ଲଣ୍ଡା ପାହାଡ଼ରେ ହସୁଛି ୧ ହଜାର ନିମ୍ବ ଗଛ, ଗୋଜମୁଣ୍ଡିଆ ଏବେ ‘ଶ୍ରୀଜଗନ୍ନାଥ ନିମ୍ବ ବନିକା’

ଓରନ୍ଦାବାସୀଙ୍କ ମଙ୍ଗ ଧରିଛନ୍ତି ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ

କଟକ : ଗୋଜମୁଣ୍ଡିଆ ଏବେ ‘ଶ୍ରୀ ଜଗନ୍ନାଥ ନିମ୍ବ ବନିକା’। ଲଣ୍ଡା ପାହାଡ଼ରେ ଏବେ ହସୁଛି ୧ ହଜାର ନିମ୍ବ ଗଛ। ଆଠଗଡ଼ ବ୍ଲକ୍‌ ଓରନ୍ଦା ବନ ସଂରକ୍ଷଣ ସମିତି ପକ୍ଷରୁ କରାଯାଇଛି ଏଭଳି ଏକ ପ୍ରୟାସ। ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ପ୍ରତାପ ଚନ୍ଦ୍ର ସାମଲ ଏହାର ମଙ୍ଗ ଧରିଛନ୍ତି । ତାଙ୍କ ନେତୃତ୍ବରେ ଗ୍ରାମର ଯୁବଗୋଷ୍ଠୀ ଓ ଉତ୍ସାହୀଙ୍କୁ ଧରି ସୃଷ୍ଟି କରିଛନ୍ତି ଏଭଳି ବିଶାଳ ନିମ୍ବ ବଣ। ଏହା ପାଲଟିଛି ଆକର୍ଷଣୀୟ ସ୍ଥାନ।

ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼ ବନଖଣ୍ତ ଅନ୍ତର୍ଗତ ଓରନ୍ଦା ଗ୍ରାମବାସୀଙ୍କ ସହଯୋଗରେ ଏବେ ଲଣ୍ଡା ପାହାଡ଼ରେ ହସୁଛି ହଜାର ହଜାର ନିମ୍ବ ଗଛ। ପରିବେଶ ସୁରକ୍ଷା, ବନ୍ୟପ୍ରାଣୀଙ୍କ ସୁରକ୍ଷିତ ବାସସ୍ଥାନ ଓ ସବୁଜ ସୁନ୍ଦର ଗୋଜମୁଣ୍ଡିଆର ବିକାଶ ଓ ସମୃଦ୍ଧି ପାଇଁ ଅଣ୍ଟା ଭିଡ଼ିଛନ୍ତି ଓରନ୍ଦା ଗ୍ରାମବାସୀ। ସୁନିଆମୁହିଁ ସଂରକ୍ଷିତ ଜଙ୍ଗଲର ଗୋଜମୁଣ୍ତିଆ ପାହାଡ଼ରେ ଯେତିକି ଗଛ ଥିଲା, ତାକୁ ଲୋକେ କାଟି ନେଉଥିଲେ। ଲଣ୍ଡା ଦେଖାଯାଉଥିଲା ପାହାଡ଼। ଫଳରେ ଗ୍ରାମବାସୀ ଭିଏସ୍‌ଏସ୍‌ ଗଠନ କରି ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିଲେ। ଯେହେତୁ ଏହି ପାହାଡରେ ନିମ୍ବ ଗଛ ଅଧିକ ରହିଥିଲା ଓ ଦାରୁଦିଅଁଙ୍କ ପାଣି ନିମ୍ବକାଠର ଅଭାବ ରହୁଛି, ଗ୍ରାମବାସୀ ବିଚାର କରି ନିମ୍ବବଣ ସୃଷ୍ଟି ଓ ଏହାର ସଂରକ୍ଷିତ ରଖିବା ପାଇଁ ଆଗେଇ ଆସିଲେ। ହେଲେ ଏହି କାର୍ଯ୍ୟରେ ଗ୍ରାମବାସୀଙ୍କ ହାତମୁଠାକୁ ଶକ୍ତ କଲେ ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ. ପ୍ରତାପ ଚନ୍ଦ୍ର ସାମଲ। ୨୦୦୩ ମସିହାରେ ଅବସର ପରେ ଗାଁକୁ ଫେରି ଆସିଥିଲେ ଇଂ. ସାମଲ।

