ଓୟୁଏଟିରେ ୧୦୦୦ କୁକୁଡା ମାରିଲା ରାପିଡ ରେସପନ୍ସ ଟିମ୍; ଗଭୀର ଗାତ କରି ମଲାକୁକୁଡା ପୋତାଗଲା

ଭୁବନେଶ୍ବର:  ବାର୍ଡ ଫ୍ଲୁ ଭୂତାଣୁର ଆତଙ୍କ ଭିତରେ ଆଜି ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ୧୦୦୦ରୁ ଅଧିକ କୁକୁଡାଙ୍କୁ  ମାରିଦିଆଯାଇଛି । କୁକୁଡାଗୁଡିକୁ ମରାଯାଇ ବଡ ବଡ ଗାତ ଭିତରେ ପୋତିଦିଆଯାଇଛି । ୧୨ଟି ରାପିଡ୍ ରେସପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି । ବଳକା ୫ଟି ଟିମ୍ ଓୟୁଏଟିର ୧ କିଲୋମିଟର ନୀରିକ୍ଷଣ ଅଂଚଳରେ ଭୂତାଣୁ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜଧାନୀରେ କେବଳ ଓୟୁଏଟିରେ ଥିବା କୁକୁଡା, ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି ଏବଂ ପ୍ରଥମ ଦିନରେ ସମସ୍ତ ସଂକ୍ରମିତ କୁକୁଡାକୁ ମାରି ପୋତି ଦିଆଯାଇଛି।

ଆଜି ସକାଳେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ପୋଷାକ ସହ ମୁହଁରେ ମାସ୍କ ଲଗାଇ ରାପିଡ୍ ରେସପନ୍ସ ଟିମ୍ କୁକୁଡା ଗବେଷଣା କେନ୍ଦ୍ରରେ ପହଞ୍ଚିଥିଲେ । ଏହାପରେ ଆରମ୍ଭ ହୋଇଥିଲା କୁକୁଡାମରା ଅଭିଯାନ । ଓୟୁଏଟି ପରିସରରେ ପ୍ରଥମେ ବଡ ବଡ ଗାତ ଖୋଳାଯାଇଥିଲା । ଏହାପରେ ମରା ଯାଇଥିବା କୁକୁଡାଙ୍କୁ ସେହି ଗଭୀର ଗାତରେ ପୋତାଯାଇଥିଲା । ଓୟୁଏଟିରେ ଦେଢ ହଜାର କୁକୁଡା ରହିଥିବା ବେଳେ ସେଥିମଧ୍ୟରୁ ଅନେକ ବାର୍ଡ ଫ୍ଲୁ ଭୂତାଣୁରେ ମରିଯାଇଥିଲେ । ବଳକା କୁକୁଡାଙ୍କୁ ମାରି ମାଟିରେ ପୋତି ଦିଆଯାଇଛି।

ଓୟୁଏଟି ପରିସରରୁ ୧ କିଲୋମିଟର ଅଂଚଳକୁ ନିରୀକ୍ଷଣ ଅଂଚଳ ଭାବେ ଘୋଷଣା କରାଯାଇଥିବା ବେଳେ ୫ଟି ରାପିଡ୍ ରେସପନ୍ସ ଟିମ୍ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଘରକୁ ଘର ବୁଲି ଯେଉଁମାନେ କୁକୁଡା ରଖିଥିଲେ ସେଗୁଡିକ ମାରିବାର ବ୍ୟବସ୍ଥା କରିଛନ୍ତି । ଏଥିସହ ନିୟମିତ ବ୍ୟବଧାନରେ କୁକୁଡାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ  କରି ପରୀକ୍ଷା ପାଇଁ ପଠାଇଛନ୍ତି ।

ସମ୍ବନ୍ଧିତ ଖବର