହିତ କରିଥିଲା। ପରବର୍ତ୍ତୀ ସମୟରେ ପାଞ୍ଚ ଥର କଟକ ମାଟି ଛୁଇଁଛନ୍ତି ଗାନ୍ଧିଜୀ। କିନ୍ତୁ ତାଙ୍କର ସେହି ପ୍ରଥମ କଟକ ଆଉ ଓଡ଼ିଶା ଗସ୍ତ ସ୍ବାଧୀନତା ଆନ୍ଦୋଳନ ଆଉ ଗାନ୍ଧୀରୂପ ଧାରଣର ଇତିହାସରେ ଯୁଗଯୁଗକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଛି।

Sambad

ଉଦ୍‌ଘାଟନ ହେବ ସ୍ବାଧୀନତା ସଂଗ୍ରାମୀ ଗୃହ : ଗାନ୍ଧୀଙ୍କ ଓଡ଼ିଶା ଅ‌ାଗମନର ଶତବାର୍ଷିକୀ ଉପଲକ୍ଷେ ସାହେବଜାଦା ବଜାରସ୍ଥିତ ସ୍ବରାଜ ଆଶ୍ରମକୁ ଆଲୋକମାଳାରେ ପ୍ରଶାସନ ପକ୍ଷରୁ ସଜ୍ଜା ଯାଇଛି। ଏହି ଅବସରରେ ଆସନ୍ତାକାଲି ଏଠାରେ ନବନିର୍ମିତ ସ୍ବାଧୀନତା ସଂଗ୍ରାମୀ ଗୃହକୁ ଉଦ୍‌ଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି।

ବନ୍ଦ୍‌ ହେଇ ଯାଇଛି ୭ ଦିନିଆ ପ୍ରଦର୍ଶନୀ: ୧୯୩୪ ମେ ୧୫ ତାରିଖରେ ଗାନ୍ଧିଜୀ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ଗୋଟିଏ ରାତି ତେଲେଙ୍ଗାପେଣ୍ଠ ନିକଟରେ ଅଟକି ଥିଲେ। ଦଶହରା ପଡ଼ିଆରେ ଥିବା ଏକ ବରଗଛମୂଳେ ରାତି କଟାଇଥିଲେ। ଗାନ୍ଧୀଙ୍କ ସ୍ମୁତି ଉଦ୍ଦେଶ୍ୟରେ ପରବର୍ତ୍ତୀ ପର୍ଯ୍ୟାୟରେ ଗାନ୍ଧୀ ସ୍ମୁତି ପୀଠ ପରିଚୟ ପାଇଥିବା ଏହି ସ୍ଥାନରେ ଜାନୁଆରି ୩୦ ତାରିଖ ଗାନ୍ଧୀଙ୍କ ମହାପ୍ରୟାଣ ଦିବସଠାରୁ ଏକ ୫ ଦିନିଆ ପ୍ରଦର୍ଶନୀ କୃଷି ବିଭାଗ ପକ୍ଷରୁ ଆୟୋଜିତ ହେଉଥିଲା। ପ୍ରଥମେ ୫ ଦିନ ଓ ପରେ ୭ ଦିନକୁ ଏହା ବୃଦ୍ଧି ପାଇଥିଲା। ବାଙ୍କୀ, କନ୍ଦପୁର, ନୟାଗଡ଼ର ଖଣ୍ତପଡ଼ା ଇତ୍ୟାଦି ଅଞ୍ଚଳରୁ ଚାଷୀ ପନିପରିବା ଓ ଫଳମୂଳ ଆଣି ଏଠାରେ ପ୍ରଦର୍ଶନ କରୁଥିଲେ। ଏହାବାଦ୍‌ ହସ୍ତତନ୍ତ ସାମଗ୍ରୀ ବି ପ୍ରଦର୍ଶନ କରାଯାଉଥିଲା। କ˚ଗ୍ରେସ ସରକାରଙ୍କ ସମୟରେ ଏହି କାର୍ଯ୍ୟକ୍ରମ ବଡ଼ ଆକାରରେ ଆୟୋଜିତ ହେଉଥିଲା। ଏହି କାର୍ଯ୍ୟକ୍ରମ ପାଇଁ ଗଠନ କରାଯାଇଥିବା ଏକ କମିଟିରେ ଜିଲ୍ଲାପାଳ ସଭାପତି ଏବ˚ କଟକ ସଦର ବ୍ଲକ ବିଡିଓ ସମ୍ପାଦକ ଥିଲେ। ତେଲେଙ୍ଗାପେଣ୍ଠ ଅଞ୍ଚଳ ସିଏମସି ଅଧିନକୁ ଆସିବା ପରେ ଜିଲ୍ଲାପାଳ ସଭାପତି ଓ ସିଏମ୍‌ସି କମିସିନର ସମ୍ପାଦକ ହେଲେ। କିନ୍ତୁ କାର୍ଯ୍ୟକ୍ରମ ପାଇଁ ଆନ୍ତରିକତାର ଅଭାବ ରହିଲା। ପ୍ରାୟ ୧୦ରୁ ୧୨ ବର୍ଷ ହେବ ଏହି ପ୍ରଦର୍ଶନୀ ବନ୍ଦ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ରଖନ୍ତି। ଏବେ କେବଳ ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଜିଲ୍ଲା ପ୍ରଶାସନ ପତକା ଉତ୍ତୋଳନରେ କାର୍ଯ୍ୟକ୍ରମକୁ ସୀମିତ କରିଦେଇଛି।

