ରାୟଗଡ଼ା: ଗୁଡାରି ବ୍ଲକ୍ ବଡପଙ୍କାଳ ଗାଁର ଜିହୋ ବାଜୁରି ସ୍ବଂୟ ସହାୟକ ଗୋଷ୍ଠୀ। କୃଷିଜାତ ଦ୍ରବ୍ୟ ବିକ୍ରି କରୁଥିବା ଏହି ଗୋଷ୍ଠୀ ଅଧୀନରେ କାମ କରୁଛନ୍ତି ୧୦ ମହିଳା। ୨୦୧୭ ମସିହାରୁ ଋଣ ପାଇଁ ଗୋଷ୍ଠୀ କର୍ତ୍ତୃପକ୍ଷ ବ୍ୟାଙ୍କକୁ ଦୌଡ଼ୁଛନ୍ତି। କିନ୍ତୁ ବିଭିନ୍ନ ଆଳ ଦେଖାଇ ସିରିଗୁଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଋଣ ଦେଉନି। ଫଳରେ ଧାନ, କପା, ମାଣ୍ଡିଆ ଚାଷ କରି ଅଧିକ ଦୁଇ ପଇସା ରୋଜଗାର କରିବାର ଆଶା ମଉଳିବାରେ ଲାଗିଛି।

Advertisment

କେବଳ ଜିହୋ ବାଜୁରି ନୁହେଁ, ବଡପଙ୍କାଳ ପଞ୍ଚାୟତର ୫ଟି ସ୍ବଂୟ ସହାୟକ ଗୋଷ୍ଠୀ ଗତ ୩ ବର୍ଷ ହେଲା ଋଣ ପାଇଁ ବ୍ୟାଙ୍କକୁ ଦୌଡ଼ୁଛନ୍ତି। ହେଲେ ଗୁଡାରି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ସିରିଗୁଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଋଣ ମଞ୍ଜୁର କରିବାରେ ଅହେତୁକ ବିଳମ୍ବ କରିଛନ୍ତି। ପ୍ରତି ମାସରେ ୪ରୁ ୫ ମାସ ଥର ଏହି ଗୋଷ୍ଠୀର ସଦସ୍ୟାମାନେ ବ୍ୟାଙ୍କକୁ ଦୌଡ଼ି ନିରାଶ ହେବା ଛଡ଼ା କିଛି ସୁଫଳ ମିଳିପାରୁନି। ବଡ଼ପଙ୍କାଳରେ ମୋବାଇଲ୍ ନେଟୱର୍କ ନଥିବାରୁ ୮ କିମି ଦୂର ଗୁଡାରିକୁ ଯାତାୟାତ ବାବଦରେ ବହୁ ଟଙ୍କା ଖର୍ଚ୍ଚ କରି ସାରିଲେଣି ଗୋଷ୍ଠୀ ସଦସ୍ୟା। ଗୁଡାରି ଭଳି ଜିଲ୍ଲାର ଅନ୍ୟ ୧୦ ବ୍ଲକରେ ମଧ୍ୟ ଋଣ କ୍ଷେତ୍ରରେ ନିରାଶ ହୋଇଛନ୍ତି ସ୍ବଂୟ ସହାୟକ ଗୋଷ୍ଠୀ।

