ଶିଳ୍ପ ପାଇଁ ୧୦ ହଜାର ଗଛ କଟା ମାମଲା: ଏନଜିଟି ତଦନ୍ତର ଦିନ ଗଡୁଛି, ଫେବ୍ରୁଆରି ୧୫ରେ ଶୁଣାଣି

ସୁନ୍ଦରଗଡ଼: କିଛି ମାସ ତଳେ ସ୍ପଞ୍ଜ ଆଇରନ୍‌ କାରଖାନା ପ୍ରତିଷ୍ଠା ପାଇଁ ଲହୁଣୀପଡା ତହସିଲ ଅନ୍ତର୍ଗତ ବଡପୁରୁଣାପାଣି ପଞ୍ଚାୟତ କପଣ୍ଡ ଗ୍ରାମ ପାର୍ଶ୍ବ ଜଙ୍ଗଲରୁ ପ୍ରାୟ ୧୦ ହଜାର ମୂଲ୍ୟବାନ ଗଛ କାଟି ଏକ ବିଶାଳ ଅଞ୍ଚଳକୁ ପଦା କରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ମାମଲା ଏବେ ଜାତୀୟ ସବୁଜ ପ୍ରାଧିକରଣ (ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ)ରେ। ପ୍ରାଧିକରଣ ଏହାକୁ ଗମ୍ଭୀରତାର ସହ ନେଇ କମ୍ପାନିର ଗଛ କଟା ଉପରେ ରୋକ ଲଗାଇଛନ୍ତି। କିନ୍ତୁ ଏହାର ତଦନ୍ତ ବା ନିରୀକ୍ଷଣ ପାଇଁ ପ୍ରାଧିକରଣର ଏକ ସ୍ବତନ୍ତ୍ର ଟିମକୁ ଆଦେଶ ହୋଇଥିବା ସତ୍ତ୍ବେ ଏଯାଏ ଟିମ୍ ଘଟଣାସ୍ଥଳକୁ ଆସିନାହିଁ। ଏହାକୁ ନେଇ ଅଭିଯୋଗକାରୀ ଓ ଗ୍ରାମବାସୀ ପୁଣି ପ୍ରାଧିକରଣର ଦ୍ବାରସ୍ଥ ହୋଇଛନ୍ତି। ତୁରନ୍ତ ଟିମ ପଠାଇ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ କମ୍ପାନି ଘେରାଇଥିବା ପାଚେରିକୁ ଭାଙ୍ଗି ବିଭାଗୀୟ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି।

ଜାନୁଆରି ତୂତୀୟ ସପ୍ତାହରେ ପ୍ରାଧିକରଣର ଏକ ଟିମ୍‌ ଘଟଣାସ୍ଥଳକୁ ଆସି ଟିକିନିଖି ନିରୀକ୍ଷଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଥିଲା। ଅନ୍ୟପଟେ ପ୍ରାଧିକରଣଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ଯ ସରକାର ନିଜ ପକ୍ଷ ରଖିବାକୁ ୨୦୨୨ ଜାନୁଆରି ଦ୍ବିତୀୟ ସପ୍ତାହ ଯାଏଁ ସମୟ ମାଗିଥିଲେ ମଧ୍ଯ ଏଯାଏ ପକ୍ଷ ରଖିପାରି ନାହାନ୍ତି। ସୂଚନାଯୋ‌ଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ତହସିଲ କପଣ୍ଡ ଗ୍ରାମରେ ଖାତା ନମ୍ବର ୧୧୮, ପ୍ଲଟ ନମ୍ବର ୧୧୦୪, ୧୧୦୭ର ୧୬୭ ଏକର ପରିମିତ ଘଞ୍ଚ ଜଙ୍ଗଲରେ ଏକ ସ୍ପଞ୍ଜ ଆଇରନ୍ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ଏଥିପାଇଁ ଇଡକୋ ମାଧ୍ୟମରେ ଜଙ୍ଗଲ ଜମିକୁ ଟେକି ଦିଆଯାଇଛି।