Sambad

କୃଷ୍ଣମୂର୍ତ୍ତି ୱାର୍ଲଡ୍ ସ୍କୁଲରେ ରାଜ୍ୟର ସର୍ବୋଚ୍ଚ ୯ ଫୁଟ୍‌ର ଗାନ୍ଧୀ ମୂର୍ତ୍ତି- ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତିକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଯାଉଛି କୃଷ୍ଣମୂର୍ତ୍ତି ୱାର୍ଲଡ ସ୍କୁଲ। ଜରିପଡା ସ୍ଥିତ ସ୍କୁଲ ପରିସରରେ ୯ ଫୁଟ୍ ଉଚ୍ଚର ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥାପନ ହେବାକୁ ଯାଉଛି। ଧ୍ୟାନମୁଦ୍ରାରେ ଥିବା ଏହି ପ୍ରତିମୂର୍ତ୍ତି ରାଜ୍ୟର ସର୍ବୋଚ୍ଚ ଗାନ୍ଧୀ ମୂର୍ତ୍ତି ବୋଲି କୁହାଯାଉଛି। କଟକ ଶିଳ୍ପୀ କୁମ୍ଭାର ସାହିର ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଶିଳ୍ପୀ ଲକ୍ଷ୍ମୀଧର ମୁଦୁଲି, ତାଙ୍କର ସହଯୋଗୀ ନାରାୟଣ ମୁଦୁଲିଙ୍କ ଦ୍ବାରା ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଆସନ୍ତା ୩୧ ତାରିଖରେ ରାଜ୍ୟପାଳଙ୍କ ଦ୍ବାରା ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଏଭଳି ପଦକ୍ଷେପ କେବଳ ଛାତ୍ରଛାତ୍ରୀ ନୁହନ୍ତି ସମସ୍ତ ଓଡ଼ିଆଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ସ୍କୁଲର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାଶ ଆଶାବ୍ୟକ୍ତ କରିଛନ୍ତି।