ବନ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ଗାଁ କମିଟିର ସଭାପତି ଇଂ ସାମଲଙ୍କ ନେତୃତ୍ବରେ ଆରମ୍ଭ ହେଲା ଅଭିଯାନ। ନିଷ୍ପତ୍ତି ହେଲା, ପ୍ରତିଦିନ ପାଳି ଅନୁସାରେ ଗାଁର ୫/୬ଜଣ ନିମ୍ ବଣକୁ ଯିବେ। ସେଇ ଆଧାରରେ ଏବେ ସମସ୍ତେ ଯାଉଛନ୍ତି, ତାଙ୍କ ଭିତରେ ଅବସରପ୍ରାପ୍ତ ଯନ୍ତ୍ରୀ ମଧ୍ୟ ୭୪ବର୍ଷ ବୟସରେ ବି ନିମ୍ବ ବଣକୁ ଯାଉଛନ୍ତି। ସେଠାରେ ଗଛର ଯତ୍ନ, ଏପରିକି ବଗିଚାର ମଧ୍ୟସ୍ଥଳୀରେ ଏକ ନିମ୍ବଗଛକୁ ପୂଜାର୍ଚ୍ଚନା କରି ଜଗନ୍ନାଥଙ୍କ ପାଇଁ ସମଗ୍ର ବଗିଚାକୁ ସମର୍ପିତ ମଧ୍ୟ କରାଯାଇଛି। ୧୦ଏକର ପରିମିତି ବଗିଚାର ଚତୁଃପାର୍ଶ୍ବରେ ସିମେଣ୍ଟ ପିଲାର ଦେଇ ସୁରକ୍ଷା ପ୍ରଦାନ କରାଯାଇଛି। ଓରନ୍ଦା ଗ୍ରାମବାସୀ ସାମାଜିକ ବନପ୍ରକଳ୍ପ ଆରମ୍ଭ ପୂର୍ବରୁ ୪ଶହ ଏକରର ଏକ ଶାଳ ଜଙ୍ଗଲ ମଧ୍ୟ ସୃଷ୍ଟି କରିଥିଲେ। କରୋନା ମହାମାରୀ ସମୟରେ ବି ଜଙ୍ଗଲକୁ ଯିବାକୁ ଭୁଲି ନାହାନ୍ତି ସେମାନେ।

ସଭାପତି ଇ˚ ସାମଲଙ୍କ ସହିତ ଗାଁ ସ˚ପାଦକ ତଥା ଶିକ୍ଷାବିତ୍‌ ପ୍ରେମାନନ୍ଦ ବେଉରା, ରାଧାକୃଷ୍ଣ ଭକ୍ତି ମନ୍ଦିର ମୁଖ୍ୟ ଅସିତ ମହାରାଜ, ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ୟାମସୁନ୍ଦର ପରିଡ଼ା, ଅଭୟ କୁମାର ସାମଲ, କାର୍ତ୍ତିକ ଚନ୍ଦ୍ର ବାରିକ, କ୍ରୀଡାବିତ୍‌ ବିଜୟ କୁମାର ସାମଲ, ଉଦୟନାଥ ମହାନ୍ତି, ଗତିକୃଷ୍ଣ ବେଉରା ଓ ଗୌତମ ବେହେରା ପ୍ରମୁଖଙ୍କ ସହିତ ଗ୍ରାମର ପ୍ରତ୍ୟେକ ଜନସାଧାରଣ ପାଳି କରି ମହାପ୍ରଭୁଙ୍କ ପାଇଁ ଉଦ୍ଦିଷ୍ଟ ନିମ୍ବ ବଗିଚାରେ ଶ୍ରମଦାନ କରିବା ସହିତ ଏହାର ସୁରକ୍ଷା ପାଇଁ ନିଜକୁ ନିୟୋଜିତ କରିଛନ୍ତି।

ସମ୍ବନ୍ଧିତ ଖବର