୫୦ହଜାର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଗଲା ୧୦୧ କୋଟି ଟଙ୍କାର ବୃତ୍ତି

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ବିଭାଗରେ ୫ଟି କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜନଜାତି, ଜାତି ବିକାଶ ବିଭାଗର ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଥିରେ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ଟି ଅନ୍ୟ ଛାତ୍ରାବାସ ଉଦଘାଟନ, ହଷ୍ଟେଲରେ ରହୁଥିବା ୫.୭୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମୋ ଛାତ୍ରାବାସ କାର୍ଡ, ୫୦ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି, ମାତୃଭାଷା ଭିତ୍ତିକ ଶିକ୍ଷାଦାନ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

ଏହିସବୁ କାର୍ଯ୍ୟକ୍ରମଗୁଡିକ ବିଭାଗର କାର୍ଯ୍ୟକ୍ରମରେ ଅଧିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟକ ହେବ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ, ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ଜନଜାତି ଭାଇଭଉଣୀମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ସେ ସବୁବେଳେ ଗୁରୁତ୍ଵ ଦେଇ ଆସିଛନ୍ତି । ଆଜି ଜନଜାତି ପିଲାମାନେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ଦେଖାଇ ପାରିଛନ୍ତି । ପ୍ରାଥମିକ ଶିକ୍ଷା ପାଇଁ ମାତୃଭାଷା ସବୁଠାରୁ ଉତ୍ତମ ବୋଲି ମତ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଆଜି ଆରମ୍ଭ ହେଉଥିବା ସଂହତି କାର୍ଯ୍ୟକ୍ରମ ଦ୍ଵାରା ଦେଢଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ । ସେହିପରି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମୋ ଛାତ୍ରାବାସ କାର୍ଡ, ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ପୋଷ୍ଟ ମାଟ୍ରିକ ସ୍କଲାରସିପ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି । ଏହି ଦୁଇଟି ଯୋଜନାରେ ଛଅ ଲକ୍ଷରୁ ଅଧିକ ପିଲା ଉପକାର ପାଇବେ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ୧.୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିପରି ହଷ୍ଟେଲମାନଙ୍କରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ମୋ ଛାତ୍ରାବାସ କାର୍ଡ ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ଏହା ଦ୍ଵାରା ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା ୬୭୦୦ହଷ୍ଟେଲର ୫.୭୫ ଲକ୍ଷ ଛାତ୍ରଛାତ୍ରୀ ଉପକାର ପାଇବେ । ସେହିପରି ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲ ଜରିଆରେ ୫୦ହଜାର ଛାତ୍ରଛାତ୍ରୀଙ୍କୁ ୧୦୧କୋଟି ଟଙ୍କା ପରିମାଣର ବୃତ୍ତି ପିଲାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଇଛି । ଅନୁସୂଚିତ ଜାତି, ଜନଜାତି ପିଲାମାନଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷା ଦେବାପାଇଁ ଆକାଂକ୍ଷା ଯୋଜନା ଚାଲୁଅଛି । ଏହି ଯୋଜନାରେ ଆଜି ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ୩ ଟି ଆକାଂକ୍ଷା ହଷ୍ଟେଲ ଉଦଘାଟନ କରିଥିଲେ । ଏହାସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ୬୮ଟି ଛତ୍ରାବାସ ଲୋକାର୍ପିତ କରିଥିଲେ । ଏହି ଛତ୍ରାବାସ ଗୁଡିକ ପାଇଁ ୧୫୦କୋଟି ଟଙ୍କା ବିନିଯୋଗ କରାଯାଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପିଲାମାନଙ୍କ ଦକ୍ଷତା ବିକାଶ ଆମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । ପ୍ରୟାସ ଯୋଜନାରେ ୭୫୦୦ ରୁ ଅଧିକ ଏସଟି, ଏସସି ଓ ଓବିସି ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଓଡିଶା ସ୍କିିଲ ଡେଭଲପମେଣ୍ଟ ଅଥରିଟି ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଉଛି ।

ଆପଦଗ୍ରସ୍ଥ ଜନଜାତିଙ୍କ ପାଇଁ ଆଜି ଆରମ୍ଭ ହୋଇଥିବା ପୁଷ୍ଟି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ହେଉଛି ରାଜ୍ୟ ସରକାରଙ୍କ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଅଜିମ ପ୍ରେମଜୀ ଫିଲାନଥ୍ରୋପିକ୍ ଇନିସିଏଟିଭର ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଆମର ୩୫୦୦ପିଭିଟିଜି ଚାଷୀ, ୨୩ ହଜାର ଶିଶୁ ଏବଂ ୨୫ ହଜାର ମା’ ଉପକାର ପାଇବେ । ଏହି କାର୍ଯ୍ୟକ୍ରମ ରାଜ୍ୟର ୧୧୩୮ଟି ପିଭିଟିଜି ଗ୍ରାମରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟକ୍ରମଗୁଡିକ ଦ୍ଵାରା ଆମର ଜନଜାତି , ଜାତି ପିଲାମାନେ ଆଗକୁ ବଢିବା ସହିତ ସେମାନଙ୍କର ପ୍ରକୃତ ସଶକ୍ତିକରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସମ୍ବଲପୁରରୁ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ  ଜଗନ୍ନାଥ ସାରକା ଆଜିର କାର୍ଯ୍ୟକ୍ରମ ଦ୍ଵାରା ଜନଜାତି , ଜାତି ଛାତ୍ରଛାତ୍ରୀମାନେ ଆଗକୁ ବଢିବା ସହିତ ଓଡିଶାର ବିକାଶରେ ଯୋଗଦାନ ରଖିପାରିବେ ବୋଲି କହିଥିଲେ । ସେହିପରି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଭିଡିଓ କନଫରେନସିଙ୍ଗ ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଥିଲେ । ଆପଦଗ୍ରସ୍ତ ଜନଜାତିଙ୍କ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଏକ କ୍ଷୁଦ୍ର ଭିଡିଓ ଚିତ୍ର ପ୍ରଦର୍ଶିତ ହୋଇଥିଲା । ନବରଙ୍ଗପୁର ଓ କେଉଁଝର ର ଦୁଇଜଣ ବୃତ୍ତି ପାଇଥିବା ଛାତ୍ରଛାତ୍ରୀ ଭିଡିଓ କନଫରେନସିଙ୍ଗ ଜରିଆରେ ନିଜର ମତାମତ ରଖି ଏହାଦ୍ବାରା ସେମାନଙ୍କର ଉଚ୍ଚଶିକ୍ଷା ରେ ସୁବିଧା ହେବ ବୋଲି ପ୍ରକାଶ କରିଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ  ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ସ୍ଵାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର