ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅଧୀନ ସିମନବାଡ଼ି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନଭୋଜନ ଖାଇ ୩୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ପ୍ରଥମେ ୨୭ ଛାତ୍ରଛାତ୍ରୀଙ୍କୁ ବାନ୍ତି ଓ ପେଟକଟା ସହ କେତେକଙ୍କୁ ଜ୍ବର ଆସିଥିଲା। ତୁରନ୍ତ ପ୍ରଧାନଶିକ୍ଷକ ବିଦେଶୀ ନାୟକ ସମସ୍ତଙ୍କୁ ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ୫ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅସୁସ୍ଥଙ୍କ ସଂଖ୍ୟା ବଢ଼ି ସନ୍ଧ୍ୟା ସୁଦ୍ଧା ୩୬ରେ ପହଞ୍ଚିଥିଲା। ଚିକିତ୍ସା ପରେ ୨୮ ଜଣ ସୁସ୍ଥ ହୋଇ ସନ୍ଧ୍ୟାରେ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ଜଣ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି।
ଅସୁସ୍ଥ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସୂଚନା ଅନୁସାରେ, ସାମାନ୍ୟ ଖଟା ଲାଗୁଥିବା ଖାଦ୍ୟ ଖାଇବା ପରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଅଭିଭାବକ ସିମନ ଦିଗାଲ ଓ ସମିତିସଭ୍ୟ ସାଧୁ ନାୟକଙ୍କ ସମେତ ଅନ୍ୟ ଅଭିଭାବକ କହିଛନ୍ତି; ରୋଷେୟା, ଶିକ୍ଷକ ଓ ଶିକ୍ଷୟିତ୍ରୀ ଖାଇବା ପରେ ଛାତ୍ରଛାତ୍ରୀଙ୍କୁ ଖାଦ୍ୟ ପରଷିବା ନିୟମ ରହିଛି। କିନ୍ତୁ ଏହାକୁ ପାଳନ କରାଯାଇ ନାହିଁ। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଭିଭାବକ ଦାବି କରିଛନ୍ତି। କେଉଁ କାରଣରୁ ଖାଦ୍ୟ ବିଷାକ୍ତ ହେଲା ସେ ନେଇ ତଦନ୍ତ ପରେ ଜଣାପଡ଼ିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ନାୟକ କହିଛନ୍ତି। ଏ ସମ୍ପର୍କରେ ବିଇଓ ହାଡ଼ିବନ୍ଧୁ ବେହେରା କହିଛନ୍ତି, ମଧ୍ୟାହ୍ନଭୋଜନ ପ୍ରଦାନ ନିୟମ ପାଳନ ହୋଇଛି କି ନାହିଁ ତାହାର ତଦନ୍ତ କରାଯାଇ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟର ୬୮
ମୁରିବାହାଲ, ୭/୧୨ (ଇମିସ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍ ଡେଙ୍ଗପଦର ପ୍ରାଥମିକ ସ୍କୁଲରେ ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୬୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଡେଙ୍ଗପଦର ପ୍ରାଥମିକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୧୮୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଆଜି ସ୍କୁଲରେ ଘନେସ ରତେଇ, ତୋରଣ ରତେଇ ଓ ଛାୟାବତୀ ମଲ୍ଲିକ ରୋଷେଇ କରିଥିଲେ। ହେଲେ ତରକାରିରେ ଡିଟରଜେଣ୍ଟ କିମ୍ୱା କୌଣସି ବିଷାକ୍ତ ଦ୍ରବ୍ୟ ମିଶିଥିବା ଯୋଗୁଁ ଖାଇବା ପରେ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ। କାହାର ପେଟବ୍ୟଥା ହୋଇଥିଲା ତ ଆଉ କାହାର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ଅଭିଭାବକମାନେ ଜାଣିବା ପରେ ସ୍କୁଲରେ ପହଞ୍ଚି ଅଟୋ ଓ ଆମ୍ବୁଲାନ୍ସ ଯୋଗେ ଅସୁସ୍ଥ ୬୮ ଜଣ ଛାତ୍ରଛାତ୍ରୀଙ୍କୁ ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ସେହିପରି ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଅନ୍ୟ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରିଥିଲେ। ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି ଉପସ୍ଥିତ ରହି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଘଟଣ ଘଟିଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି।