ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ହଜାରେ କୋଟିର ଋଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ସରକାର ଏକ ହଜାର କୋଟି ଟଙ୍କା ଋଣ କରିବେ। ବ୍ରିକ୍ସ ଉନ୍ନୟନ ବ୍ୟାଙ୍କରୁ ଏହି ଋଣ କରାଯିବ। ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବରୁ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି। ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କରାଯାଉଛି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଅର୍ଥ ଯୋଗାଉଛନ୍ତି। ତେବେ ଏଥି ପାଇଁ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରଣୟନ କରିଛନ୍ତି। ଏହି ନିୟମାବଳୀ ଅଧୀନରେ ଆସୁ ନ ଥିବାରୁ ଓଡ଼ିଶାର ବହୁ ପଡ଼ା ଓ ଜନବସତିରେ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଏହାକୁ ଆଖି ଆଗରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୯ଟି ପ୍ରକଳ୍ପର ବିସ୍ତତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରାସ୍ତା ନିର୍ମାଣ ପାଇଁ ବ୍ୟୟ ଅଟକଳ କରାଯାଇଛି ପ୍ରାୟ ୬୮୦ କୋଟି ଟଙ୍କା। ୩୭୨ଟି ଜନବସତିକୁ ସଂଯୋଗ କରିବାକୁ ଥିବା ଏହି ରାସ୍ତାର ଦୈର୍ଘ୍ୟ ରହିଛି ୧୧୪୯ କିଲୋମିଟର। ସୂଚନାଯୋଗ୍ୟ ଯେ ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩୯୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ସମ୍ବନ୍ଧିତ ଖବର