ସରକାରୀ ତଥ୍ୟ ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାର ୬୩୬୩ ସ୍ବଂୟ ସହାୟକ ଗୋଷ୍ଠୀକୁ ୬୫୦୭.୪୯ ଲକ୍ଷ ବ୍ୟାଙ୍କ ଋଣ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି। ୩୦୧୯ ଗୋଷ୍ଠୀକୁ ଋଣ ପ୍ରଦାନ ଲାଗି ମିଶନ୍ ଶକ୍ତି ପକ୍ଷରୁ ବ୍ୟାଙ୍କରେ ଆବେଦନ ସରିଛି। ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ୪ ମାସ ବାକିଥିବା ବେଳେ ଅକ୍ଟୋବର ସୁଦ୍ଧା ମାତ୍ର ୧୯୯୬ଟି ଗୋଷ୍ଠୀକୁ ୨୪୦୪.୨୮ ଲକ୍ଷ (୩୬.୯୫ ପ୍ରତିଶତ) ଋଣ ପ୍ରଦାନ କରାଯାଇଛି। ୧୦୨୩ ଗୋଷ୍ଠୀର ଋଣ ଆବେଦନ ଫର୍ମ ବ୍ୟାଙ୍କରେ ପଡି ରହିଛି। ଋଣ ଆଶାରେ ଥିବା ୩୩୪୪ ଗୋଷ୍ଠୀର ଆବେଦନ ଏଯାବତ୍ ବ୍ୟାଙ୍କରେ ପହଞ୍ଚି ପାରିନି। ସ୍ବଂୟ ସହାୟକ ଗୋଷ୍ଠୀକୁ ଋଣ ଦେବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଗ୍ରହ ଦେଖାଉନଥିବା ଜଣା ପଡିଛି। କିଛି ବ୍ୟାଙ୍କରେ ପୁରୁଣା ସ୍ବଂୟ ସହାୟକ ଗୋଷ୍ଠୀକୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରାଯାଉଛି। ଉକ୍ତ ଗାଁରେ ନୂଆ ଭାବେ ଗଢ଼ି ଉଠିଥିବା ଗୋଷ୍ଠୀକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଭରସାକୁ ନେଉନାହାନ୍ତି। ଅଧିକାଂଶ ବ୍ୟାଙ୍କରେ ସ୍ବଂୟ ସହାୟକ ଗୋଷ୍ଠୀ ଋଣ ଆବେଦନ ଫର୍ମ ଉପଲବ୍ଧ ନଥିବା ବେଳେ ଫର୍ମ ଜେରେକ୍ସ କରି ଆବେଦନ କଲେ ବ୍ୟାଙ୍କ କର୍ତ୍ତୃପକ୍ଷ ନାକଚ କରି ଦେଉଥିବା ଗୋଷ୍ଠୀ ସଦସ୍ୟା ଅଭିଯୋଗ କରିଛନ୍ତି।

ବିଷମକଟକ ବ୍ଲକରେ ଅକ୍ଟୋବର ସୁଦ୍ଧା ଋଣ ପାଇଁ ୩୩୨ ଗୋଷ୍ଠୀ ଆବେଦନ କରିଛନ୍ତି। ହେଲେ ୨୨୭ ଗୋଷ୍ଠୀକୁ ଋଣ ମିଳିଥିବା ବେଳେ ୧୦୫ ଆବେଦନ ପଡି ରହିଛି। ସେହିପରି ଚନ୍ଦ୍ରପୁରର ୧୨୨ ଆବେଦନ ମଧ୍ୟରୁ ୫୮ଟିକୁ ଋଣ ମିଳିପାରିନି। ଗୁଡାରିର ୧୯୭ରୁ ୪୩, ଗୁଣପୁରର ୩୭୬ରୁ ୧୫୭, କଲ୍ୟାଣସିଂହପୁରର ୨୦୧ରୁ ୬୧, କାଶୀପୁରର ୨୩୪ରୁ ୯୦, କୋଲନରାର ୨୪୫ରୁ ୧୦୩, ମୁନିଗୁଡାର ୫୩୧ରୁ ୧୪୯, ରାମନାଗୁଡାର ୩୦୩ରୁ ୧୪୬, ରାୟଗଡ଼ାର ୨୭୦ରୁ ୨୭, ପଦ୍ମପୁରର ୨୦୮ ଆବେଦନରୁ ୮୪ ଆବେଦନ ଋଣ ଅପେକ୍ଷାରେ ବ୍ୟାଙ୍କରେ ପଡି ରହିଛି। ଏପରି ଭାବେ ୧୦୨୩ ଆବେଦନ ଜିଲ୍ଲାର ବିଭିନ୍ନ ବ୍ୟାଙ୍କରେ ପଡି ରହିଛି।

ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏସଏଚଜିକୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ଲିଡ୍ ବ୍ୟାଙ୍କ ବୈଠକରେ ଏ ନେଇ ଜିଲ୍ଲାପାଳ ଗୁରୁତ୍ବାରୋପ କରି ଆସୁଛନ୍ତି। ଅଥଚ ବ୍ୟାଙ୍କ କର୍ତ୍ତୃପକ୍ଷ ଏସଏଚଜିକୁ ଋଣ ପ୍ରଦାନ ନେଇ କୁନ୍ଥୁକୁନ୍ଥୁ ହେଉଛନ୍ତି। ଚଳିତ ଆର୍ଥିକ ବର୍ଷର ଏସଏଚଜି ବ୍ୟାଙ୍କ ଋଣ ରିପୋର୍ଟ କାର୍ଡରୁ ଏହା ଅତ୍ୟନ୍ତ ସ୍ପଷ୍ଟ। ଧାର୍ଯ୍ୟ ଲକ୍ଷ୍ୟରୁ ୩୧ ପ୍ରତିଶତ ଗୋଷ୍ଠୀକୁ ୩୭ ପ୍ରତିଶତ ହାରରେ ବ୍ୟାଙ୍କ ଋଣ ମିଳିଛି।