ଏ ପ୍ରସଙ୍ଗରେ ବିଗତ ଦିନରେ ଗାଁରେ ଅନୁଷ୍ଠିତ ଏକ ପଲ୍ଲୀସଭାରେ ଲୋକେ ଏହାକୁ ପ୍ରବଳ ବିରୋଧ କରିଥିଲେ। ଜଙ୍ଗଲକୁ ନଷ୍ଟ କରି ଶିଳ୍ପ ପ୍ରତିଷ୍ଠା କରାଗଲେ ପରିବେଶ ପ୍ରଦୂଷଣ ହେବା ସହ ଆଦିବାସୀ ଭିଟାମାଟି ଓ ଜୀବିକା ହରାଇବା ତଥା ଜଙ୍ଗଲ ନିକଟ ବ୍ରାହ୍ମଣୀ ନଦୀର ପାଣି ପ୍ରଦୂଷିତ ହେବ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହା ସତ୍ତ୍ବେ କୌଣସି ଅନୁମତି ନଥାଇ ଉକ୍ତ ଶିଳ୍ପ ପ୍ରତିଷ୍ଠାନର କିଛି କର୍ମଚାରୀ ଉକ୍ତ ଜଙ୍ଗଲରୁ ପ୍ରାୟ ୧୦ ହଜାର ଗଛ କାଟି ପୋତି ପକାଇଥିଲେ। ଏହା ଛଡ଼ା ସେଠାରେ ପାଚେରି ନିର୍ମାଣ ଆରମ୍ଭ କରିଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ସୂଚନା ଦେବା ସହ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଶେଷକୁ ଅଞ୍ଚଳର ଜଣାଶୁଣା ସମାଜସେବୀ ଚିତ୍ତରଞ୍ଜନ ମହନ୍ତଙ୍କ ସହ ୨୨୩ ଜଣ ସ୍ଥାନୀୟ ବାସିନ୍ଦା ଓ ବିଶିଷ୍ଟ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଜାତୀୟ ସବୁଜ ପ୍ରାଧିକରଣଙ୍କ ନିକଟରେ ଫେରାଦ ହୋଇଥିଲେ। ଆବେଦନକୁ ଗ୍ରହଣ କରି ପ୍ରାଧିକରଣ ଗତ ସେପ୍ଟେମ୍ବର ୮ରେ ଗଛ କଟା ଓ ପାଚେରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ‌ଦେଇଥିଲେ। ଏହା ସହ

କମ୍ପାନିର ବେଆଇନ ଗଛ କଟା, ପାଚେରି ନିର୍ମାଣ ଓ ଦରଖାସ୍ତକାରୀଙ୍କ ଅନ୍ୟ ଅଭିଯୋଗ ଉପରେ ରାଜ୍ୟସରକାର କି ପଦ‌କ୍ଷେପ ନେଇଛନ୍ତି, ତାହାର ଏକ ସତ୍ୟପାଠ ଡିସେମ୍ବର ୩ ତାରିଖ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରାଧିକରଣ। ତେବେ ଗଛ କଟା ପ୍ରସଙ୍ଗରେ ସ୍ଥାନୀୟ ବନବିଭାଗକୁ କାଠଗଡାରେ ଛିଡା କରିଥିଲେ ଗ୍ରାମବାସୀ। ଦିନ ଦ୍ବିପ୍ରହରରେ ସମସ୍ତଙ୍କ ଆଖି ଆଗରେ ହଜାର ହଜାର କଛ କଟା ଯାଇଥିଲେ ମଧ୍ୟ ବନବିଭାଗ ଏହାକୁ ଆଖି ବୁଜି ଦେବା ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ପ୍ରକାରାନ୍ତରେ ଜଙ୍ଗଲର କଛ କଟାକୁ ସ୍ଥାନୀୟ ବନବିଭାଗ ସମର୍ଥନ କରିଥିଲା ବୋଲି ସାଧାରଣରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର