କରୋନା ଆକ୍ରାନ୍ତ ସୁସ୍ଥ ଅଛନ୍ତି, ୧୨୩୯ ବିଦେଶ ଫେରନ୍ତା ପଞ୍ଜୀକରଣ କରିଛନ୍ତି : ସୁବ୍ରତ ବାଗ୍‌ଚୀ

ଓଡ଼ିଶାରେ ପ୍ରଥମ ପଜିଟିଭ ସୁସ୍ଥ ଅଛନ୍ତି

ଭୁବନେଶ୍ୱର: ରାଜ୍ୟର ଲୋକେ କରୋନା ଭାଇରସ ସଂକ୍ରମଣ ନେଇ ଭୟ କରିବାର ନାହିଁ। ସଚେତନତା ଅବଲମ୍ବନ କଲେ ଆ‌ମେ ସୁସ୍ଥ ରହିବା ସହ ସମସ୍ତଙ୍କୁ ସୁସ୍ତ ରଖିପାରିବ। ଗତକାଲି  ଘୋଷଣା ହୋଇଥିବା ‘୧୦୪’ ହେଲ୍ପଲାଇନ୍ ନମ୍ବରକୁ ବହୁସଂଖ୍ୟାରେ ଫୋନ ଆସୁଥିବା ବେଳେ କୋଡିଡ୍ ୧୯ ପୋର୍ଟାଲ ଜରିଆରେ ମଧ୍ୟ ବହୁସଂଖ୍ୟକ ପଞ୍ଜୀକରଣ ହୋଇଛି।  ବିଗତ ୨୪ ଘଣ୍ଟା ମଧ୍ୟରେ  କରୋନା ସଂପର୍କିତ ସୂଚନା ଦେଉଥିବା ୧୦୪ ହେଲପ୍‌ଲାଇନ୍‌କୁ ୧୦ ହଜାର କଲ୍‌ ଆସିଛି । ଗତ ୨୪ ଘଣ୍ଟାରେ  ୧୨୩୯ ଜଣ ବିଦେଶ ଫେରନ୍ତା ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି।  ଓଡ଼ିଶାର ପ୍ରଥମ କରୋନା  ଆକ୍ରାନ୍ତ ସୁସ୍ଥ  ଅଛନ୍ତି।ତେଣୁ ଚିନ୍ତାର କାରଣ ନାହିଁ । ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ମଙ୍ଗଳବ‌ାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ସମସ୍ତଙ୍କୁ ଆନ୍ତରିକ ଭାବେ ଧନ୍ୟବାଦ ଜଣାଉଛି ଯେ, କରୋନା ଭାଇରସକୁ ସମସ୍ତେ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ସେ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଚିହ୍ନଟ  ଲାଗି ଉଦ୍ଦିଷ୍ଟ ବ୍ୟବସ୍ଥା ଠିକ ଭାବେ କାର୍ଯ୍ୟ କରୁଛି। ୫୫୪ ଜଣ କଲ ସେଣ୍ଟରରେ ପଞ୍ଜୀକରଣ କରିଥିବା ବେଳେ ୬୮୫ ଜଣ ୱେବସାଇଟକୁ ଆସି ନାମ ପଞ୍ଜିକରଣ କରିଛନ୍ତି।  ବିଭିନ୍ନ ମେଡିକାଲ କଲେଜ ହସ୍ପିଟାଲରେ ୫୪୬ଟି ଆଇସୋଲେସନ୍‌ ଶଯ୍ୟା ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ କର୍ଣ୍ଣର ତିଆରି ପାଇଁ ଘରୋଇ ହସ୍ପିଟାଲକୁ କୁହାଯାଇଛି। ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, ଓଡ଼ିଶାରେ ୩୨ଟି ନମୁନା ପରୀକ୍ଷଣ କରାଯାଇଛି। ସେଥିରୁ ୩୧ଟି ନେଗେଟିଭ ବାହାରି ଥିବା ଗୋଟିଏ ପଜେଟିଭ ବାହାରିଛି ।

ଶ୍ରୀ ବାଚଚୀ କହିଛନ୍ତି, ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମହାରାଣୀ ଆମେରିକାରୁ ଆସିଛନ୍ତି। ସେମାନେ କ୍ୱାରେନଣ୍ଟାଇନରେ ଅଛନ୍ତି। ସେ ଆଇନକୁ ସମ୍ମାନ ଦେଇ ନାମ ପଞ୍ଜୀକରଣ କରିଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ। ଏହା ପ୍ରଥମ ଥର ହେଉଥିବାରୁ ସମସ୍ୟା ହୋଇପାରେ। କିନ୍ତ ଏଥି ପାଇଁ ବଡ଼ ପଲିସି ପ୍ରସ୍ତୁତ ହୋଇଛି। ଡ. କ୍ରିଷ୍ଣନ କୁମାରଙ୍କୁ ୧୦୪ ହେଲ୍ପଲାଇନର ଦାୟିତ୍ୱ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ମଲ୍‌ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଦୋକାନ ଗୁଡ଼ିକ ଖୋଲା ରହିବ। ଲୋକେ ଖାଇବା ଜିନିଷ ଓ ଔଷଧ କିଣିବା ପାଇଁ ମଲ୍‌ ଭିତରେ ଥିବା ଦୋକାନକୁ ଯାଇପାରିବେ। ମଲକୁ ବିନା କାମରେ ବୁଲିଯିବା ଠିକ ହେବ ନାହିଁ। ମଲ୍‌ରେ ଅଯଥା ଭିଡ ଜମାଇବାର ଆବଶ୍ୟକତା ନାହିଁ ବୋଲି ଶ୍ରୀ ବାଗ୍‌ଚୀ ସୂଚନା ଦେଇଛନ୍ତି।

ବ୍ୟାଙ୍କମାନଙ୍କୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ସେମାନେ ଏଟିଏମ୍‌ ସଫା ରଖିବେ। ଏଟିମ୍‌ ଭିତରେ ହ୍ୟାଣ୍ଡ ସାନିଟାଇଜର ରଖିବେ। ସେହିଭଳି ଶ୍ରୀ ବାଗଚୀ କହିଛନ୍ତି, ଆଶ୍ରମ ସ୍କୁଲ ହଷ୍ଟେଲରେ ୫ ଲକ୍ଷରୁ ଅଧିକ ପିଲା ପାଠ ପଢୁଛନ୍ତି। ସେମାନେ ହଷ୍ଟେଲରେ ସୁରକ୍ଷିତ ଅଛନ୍ତି। ଆମେ ସେମାନଙ୍କ ପାଇଁ ଭଲ ବ୍ୟବସ୍ଥା କରିଛୁ। ଯଦି ଅସୁବିଧା ହୁଅନ୍ତି, ସେଥିପାଇଁ ପାଇଁ ପଦକ୍ଷେପ ନେବୁ। ପିଡିଏସ ଯୋଜାନାରେ ଯେଉଁମାନେ ବୟସ୍କ ବ୍ୟକ୍ତି ଅଛନ୍ତି, ସେମାନଙ୍କୁ ରାସନ ଘରେ ପହଞ୍ଚାଇ ଦିଆଯିବ।

ସମ୍ବନ୍ଧିତ ଖବର