ବିକି ଦେଲେ ଅରଟ.. ୧୯୯୩ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥାନ୍ତି ବିଜୁ ପଟ୍ଟନାୟକ। ସେହି ବର୍ଷ ଜାନୁଆରି ୩୦ ତାରିଖରେ ଗାନ୍ଧୀ ସ୍ମୁତି ପୀଠ ପରିସରରେ ଏକ ପଶମ ଗାଲିଚା ବୟନ ତାଲିମ କେନ୍ଦ୍ର ସ୍ଥାପନ ହୋଇଥିଲା। ସେଚ ଓ ସ˚ସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ ମହାପାତ୍ର ଓ ବିଧାୟକ ରାଜେନ୍ଦ୍ର ସି˚ହଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ପ୍ରାୟ ୩୦ଟି ଅରଟ ମେସିନ୍‌ ପଡ଼ିଥିଲା। ବିହାରରୁ ଆସିଥିବା ପ୍ରାୟ ୬ରୁ ୭ ଜଣ ମିସ୍ତ୍ରି ସ୍ଥାନୀୟ ମହିଳାଙ୍କୁ ଗାଲିଚା, ପା ପୋଛା, ଚାନ୍ଦୁଆ ଇତ୍ୟାଦି ତାଲିମ ଦେଉଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ଏହି ବୟନ କେନ୍ଦ୍ର ପରିଚାଳିତ ହେଉଥିଲା। ତେଲେଙ୍ଗାପେଣ୍ଠ ସମେତ ସ୍ଥାନୀୟ ନଚ୍ଛିପୁର, ବଢେଇ ସାହି, କୋଠସାହି, ଫୁଲନଖରାର ପ୍ରାୟ ୧୫୦ ମହିଳା ଦୈନିକ ତାଲିମ ନେଉଥିଲେ। ସକାଳ ୬ଟାରୁ ଦିନ ୧୨ଟା ଏବ˚ ଦିନ ୨ଟାରୁ ୫ଟା ଯାଏ ଦୁଇଟି ପର୍ଯ୍ୟାୟରେ ତାଲିମ ଦିଆଯାଉଥିଲା। ତାଲିମ ନେଉଥିବା ସ୍ଥାନୀୟ ଗରିବ ଶ୍ରେଣୀୟ ମହିଳାମାନଙ୍କୁ ମାସିକ ଷ୍ଟାଇପେଣ୍ତ ବି ପ୍ରଦାନ କରାଯାଉଥିଲା। ସେମାନଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ବଜାରରେ ବିକ୍ରି କରୁଥିଲା। ୨୦୧୧ ଜାନୁଆରି ୩୦ ତାରିଖରେ ଉକ୍ତ କେନ୍ଦ୍ରକୁ ସିଏମ୍‌ସି ପକ୍ଷରୁ ନବୀକରଣ କରାଯାଇଥିଲା। ସେତେବେଳେ କଟକ ସଦର ବିଧାୟକ ଥାନ୍ତି କାଳନ୍ଦୀ ବେହେରା। ତା’ ପରଠାରୁ ଏହି କେନ୍ଦ୍ର ସମ୍ପୂର୍ଣ୍ଣ ଅକାମି ହୋଇପଡ଼ିଥିବା କୁହାଯାଉଛି। ଅରଟ ମେସିନ ନିଲାମ କରି ଦିଆଯାଇଥିବା ବେଳେ ଏବେ ସେହି ଘରେ ତାଲି ଝୁଲୁଛି। ଏକ ଘରୋଇ ସ୍କୁଲ ଏହି କୋଠାରେ କିଛି ବର୍ଷ ଚାଲିଥିଲା। ପରେ ସ୍କୁଲ ଅନ୍ୟତ୍ର ସ୍ଥାନାନ୍ତର ପରେ ତାଲା ପଡ଼ିଲା। ଅମୃତ ଯୋଜନାରେ ଏବେ ଗାନ୍ଧି ସ୍ମୁତି ପୀଠରେ ଚାଲିଥିବା ପାର୍କ ନିର୍ମାଣ କାମ ପାଇଁ ଠିକାଦାର ସେହି ଘରକୁ କବଜାରେ ରଖିଛନ୍ତି। ଘର ଭିତରେ ସିମେଣ୍ଟ ଓ ଅନ୍ୟାନ୍ୟ ଆବର୍ଜନା ଗଦା ହୋଇଥିବା ବେଳେ ଦୁଇ ବର୍ଷ ହେବ ଠିକାଦାର ପାର୍କ କର୍ମଚାରୀଙ୍କୁ ଚାବି ଦେଇ ନଥିବା କୁହାଯାଉଛି।

