ଭୁବନେଶ୍ବର: ୨୦୨୨ରୁ ୨୦୨୪ ମସିହା ଭିତରେ ରାଜ୍ୟ ଔଷଧ ନିଗମ ଦ୍ବାରା କିଣା ଯାଇଥିବା ୧୦୩ଟି ଔଷଧ ନିମ୍ନମାନର ରହିଛି। ୨୦୨୨-୨୩ବର୍ଷରେ ୪୫, ୨୦୨୩-୨୪ବର୍ଷରେ ୩୨ ଓ ୨୦୨୪-୨୫ବର୍ଷରେ ୨୬ଟି ଔଷଧକୁ ନିମ୍ନମାନର ଘୋଷଣା କରାଯାଇଛି। ଅନ୍ୟ ନିମ୍ନମାନର ଔଷଧ ବ୍ୟାଚ୍‌ଗୁଡ଼ିକର ଯୋଗାଣକାରୀଙ୍କୁ ବଦଳାଯାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ୨୦୨୨-୨୩ବର୍ଷରେ ଜିଙ୍କ ସଲ୍‌ଫେଟ୍‌ ବଟିକା ଯୋଗାଇଥିବା କୋଲକାତାସ୍ଥିତ ଏଲଏ କେମିକୋ ଲିମିଟେଡ୍‌, ଆଇ.ଭି. ସୋଡିୟମ ଲାକ୍ଟେଟ୍‌(ଆରଏଲ) ଯୋଗାଣକାରୀ ଉତ୍ତରପ୍ରଦେଶର ସ୍ବରୂପ ଫାର୍ମାସ୍ୟୁଟିକାଲ ଓ ସମାନ ଔଷଧ ଯୋଗାଇଥିବା ମଧ୍ୟପ୍ରଦେଶର ଆଇଭେସ ଡ୍ରଗ୍‌ ଇଣ୍ଡିଆ କମ୍ପାନିକୁ କଳା ତାଲିକାଭୁକ୍ତ କରାଯାଇଛି। ୨୦୨୪ ବର୍ଷରେ ହେପାରିନ ସୋଡିୟମ ଇଞ୍ଜେକସନ୍‌ ଯୋଗାଇଥିବା ହାଇଦ୍ରାବାଦସ୍ଥିତ ଆଲଏନ୍‌ସ ବାୟୋଟେକ୍‌କୁ କଳା ତାଲିକାଭୁକ୍ତ ଘୋଷଣା ହୋଇଛି।

Advertisment

ସେହିପରି ରାଜ୍ୟ ଔଷଧ ନିଗମ ଦ୍ବାରା ୨୦୨୨ବର୍ଷରେ ୧୩୧, ୨୦୨୩ରେ ୧୧୦ ଓ ୨୦୨୪ ମସିହାରେ ବର୍ତ୍ତମାନ ସୁଦ୍ଧା ୨କୁ ମିଶାଇ ସମୁଦାୟ ୨୪୩ ପ୍ରକାରର ଯନ୍ତ୍ରାଂଶ କିଣାଯାଇଛି। ଏଥିରେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରରୁ ଯନ୍ତ୍ରାଂଶ କରାଯାଇଛି। ଏହିସବୁ ଔଷଧ ଓ ଚିକିତ୍ସା ଯନ୍ତ୍ରାଂଶର ମାନ ଯାଞ୍ଚ ପାଇଁ ଯୋଗାଣ ଲାଇସେନ୍‌ସ, ଜିଏମ୍‌ପି, ସିଓପିପି, ଅନ୍ତର୍ଜାତୀୟ ମାନକ ସଂଗଠନ(ଆଇଏସ୍‌ଓ) ସାର୍ଟିଫିକେଟ୍‌ ଓ ଗୁଣବତ୍ତା ପରିଚାଳନା ବ୍ୟବସ୍ଥା ରହିଛି। ‌ବିକ୍ରେତାଙ୍କ ଗୁଣାତ୍ମକ ମାନଦଣ୍ଡ ଠିକ୍ ରୂପାନ୍ତର ପରେ ରାଜ୍ୟ ଔଷଧ ନିଗମ ଦ୍ବାରା ଔଷଧ ଓ ଯନ୍ତ୍ରାଂଶ କିଣାଯାଇଛି। ଏହାର ବ୍ୟବହାର ପୂର୍ବରୁ ନାସନାଲ ଆକ୍ରିଡେସନ ବୋର୍ଡ ଫର ଟେଷ୍ଟିଂ ଏଣ୍ଡ କାଲିବ୍ରେସନ ଲାବେରେଟାରି ଓ ଆକ୍ରିଡେଡ୍‌ ଲାବୋରେଟାରିରେ ଔଷଧ ପୁନର୍ବାର ପରୀକ୍ଷା କରାଯାଉଛି।