ଗଞ୍ଜାମର ୧୦୧ ଚାଷୀଙ୍କୁ ମିଳିନି ଖରିଫ ଧାନ ବିକ୍ରି ପ୍ରାପ୍ୟ: ରବିରେ ୧୩୧ ଲକ୍ଷ କ୍ବିଣ୍ଟାଲ ଧାନ ସଂଗ୍ରହ

ଭୁବନେଶ୍ବର: ଧାନ ବିକ୍ରିର ୨୪ ଘଣ୍ଟାରୁ ସର୍ବାଧିକ ୩ ଦିନ ମଧ୍ୟରେ ଚାଷୀଙ୍କୁ ପ୍ରାପ୍ୟ ମିଳିଯିବା ଉଚିତ। ମାତ୍ର ରାଜ୍ୟରେ ଖରିଫ ସରି ରବି ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ୧୦୧ ଚାଷୀ ଧାନ ବିକ୍ରି ପ୍ରାପ୍ୟ ପାଇନଥିବା ଅଭିଯୋଗ ହୋଇଛି। ଗତ ଫେବ୍ରୁଆରିରେ ଏହି ଚାଷୀମାନେ ଧାନ ବିକ୍ରି କରିଥିଲେ। ଏହାକୁ ନେଇ ଚାଷୀ ସଙ୍ଗଠନ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ଯେ ବ୍ୟାଙ୍କ ଆକାଉଣ୍ଟ ତ୍ରୁଟି ଯୋଗୁଁ ସେମାନେ ଟଙ୍କା ପାଇ ନାହାନ୍ତି। ୪ ମାସ ମଧ୍ୟରେ ଯୋଗାଣ ବିଭାଗ ତ୍ରୁଟିରେ ସଂଶୋଧନ ନକରିବାରୁ ବର୍ତ୍ତମାନ ଏତେ ସଂଖ୍ୟକ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟଦିଗରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଥିବା ରବି ଧାନ ସଂଗ୍ରହ ମଧ୍ୟ ସମସ୍ୟା ମୁକ୍ତ ହୋଇ ରହିନାହିଁ। ପଞ୍ଜୀକୃତ ହୋଇ ମଧ୍ୟ ରାଜ୍ୟର ଆହୁରି ୭୨ ହଜାର ୨୬୦ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ଏଣେ ୩୦ ତାରିଖରେ ଧାନ ବିକ୍ରି ଅବଧି ସମାପ୍ତ ହୋଇଯିବ।

ଏତେ କମ ଦିନରେ ଏତେ ସଂଖ୍ୟକ ଚାଷୀ ଧାନ ବିକ୍ରି କରିବା ନେଇ ସନ୍ଦେହ ରହିଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୨ ଲକ୍ଷ ୨ ହଜାର ୪୯୨ ଚାଷୀଙ୍କ ଠାରୁ ୧୩୧ ଲକ୍ଷ ୧୨ ହଜାର ୫୮୫ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବାଲେଶ୍ବରରେ ୨ଲକ୍ଷ ୪୫ ହଜାର ୫୩୨ କ୍ବିଣ୍ଟାଲ, ବରଗଡ଼ରେ ୫୨ ଲକ୍ଷ ୧୪ ହଜାର କ୍ବିଣ୍ଟାଲ, ବଲାଙ୍ଗୀରରେ ୨ ଲକ୍ଷ ୫୮ ହଜାର କ୍ବିଣ୍ଟାଲ, ବୌଦ୍ଧରେ ୨ ଲକ୍ଷ ୨୩ ହଜାର କ୍ବିଣ୍ଟାଲ, କଟକରେ ୫୩ ହଜାର ୮୮୦ କ୍ବିଣ୍ଟାଲ, ଯାଜପୁରରେ ୬୬ ହଜାର ୧୧୮ କ୍ବିଣ୍ଟାଲ, ଝାରସୁଗୁଡ଼ାରେ ୪୧ ହଜାର ୬୨୬ କ୍ବିଣ୍ଟାଲ, କଳାହାଣ୍ଡିରେ ୨୨ ଲକ୍ଷ ୨୨ ହଜାର ୮୧୩ କ୍ବିଣ୍ଟାଲ, ଖୋର୍ଧାରେ ୩୮ ହଜାର ୨୭୫ କ୍ବିଣ୍ଟାଲ, କୋରାପୁଟରେ ୪ ଲକ୍ଷ ୧୬ ହଜାର, ମୟୂରଭଞ୍ଜରେ ୩୮ ହଜାର ୪୫୫ କ୍ବିଣ୍ଟାଲ, ନବରଙ୍ଗପୁରରେ ୨୧ ହଜାର ୮୭୨ କ୍ବିଣ୍ଟାଲ, ନୂଆପଡ଼ାରେ ୩ ଲକ୍ଷ ୭୯ ହଜାର କ୍ବିଣ୍ଟାଲ, ପୁରୀରେ ୧୧ ହଜାର କ୍ବିଣ୍ଟାଲ, ସମ୍ବଲପୁରରେ ୧୨ ଲକ୍ଷ ୪୨ ହଜାର, ସୁବର୍ଣ୍ଣପୁରରେ ୨୨ ଲକ୍ଷ ୬୩ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି।

ସମ୍ବନ୍ଧିତ ଖବର