ପୁରୀ: ବଦଳିବ ପୁରୀ ବେଳାଭୂମିର ଚିତ୍ର। ବେଳାଭୂମି ସହ ବେଳାମାର୍ଗର ସୌନ୍ଦର୍ଯ୍ୟୀକରଣ କରାଯିବ। ତିନିଟି ବିସ୍ତୃତ ପାର୍କିଂ ଅଞ୍ଚଳର ଉନ୍ନତୀକରଣ ସହ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ସଦୃଶ ଉନ୍ନତି କରାଯିବ। ଦିଗବାରେଣୀ ଛକଠାରୁ ଷ୍ଟର୍ଲିନ ଛକ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ କିଲୋମିଟର ବେଳାମାର୍ଗ ଓ ବେଳାଭୂମିର ସୌନ୍ଦର୍ଯ୍ୟୀକରଣ ଓ ଉନ୍ନତୀକରଣ କରାଯିବ। ଏଥିପାଇଁ ୧୦୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ପର୍ଯ୍ୟଟକମାନେ ବେଳାଭୂମିକୁ ନୂଆ ରୂପରେ ଦେଖିବାର ସୁଯୋଗ ପାଇବେ।
ଆଚାର୍ଯ୍ୟ ହରିହର ଛକରୁ ଦିଗବାରେଣୀ ଛକ ରାସ୍ତାକୁ ସଂପ୍ରସାରଣ କରାଯିବ। ଆଚାର୍ଯ୍ୟ ହରିହର ଗୋଲେଇ ଛକ ଓସାରିଆ କରିବା ପାଇଁ ପୌରପାଳିକାର କିଛି ଜାଗାକୁ ବିନିଯୋଗ କରାଯିବ। ଏବେ ନାଲି ପଡ଼ିଆରେ ପାର୍କିଂ ସୁବିଧା ରହିଥିଲେ ହେଁ ତାହା ଆଗନ୍ତୁକ ପର୍ଯ୍ୟଟକଙ୍କ ଗାଡ଼ି ପାର୍କିଂ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଫଳରେ ବେଳାମାର୍ଗରେ ପ୍ରତିଦିନ ଗାଡ଼ି ପାର୍କିଂ ହେଉଥିବାରୁ ଟ୍ରାଫିକ୍ ସମସ୍ୟା ଉପୁଜୁଛି। ତେଣୁ ପାର୍କିଂ ସ୍ଥାନ ସଂପ୍ରସାରଣ କରାଯିବ। ଦିଗବାରେଣୀ ଛକ ନିକଟରେ ଥିବା ପୁରୁଣା ପାର୍କିଂ ସ୍ଥାନରେ ଚାରି ତାଲା ବିଶିଷ୍ଟ ପାର୍କିଂର ବିକାଶ କରାଯାଉଛି। ବେସ୍ମେଣ୍ଟ, ଗ୍ରାଉଣ୍ଡ ସହ ତିନିଟି ଫ୍ଲୋରରେ ପ୍ରାୟ ୧୦୫୦୦ ବର୍ଗମିଟର ପରିମିତ ଅଞ୍ଚଳରେ ପାର୍କିଂ ସୁବିଧା ଉପଲବ୍ଧ ହେବ। ଏକକାଳୀନ ୩୦୦ କାର୍ ପାର୍କିଂର ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ନାଲିପଡ଼ିଆ ଓ ସିପସରୁବାଲିରେ ମଧ୍ୟ ଅନୁରୂପ ପାର୍କିଂ ବ୍ୟବସ୍ଥା କରାଯିବ। ବେଳାଭୂମି ପରିସରରେ ବ୍ଲୁ ଫ୍ଲାଗ୍ ବିଚ୍ ସଦୃଶ ଲ୍ୟାଣ୍ଡ ସ୍କେପିଂ ତଥା ଝାଉଁ ଗଛ ଲଗାଯାଉଛି। ଦିଗବାରେଣୀରୁ ଷ୍ଟର୍ଲିନ ପର୍ଯ୍ୟନ୍ତ ଏହି ଗଛଗୁଡ଼ିକ ୬ ଫୁଟ ଉଚ୍ଚ ବିଶିଷ୍ଟ ରହିବ। ସମୁଦ୍ରର ଦୃଶ୍ୟ ଉପଭୋଗ କରିବା ପାଇଁ ୱାଚ୍ ଟାୱାର ସ୍ଥାପନ କରାଯାଉଛି। ବେଳାମାର୍ଗକୁ ସୁଦୃଶ୍ୟ ଆଲୋକୀକରଣରେ ସୁସଜ୍ଜିତ କରାଯିବାର ବନ୍ଦୋବସ୍ତ କରାଯିବ। ପାନୀୟ ଜଳର ବ୍ୟବସ୍ଥା ସହ ଶୌଚାଳୟ ସ୍ଥାପିତ ହେବ। ସାଢ଼େ ୪କିଲୋମିଟର ବେଳାମାର୍ଗରୁ ପ୍ରାୟ ୧୮୦୦ ମିଟର ପର୍ଯ୍ୟନ୍ତ ୫ ଫୁଟ୍ ଓସାରର ଗ୍ରାନାଇଟ୍ ପାଦଚଲା ରାସ୍ତା ରହିବ।
ବେଳାଭୂମି ପରିସରରେ ଏଣିକି ବ୍ୟବସାୟୀମାନେ ଏଣେତେଣେ ବସି ବ୍ୟବସାୟ କରିପାରିବେ ନାହିଁ। ସମସ୍ତ ବ୍ୟବସାୟୀ ସମାନ ପ୍ରକାର କିଓସ୍କରେ ନିଜର ବ୍ୟବସାୟ ଚଳାଇବେ। ପ୍ରାୟ ୬୬୬ଟି କିଓସ୍କ ସ୍ଥାପନ ହେବ। ଏପର୍ଯ୍ୟନ୍ତ ୧୨୦ଟି କଳଙ୍କି ନିରୋଧ କିଓସ୍କ ନିର୍ମାଣ ସରିଥିବା ବେଳେ ଅନ୍ୟ କିଓସ୍କ ନିର୍ମାଣାଧୀନ ରହିଛି। ବଜାର ପାଇଁ ବେଳାଭୂମି ପରିସରରେ ସ୍ବତନ୍ତ୍ର ସ୍ଥାନ ନିରୂପିତ ହେବ। ଲୋକେ ଗୋଟିଏ ସ୍ଥାନରୁ କିଣାକିଣି କରିବାର ସୁଯୋଗ ପାଇପାରିବେ। ଏହାବ୍ୟତୀତ ଅନ୍ୟ ଆନୁଷଙ୍ଗିକ ଉନ୍ନତୀକରଣ କରାଯିବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ (ଓବିସସି)ର ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ରାଉତ କହିଛନ୍ତି, ଓବିସିସି ପକ୍ଷରୁ ଏହାର ଟେଣ୍ଡର ବିସି ଭୂୟାଁ କନଷ୍ଟ୍ରକ୍ସନ୍କୁ ଦିଆଯାଇଛି। କାର୍ଯ୍ୟ ଅବଧି ଆସନ୍ତାବର୍ଷ ଜୁନ ସୁଦ୍ଧା ସାରିବାକୁ ଚୁକ୍ତି ହୋଇଛି ବୋଲି ସେ କହିଛନ୍ତି।