ପୁରୁଣା ଜେଲ୍‌ ପରିସରରେ ସାତ ଦିନିଆ ପ୍ରଦର୍ଶନୀ- ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଅବସରରେ ଦରଘା ବଜାରସ୍ଥିତ ପୁରୁଣା ଜେଲ ପଡ଼ିଆରେ ଏକ ପ୍ରଦର୍ଶନୀ ଉଦ୍‌ଘାଟନ ହୋଇଯାଇଛି। ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା, ରାଷ୍ଟ୍ରୀୟ ଯୁବା ସଂଗଠନ, କସ୍ତୂରବା ଟ୍ରଷ୍ଟ ରାଜ୍ୟ ସ୍ବାଧୀନତା ସଂଗ୍ରାମ ସମିତି ପକ୍ଷରୁ ଏହା ଆୟୋଜନ କରାଯାଇଛି। ପ୍ରଦର୍ଶନୀରେ ଗାନ୍ଧୀଙ୍କ ଚିଠିପତ୍ର, ବ୍ୟବହୃତ ସାମଗ୍ରୀ ଓ ଫଟୋଚିତ୍ରର ସ୍ଥାନ ପାଇଛି। ଉକ୍ତ ପ୍ରଦର୍ଶନୀ ମାର୍ଚ୍ଚ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ସ୍ବାଧୀନତା ସଂଗ୍ରାମ ସ୍ମାରକୀ ଭବନ ତଥା ପୁରାତନ କଟକ ଜେଲ୍‌ର ୱାର୍ଡ ନଂ-୧୫କୁ ସଜାଯିବା ସହିତ ଗାନ୍ଧୀ ଅରଟରେ ସୂତା କାଟୁଥିବାର ଫ‌ଟୋ ଚିତ୍ର ରଖାଯାଇଛି। ପ୍ରଦର୍ଶନୀରେ ୧୮୭୬ରୁ ୧୯୪୮ ବର୍ଷ ମଧ୍ୟରେ ଗାନ୍ଧୀଙ୍କ ୧୮ଟି ବିଭିନ୍ନ ବୟସର ଫଟୋ ରଖାଯାଇଛି। ସେହିପରି ଗାନ୍ଧୀଙ୍କ ଛାତ୍ର ଜୀବନ, ଛୋଟ ଛୋଟ ପିଲାଙ୍କ ସହିତ ଗାନ୍ଧୀଙ୍କ ଫଟୋ, ଗାନ୍ଧୀଙ୍କ ଶେଷଯାତ୍ରା ଆଦି ଘଟଣାକୁ ଫଟୋ ଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଛି।

କେବେ ଆସିଥିଲେ ଗାନ୍ଧୀ…:  ‘ଓଡ଼ିଶାରେ ଗାନ୍ଧୀ’ ନାମକ ଏକ ଫଟୋ ଚିତ୍ରରେ ଗାନ୍ଧୀ ଓଡ଼ିଶାକୁ କେବେ ଓ କେଉଁ କେଉଁ ସ୍ଥାନକୁ ଆସିଛନ୍ତି ତାହାର ତଥ୍ୟ ରହିଛି। ୧୯୨୧, ୧୯୨୫, ୧୯୨୭, ୧୯୨୮, ୧୯୩୪ରେ ଦୁଇ ଥର, ୧୯୩୮ ଓ ୧୯୪୬ ଏପରି ମୋଟ ୭ଥର ଓଡ଼ିଶାକୁ ଆସିଥିବା ବେଳେ କେଉଁ କେଉଁ ସ୍ଥାନ ବୁଲିଛନ୍ତି ତାହାର ସୂଚନା ଦିଆଯାଇଛି।

ଗାନ୍ଧୀଙ୍କ ବକ୍ତବ୍ୟ ଓ ଚିଠି : ଓଡ଼ିଶାର ବ୍ରହ୍ମପୁରରେ ମହିଳାଙ୍କ ସଭାରେ ଗାନ୍ଧିଜୀ ଦେଇଥିବା ଭାଷଣ, କଟକର କଦମ ରସୁଲରେ ଭା‌ଷଣ, କଟକ କାଠଯୋଡି ବାଲି ସଭାର ଭାଷଣ, ପୁରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ, କଟକ କୁଷ୍ଠାଶ୍ରମ ଗସ୍ତର ସୂଚନା ଏଥିରେ ଦିଆଯାଇଛି। ଏହା ସହିତ ଏଠାରେ ପଣ୍ଡିତ ଗୋପବନ୍ଧୁ ଦାସ, ଅନ୍ନପୂର୍ଣ୍ଣା ମହାରଣାଙ୍କୁ ଗାନ୍ଧୀ ଲେଖିଥିବା ପତ୍ରକୁ ପ୍ରଦର୍ଶନ କରାଯାଇଛି।

