ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଦିନକୁ ହେବ ୧୦ ହଜାର ଟେଷ୍ଟିଂ, ରାଜ୍ୟକୁ ଆସିବ ଆଉ ୨ ଲକ୍ଷ ଟେଷ୍ଟିଂ କିଟ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଏବେ ୧୦ ହଜାର କରୋନା ଟେଷ୍ଟ ହେବ ।  ୭ ହଜାର ଆରଟିପିସିଆର ଓ  ୩ ହଜାର ଆଂଟିଜେନ ଟେଷ୍ଟ କରାଯିବ । ଓଡିଶାକୁ ଆଉ ୨ ଲକ୍ଷ ଆଟିଂଜେନ କିଟ ଆସିବ ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସେସ୍ (ଆଇଏଲଏସ) ନିର୍ଦ୍ଦେଶକ ଅଜୟ ପରିଡା । ସର୍ବାଧିକ ସଂକ୍ରମିତ  ଗଂଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ଓ ରାଉରକେଲା ସହରକୁ ଅଧିକ ଫୋକସ କରାଯାଉଛି । ଏହି ଜିଲ୍ଲାଗୁଡିକରୁ ଅଧିକ ପରିମାଣରେ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଆଗାମୀ ଦିନରେ ଏହି ଜିଲ୍ଲାରେ ଟେଷ୍ଟିଂ ,ଟ୍ରେସିଂ, ସର୍ଭେଲାନ୍ସକୁ ଜୋରଦାର କରାଯିବ । ଏହି ୧୪ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇଏଲଏସ୍ ଡାକ୍ତର ଅଜୟ ପରିଡା କହିଛନ୍ତି।

ଏପଟେ ଭୁବନେଶ୍ୱରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୮ ଦିନରେ ୩୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୯ ତାରିଖରେ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ୧୦ରେ ୪୫ ଜଣ, ଜୁଲାଇ ୧୧ରେ ୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୨ରେ ୬୪ ଜଣ ଆକ୍ରାନ୍ତ, ଜୁଲାଇ ୧୩ରେ ୧୪ ଜଣ ଆକ୍ରାନ୍ତ, ଜୁଳାଇ ୧୪ରେ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୧୫ରେ ୯୦ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ସେହିପରି ଜୁଲାଇ ୧୬ରେ ଖୋର୍ଦ୍ଧାରୁ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବେଳ ଭୁବନେଶ୍ୱରରୁ ଥିଲେ ୬୦ ଜଣ ।

ସମ୍ବନ୍ଧିତ ଖବର