ବିହାର ବିଧାନସଭାରୁ ଆସିଲା ୧୦୦ ବର୍ଷର ପୁରୁଣା ନଥି

ତାମିଲନାଡ଼ୁରୁ ବି ନଥି ଆସିବ

ଭୁବନେଶ୍ବର, : ୧୯୨୨ ମସିହାରେ ତତ୍କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ବନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଆସିଛି। ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇଛି। ଏପରି ଗୁରୁତ୍ବପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ ଓ ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାଠାରୁ ବିଧାୟକମାନଙ୍କ ବିବରଣୀ ରହିଛି। ତତ୍କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା। ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ ଆସି ଏହି ତଥ୍ୟ ଖୋଜି ନପାଇବା ପରେ ନଥିପତ୍ର ସଂଗ୍ରହ କରିବାକୁ ବିଧାନସଭା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେବେଠାରୁ ଏହି ନଥି ସଂଗ୍ରହ ଉଦ୍ୟମ ଜାରି ରହିଥିଲା।

୨୦୦୧ ମସିହାରେ ସାମ୍ବାଦିକ ଶ୍ରୀ ଦାଶ ତତ୍କାଳୀନ ବିଧାନସଭା ବାଚସ୍ପତି ଶରତ କୁମାର କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍କାଳୀନ ସଚିବ ଜଗଦୀଶ ପ୍ରସାଦ ଦାଶ ଜନୈକ କର୍ମଚାରୀ ରବି ନାରାୟଣ ମିଶ୍ରଙ୍କୁ ଏଥିପାଇଁ ପାଟନା ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଲୋକସଭାର ତତ୍କାଳୀନ ବାଚସ୍ପତି ସ୍ବର୍ଗତ ରବି ରାୟଙ୍କ ସହ ସାମ୍ବାଦିକ ଶ୍ରୀ ଦାଶ ଯୋଗାଯୋଗ କରିଥିଲେ ମଧ୍ୟ ବିହାରରୁ କୌଣସି କାଗଜପତ୍ର ଆସିପାରିନଥିଲା। ୨୦୨୧ରେ ପୁନଶ୍ଚ ଓଡ଼ିଶା ବିଧାନସଭାର ତତ୍କାଳୀନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶିବ ପ୍ରସାଦ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦେଇଥିଲେ। ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ଏ ସମ୍ପର୍କରେ ବିହାର ବିଧାନସଭା ସହ ଯୋଗାଯୋଗ କରିଥିଲେ ଏବଂ ସଚିବ ଶ୍ରୀ ଶତପଥୀ ନଥିପତ୍ର ସମ୍ପର୍କରେ ବିହାର ବିଧାନସଭା ସଚିବଙ୍କୁ ଚିଠି ଲେଖିଥିଲେ। ଗବେଷଣା ଅଧିକାରୀ ଜୟକୃଷ୍ଣ ପ୍ରଧାନ ଓ ସ୍ବତନ୍ତ୍ର କାର୍ଯ୍ୟକାରୀ ଅଧିକାରୀ (ଗବେଷଣା) ଅମୂଲ୍ୟ କୁମାର ସ୍ବାଇଁଙ୍କୁ ଏଥିନିମନ୍ତେ ବିହାରର ରାଜଧାନୀ ପାଟନା ପଠାଯାଇଥିଲା। ଶ୍ରୀ ପ୍ରଧାନ ଓ ଶ୍ରୀ ସ୍ବାଇଁ ପାଟନାରେ ରହି ବିହାର ବିଧାନ ପରିଷଦରେ ଉପଲବ୍ଧ ବିବରଣୀ ସହ ବିଭିନ୍ନ ତଥ୍ୟ ସଂଗ୍ରହ କରି ଓଡ଼ିଶା ଫେରିଲେ। ଏହା ଫଳରେ ଓଡ଼ିଶା ବିଧାନସଭାକୁ ୧୦୦ ବର୍ଷ ତଳର ପୁରୁଣା ନଥି ପହଞ୍ଚିପାରିଛି।

ପ୍ରକାଶଯୋଗ୍ୟ ଯେ, ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସିରେ ସ୍ବର୍ଗତ ମହରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ଓଡ଼ିଶା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ତାମିଲନାଡ଼ୁ ବିଧାନସଭା ସହ ମଧ୍ୟ ଓଡ଼ିଶା ବିଧାନସଭା ପକ୍ଷରୁ ଯୋଗାଯୋଗ କରାଯାଇଛି। ତେଣୁ ବିଭିନ୍ନ ତଥ୍ୟ ଓଡ଼ିଶା ବିଧାନସଭାକୁ ତାମିଲନାଡ଼ୁରୁ ଆସିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି।

ସମ୍ବନ୍ଧିତ ଖବର