କୁଷ୍ଠାଶ୍ରମକୁ ଗାନ୍ଧୀଜୀ ଆସିଥିଲେ ଦୁଇ ଥର:  ଜାତିର ପିତା ମହତ୍ମା ଗାନ୍ଧୀଙ୍କ କଟକ ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ ହେଉଛି ମାର୍ଚ୍ଚ ୨୩ ତାରିଖରେ। ପ୍ରଥମ ଥର କଟକ ଆସିଥିବା ବେଳେ ଗାନ୍ଧୀ ମହାତ୍ମା ନୂଆ ବଜାର ପୋତାପୋଖରୀସ୍ଥିତ କୁଷ୍ଠାଶ୍ରମକୁ ଯାଇ ନଥିଲେ। କିନ୍ତୁ ପରବର୍ତ୍ତି ସମୟରେ ଦୁଇ ଦୁଇ ଥର ଗାନ୍ଧିଜୀ କୁଷ୍ଠାଶ୍ରମକୁ ପରିଦର୍ଶନରେ ଆସିଥିଲେ। ପ୍ରଥମେ ଗାନ୍ଧିଜୀ ୧୯୨୫, ଅଗଷ୍ଟ ୨୦ ତାରିଖ ଦିନ କଟକ ରେଳ ଷ୍ଟେସନରୁ ଚାଲି ଚାଲି ପୋତାପୋଖରୀ କୁଷ୍ଠାଶ୍ରମକୁ ଯାଇ ଏକ ସଭା କରିଥିଲେ। ତାଙ୍କ ସହ ଓଡିଶାର ବହୁ ସ୍ୱାଧୀନତା ସଂଗ୍ରାମୀ ସାମିଲ ହୋଇଥିବା ବେଳେ ଦ୍ୱିତୀୟ ଥର ସେ ୧୯୨୭, ଡିସେମ୍ବର ୨୧ ତାରିଖରେ କଟକ ରେଳ ଷ୍ଟେସନରୁ ପଦଯାତ୍ରାରେ କୁଷ୍ଠାଶ୍ରମକୁ ଯାଇଥିଲେ। ତାଙ୍କ ସହିତ ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ ପ୍ରମୁଖ କୁଷ୍ଠାଶ୍ରମକୁ ଯାଇ କୁଷ୍ଠ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଭେଟି ଥିଲେ। ଗାନ୍ଧିଜୀ ସେ ସମୟରେ ଯେଉଁ ନିମ ଗଛ ମୂଳରେ ବସିଥିଲେ, ବର୍ତ୍ତମାନ ସେଠାରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ସେହି ନିମ ଗଛଟି ଏବେ ଉପୁଡି ପଡିଛି। ଦୁଇ ଥର ଯାକ ଗାନ୍ଧିଜୀ ସକାଳୁ ସଂଧ୍ୟା ଯାଏ କୁଷ୍ଠାଶ୍ରମରେ ରହି ରୋଗୀ ମାନଙ୍କ ସହିତ ସୁଖଦୁଃଖ ହୋଇଥିଲେ। ତାଙ୍କୁ  ଦେଖା କରିବାକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ରୋଗୀ ମାନେ ସେହି ସମୟରେ ଆଶ୍ରମକୁ ଆସି ଭିଡ କରୁଥିଲେ। ସୂଚନାଯୋଗ୍ୟ ଯେ ୧୯୧୯ ମସିହାରେ କୁଷ୍ଠ ରୋଗୀଙ୍କ ପାଇଁ ମହାନଦୀ କୂଳରେ ଏହି ସେବାଶ୍ରମ ତିଆରି ହୋଇଥିଲା। ଆଶ୍ରମ ପ୍ରତିଷ୍ଠାର ୬ ବର୍ଷ ପରେ ଗାନ୍ଧିଜୀ ସେଠାକୁ ଆସି କୁଷ୍ଠ ରୋଗୀଙ୍କୁ କିପରି ସେବା ଯୋଗାଇ ହେବ ଏବଂ ଲୋକଙ୍କ ମନ ଭିତରୁ ରୋଗୀ ମାନଙ୍କ ପ୍ରତି ଘୃଣା ଭାବ କିପରି ଦୂର ହେବ ସେ ସମ୍ପର୍କରେ ଉଦ୍ୟମ କରିଥିଲେ। ଗାନ୍ଧିଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ବସ୍ତିର ନାମ ଗାନ୍ଧିପଲ୍ଲୀ ବି ରଖାଯାଇଛି।

ସମ୍ବନ୍ଧିତ ଖବର