ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୧ହଜାର ଟପିଲା, ରାଜ୍ୟରେ ଦିନକରେ ୮୭ ସଂକ୍ରମିତ ଚିହ୍ନଟ

୨ଶହ ପଜିଟିଭ୍: ଯାଜପୁର ଦ୍ବିତୀୟ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଆଉ ୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୦କୁ ବୃଦ୍ଧି ପାଇଛି। ଗଞ୍ଜାମ ପରେ ଯାଜପୁର ଜିଲ୍ଲାରେ ୨ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କେବଳ ପୁରୁଷ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ ହଜାର ପାର୍‌ କରିଛି। ଆଶ୍ବାସନାର କଥା ହେଲା, ଆଜି ଆଉ ୪୩ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନାରୁ ସୁସ୍ଥ ହେବା ସମୁଦାୟ ସଂଖ୍ୟା ୪୩୬ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଯାଜପୁରରେ ଚିହ୍ନଟ ହୋଇଛନ୍ତି।

ଝାରସୁଗୁଡ଼ାର ୫ବର୍ଷର ଶିଶୁ ସଂକ୍ରମିତ
ସୁସ୍ଥ ହେଲେ ଆ‌ଉ ୪୩, ଅନୁଗୁଳରୁ ୧୫

ଏଥିରେ ପଶ୍ଚିମବଙ୍ଗ ଫେରନ୍ତା ୩୭ଜଣ ରହିଥିବା ବେଳେ ୪ଜଣ ୟୁଏଇ, ୨ଜଣ ତାମିଲନାଡ଼ୁ, ଜଣେ ଲେଖାଏଁ ଛତିଶଗଡ଼, ତେଲେଙ୍ଗାନା ଓ ହରିୟାନାରୁ ଫେରିଛନ୍ତି। କଟକ ଜିଲ୍ଲାର ୧୧ ଜଣଙ୍କ ମଧ୍ୟରୁ ୪ ପଶ୍ଚିମବଙ୍ଗ, ୩ ଗୁଜୁରାଟ, ୨ ତେଲେଙ୍ଗାନା, ଜଣେ ତାମିଲନାଡ଼ୁ ଓ ଜଣେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ନୟାଗଡ଼ର ୬ଜଣ ଯାକ ସୁରତରୁ ଫେରିଥିବା ବେଳେ ବାଲେଶ୍ବରର ୫ଜଣଙ୍କ ମଧ୍ୟରୁ ୪ଜଣ ମହାରାଷ୍ଟ୍ର ଓ ଜଣେ ତେଲେଙ୍ଗାନା ଫେରନ୍ତା। ପୁରୀର ୩ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଗୁଜୁରାଟ ଓ ୨ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବା ବେଳେ କେନ୍ଦୁଝରର ୩ଜଣ ସୁରତ ଫେରନ୍ତା ରହିଛନ୍ତି। ସେହିପରି ଗଞ୍ଜାମର ୫ଜଣଙ୍କ ମଧ୍ୟରୁ ୨ ସୁରତ, ଜଣେ ତାମିଲନାଡ଼ୁ ଓ ୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାସହ ଖୋର୍ଧା ଜିଲ୍ଲାରେ ୨ଜଣ ସ୍ଥାନୀୟ ସଂକ୍ରମିତଙ୍କୁ ବାଦ୍ ଦେଲେ ଜଣେ ମହାରାଷ୍ଟ୍ର ଫେରନ୍ତା, ଭଦ୍ରକର ୩ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ସୁନ୍ଦରଗଡ଼ର ସଂକ୍ରମଣ ଅବରୋଧ ଅଞ୍ଚଳରୁ ଜଣେ ସ୍ଥାନୀୟ ସଂକ୍ରମିତକୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ଆଜି ଝାରସୁଗୁଡ଼ାରର ମଙ୍ଗଳ ବଜାରରୁ ୫ବର୍ଷର ଜଣେ ଶିଶୁ କରୋନା ପଜିଟିଭ୍ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ସଂକ୍ରମିତ ଶିଶୁଙ୍କ ପରିବାର ବାହାର ରାଜ୍ୟରୁ ଫେରିଥିବା ବେଳେ ସମସ୍ତେ ସଙ୍ଗରୋଧରେ ରହିଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାର ନିୟମିତ ତଦାରଖ ଜାରି ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ପଜିଟିଭ୍ ତାଲିକାରେ ଆଜି ବି ଗଞ୍ଜାମ ଜିଲ୍ଲା ଆଗରେ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ରେ ପହଞ୍ଚିଥିବା ବେଳେ ଯାଜପୁରରେ ୨୨୫, ବାଲେଶ୍ବର ୧୨୫, ଭଦ୍ରକ ୯୮, ଖୋର୍ଧା ୭୪, କଟକ ୫୬, ପୁରୀ ୪୮, କେନ୍ଦ୍ରାପଡ଼ା ୪୦, ବୌଦ୍ଧ ୩୩ ଓ ଜଗତସିଂହପୁରରେ ୩୦ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ସଂଖ୍ୟା ୩୦ରୁ କମ୍ ରହିଛି।

ଅପରପକ୍ଷରେ ଆଜି ଆଉ ୪୩ଜଣ ସୁସ୍ଥ ହୋଇଛନ୍ତି। ଏଥିରେ ଅନୁଗୁଳର ୧୫, ଗଞ୍ଜାମ, ରାଉରକେଲା ଓ ଯାଜପୁରରେ ୮ ଲେଖାଏଁ, ପୁରୀ, କେନ୍ଦ୍ରାପଡ଼ା, କଟକ ଓ ବୌଦ୍ଧରେ ଜଣେ ଲେଖାଏଁ ସୁସ୍ଥ ହେବା ଫଳରେ ରାଜ୍ୟରେ ଏହି ସଂଖ୍ୟା ୪୩୬ରେ ପହଞ୍ଚିଛି। ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ରାଜ୍ୟରେ ପୁରୁଷ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାରରୁ ଅଧିକ ହୋଇଛି। ୮୮.୪ ପ୍ରତିଶତ ହାରରେ ରାଜ୍ୟରେ ୧୦୫୧ଜଣ ପୁରୁଷ ସଂକ୍ରମିତ ହୋଇଥିବା ନଜରକୁ ଆସିଛି। ମହିଳାଙ୍କ ସଂଖ୍ୟା ଏହାଠାରୁ ଯଥେଷ୍ଟ କମ୍ ମାତ୍ର ୧୩୮ରେ ରହିଛି। ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୩ଦିନ ହେବ କୋଭିଡ୍‌ ନମୁନା ପରୀକ୍ଷା ଆରମ୍ଭ ହୋଇଛି। ଦେଶରେ ଏକ ନବନିର୍ମିତ ମେଡିକାଲ କଲେଜ ଭାବେ ଭୀମଭୋଇ ମେଡିକାଲରେ ଏ ପର୍ଯ୍ୟନ୍ତ ୬୧ଟି ନମୁନା ପରୀକ୍ଷା ହୋଇସାରିଲାଣି। ଆଗାମୀ ଦିନରେ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୧୩ହଜାର ୪୪୬ କୋଭିଡ୍‌ ନମୁନା ପରୀକ୍ଷା ହୋଇସାରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର