ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ସ୍କୁଲକୁ ସେଣ୍ଟର୍ ଅଫ ଏକ୍ସଲେନ୍ସରେ ପରିଣତ କରାଯିବ। ୬ ମାସ ତଳେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଏବେ ପ୍ରକ୍ରିୟା ଆରମ୍ଭ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୪ରୁ ୫ ଦିନ ଧରି ଶିକ୍ଷକଙ୍କୁ ଅନ୍ଲାଇନ୍ ତାଲିମ୍ ଦିଆଯିବ। ଏହି ତାଲିମ୍ ପ୍ରକ୍ରିୟାରେ ଚିହ୍ନଟ ୧୦୧ ଉଚ୍ଚବିଦ୍ୟାଳୟର ୨ଜଣ ଲେଖାଏଁ ଶିକ୍ଷକ, ୩୦ଟି ଜିଲ୍ଲାର ଗୋଟିଏ ଲେଖାଏଁ ଯୁକ୍ତ୨ କଲେଜ ଓ ୩୦ଟି ଶିକ୍ଷକ ଶିକ୍ଷା କଲେଜର ଅଧ୍ୟକ୍ଷ ସାମିଲ ହେବେ। ଏହି ସବୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ଯେପରି କରୋନା ପାଇଁ ପ୍ରଭାବିତ ନ ହେବ ଓ ରେଜଲ୍ଟ ହାର ବଢ଼ିବ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ୪ ତାରିଖ ପୂର୍ବାହ୍ନରେ ଶିକ୍ଷକମାନଙ୍କ ଅନ୍ଲାଇନ୍ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ତାଲିମ ସମୟରେ ଶିକ୍ଷକମାନଙ୍କୁ ଭର୍ଚୁଆଲ କ୍ଲାସ, ଅନ୍ଲାଇନ୍ ଶିକ୍ଷା ପାଇଁ ବିଭିନ୍ନ ଆପ୍, ଡାଟା ଡାଉନଲୋଡ୍, ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷା ଦିଆଯିବ ଆଦି ବିଷୟରେ ତାଲିମ୍ ଦିଆଯିବ। ମାଟ୍ରିକ୍ ପରୀକ୍ଷାରେ ସଫଳତା ହାର ବଢ଼ାଇବା ସହ କରୋନା ଭଳି ମହାମାରୀ ସମୟରେ ପିଲାଙ୍କୁ ଶିକ୍ଷା ଦେବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ମନ୍ତ୍ରୀ ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ, ଦିନକୁ ୨ଘଣ୍ଟା ଲେଖାଏଁ ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ। ଯେଉଁ ୧୦୧ ସ୍କୁଲକୁ ସେଣ୍ଟର୍ ଅଫ୍ ଏକ୍ସଲେନ୍ସ କରିବାକୁ ନିଷ୍ପତ୍ତି ନିଆଯାଇଛି, ତାହାର ପରୀକ୍ଷା ଫଳ ଏଥର ଭଲ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/tt.jpg)