ତିତ୍‌ଲି ମୃତ୍ୟୁସଂଖ୍ୟା ୬୧ : ହଜାରେ କୋଟି ମାଗିଲା ରାଜ୍ୟ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରିଲିଫ୍ ଓ ଥଇଥାନ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରକୁ ଏକ ହଜାର କୋଟି ଟଙ୍କାର ଅନ୍ତରୀଣ ସହାୟତା ମାଗିଛି ରାଜ୍ୟ। ଏ ନେଇ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ‌େଲଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ପ୍ରାଥମିକ ଆକଳନ ଭାବେ କ୍ଷୟକ୍ଷତିର ପରିମାଣ ୨୭୭୦.୨୮ କୋଟି ବୋଲି ଦର୍ଶାଯାଇଛି। ଏହି ଅନ୍ତରୀଣ ସହାୟତା ସହ ବାତ୍ୟା‌ ଓ ବନ୍ୟାରେ ଭାଙ୍ଗିଯାଇଥିବା ୫୭,୧୩୧ଟି ବାସଗୃହକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ଆବଣ୍ଟନ ପାଇଁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ବାତ୍ୟା ତିତଲି ଓ ବନ୍ୟାର ଗୁରୁତର ପ୍ରଭାବକୁ ବର୍ଣ୍ଣନା କରି ଦର୍ଶାଇଛନ୍ତି, ଭୀଷଣ ବାତ୍ୟା ତିତଲି ଏବଂ ପରବର୍ତୀ ବନ୍ୟା ଯୋଗୁଁ ଓଡ଼ିଶାର ୧୭ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଅଣ-ଉପକୂଳ ଗଜପତି ଜିଲ୍ଲା। ଅନେକ ଲୋକ ମୃତାହତ ହୋଇଥିବା ବେଳେ ବହୁସଂଖ୍ୟକ ଘର ଭାଙ୍ଗିଛି।

ବିଶେଷ କରି ଏହି ଜିଲ୍ଲାର ଗଙ୍ଗାବାଡ଼ ଗ୍ରାମପଞ୍ଚାୟତ ମହେନ୍ଦ୍ରଗିରି ପାହାଡ଼ ଧସି ବାରଘର ନାମକ ଏକ ଗ୍ରାମ ସଂପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଛି। ବାତ୍ୟା ସଂପର୍କିତ ଆଗୁଆ ସୂଚନା ପାଇବା ପରେ ରାଜ୍ୟ ସରକାର ଯଥାସମ୍ଭବ ପ୍ରତିକାରମୂଳକ ପଦକ୍ଷେପ ନେଇଛନ୍ତି। ତେବେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି), ଭୁବନେଶ୍ବର ଗତ ୧୦ ତାରିଖ ପୂର୍ବାହ୍ନ ୯.୪୫ ମିନିଟ୍‌ରେ ବାତ୍ୟା ଭୀଷଣ ରୂପ ଧାରଣ କରିବ ଏବଂ ୧୧ ତାରିଖ ପ୍ରତ୍ୟୁଷରେ ତିତଲି ସ୍ଥଳଭାଗ ଛୁଇଁବ ବୋଲି ବୋଲି ସୂଚନା ଜାରି କରିଥିଲା। ଏହି ବିପଦ ସୂଚନା ମାତ୍ର କିଛିଘଣ୍ଟା ଆଗରୁ ମିଳିଥିଲା। ଏହା ସତ୍ତ୍ବେ ମଧ୍ୟରାତ୍ର ବେଳକୁ ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏନ୍‌ଡିଆରଏଫର ୧୪ଟି ଓ ୨୬ଟି ଓଡ୍ରାଫ ଟିମ୍‌ ସହିତ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଥିଲା। ଗଜପତି, ଗଞ୍ଜାମ ଓ ରାୟଗଡ଼ା ସହିତ ଅଳ୍ପ କିଛି ଜିଲ୍ଲା ବାତ୍ୟା ତିତଲିରେ ପ୍ରଭାବିତ ହେବ ବୋଲି ଆଇଏମ୍‌ଡି ପୂର୍ବାନୁମାନ କରିଥିବାରୁ ତଦନୁଯାୟୀ ରାଜ୍ୟ ସରକାର ନିଜସ୍ବ ମାନବ ସମ୍ବଳ ନିୟୋଜିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତିି। ରାଜ୍ୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏସ୍‌ଡିଆରଏଫ୍‌) ସହିତ ଜାତୀୟ ବିପର୍ଯ୍ୟୟ ପ୍ରଭାବ ପାଣ୍ଠି(ଏନ୍‌ଡିଆରଏଫ୍‌)ରୁ ୨୦୧୪.୦୯ କୋଟି ପ୍ରଦାନ କରିବାକୁ ମଧ୍ୟ ଚିଠିରେ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର