ବ୍ରହ୍ମପୁର : ଉତ୍କଳ ଆଶ୍ରମ ନ୍ୟାସ ପକ୍ଷରୁ ବଡ଼ଖେମୁଣ୍ଡି ରାଜ୍ୟର ତତ୍କାଳୀନ ପ୍ରଜାହିତୈଷୀ ରାଜା ଗଜପତି ମହାରାଜ କୃପାମୟ ଅନଙ୍ଗ ଭୀମଦେବଙ୍କ ଶହେତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଆଜି ସଂଧ୍ୟାରେ ନ୍ୟାସର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କ ପୌରୋହିତ୍ୟରେ ଆୟୋଜିତ ସ୍ମୃତି ସମାରୋହକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଉଦ୍‌ଘାଟନ କରି ଉତ୍କଳ ସମ୍ମିଳନୀ ଓ ଓଡ଼ିଶା ପ୍ରଦେଶ ଗଠନରେ କୃପାମୟ ଦେବଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ ସ୍ମାରକୀ ବକ୍ତୃତା ପ୍ରଦାନ କରି ୧୮୭୬ ମସିହାରେ ଜନ୍ମିତ ବଡ଼ଖେମୁଣ୍ଡି ରାଜ୍ୟର ମହାରାଜ କୃପାମୟ ଅନଙ୍ଗ ଭୀମଦେବଙ୍କ ପ୍ରଜାହିତୈଷୀ କାର୍ଯ୍ୟ, ସାହିତ୍ୟ ସାଧନା, ଜାତୀୟତାବୋଧ ଓ ଓଡ଼ିଆ ଅସ୍ମିତା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ସବରେ ବର୍ଷିଆନ ସାହିତ୍ୟିକ, ଅତିବଡ଼ି ପୁରସ୍କାରପ୍ରାପ୍ତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କୁ ପ୍ରଥମଥର ପାଇଁ ଗଜପତି କୃପାମୟ ଅନଙ୍ଗ ଭୀମଦେବ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ବୟସାଧିକ ଯୋଗୁ ଅତିଥିମାନେ ପ୍ରଫେସର ଆଚାର୍ଯ୍ୟଙ୍କ ବାସଭବନକୁ ଯାଇ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।

Advertisment

publive-image

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃପାମୟ ଦେବଙ୍କ ସାରସ୍ୱତ ଜୀବନ ଉପରେ ଆଲୋକପାତ କରିଥିଲେ। ବଡ଼ଖେମୁଣ୍ଡି ରାଜପରିବାରର ସଦସ୍ୟ ମୋହନ ପ୍ରସାଦ ଦେବ, ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ ଓ ସାନଖେମୁଣ୍ଡି ରାଜପରିବାର ସଦସ୍ୟ ବୀରକିଶୋର ଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ କୃପାମୟ ଅନଙ୍ଗ ଭୀମଦେବଙ୍କ ଏକ ତୈଳଚିତ୍ର ଉନ୍ମୋଚନ କରାଯାଇଥିଲା l ଡ. ଅନନ୍ତରାମ କର କୌଣ୍ଡିନ୍ୟଙ୍କ ଦ୍ୱାରା ଲିଖିତ ‘ଗଜପତି ଶ୍ରୀ କୃପାମୟ ଅନଙ୍ଗ ଭୀମଦେବ’ ପୁସ୍ତିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l