ସରକାରୀବାବୁଙ୍କ ମୁଣ୍ଡରେ ଗଡ଼ୁଛି ୧୦୪କୋଟି, ଅଗ୍ରିମ ନେଇ ଫେରାଉ ନାହାନ୍ତି

ହଡ଼ପ ସନ୍ଦେହ, କାର୍ଯ୍ୟାନୁଷ୍ଠାନ ନାହିଁ, ୨ଜଣଙ୍କ ବି ମୃତ୍ୟୁ ହୋଇସାରିଲାଣି, ଆଉ କେତେ ଅବସର ନେଇ ସାରିଲେଣି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ସରକାରୀବାବୁଙ୍କ ମୁଣ୍ଡରେ ଗଡ଼ୁଛି ୧୦୩ କୋଟି ୯୭ ଲକ୍ଷ ୬୮ ହଜାର ୯୫୦ ଟଙ୍କା ବା ପାଖାପାଖି ୧୦୪କୋଟି । ୨୦୧୪-୧୫ ମସିହାରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ୭ ବର୍ଷ ମଧ୍ୟରେ ଏହି ପରିମାଣର ଟଙ୍କା ଅଗ୍ରିମ ନେଇ ସେମାନେ ଫେରାଉ ନାହାନ୍ତି। ଅଡିଟ୍‌ ରିପୋର୍ଟରୁ ଏହା ଜଣାପଡ଼ିଥିବା ବେଳେ ଫେରସ୍ତ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନି। ସମ୍ପୃକ୍ତ ବାବୁମାନେ ବର୍ଷବର୍ଷ ଧରି ଏହି ଟଙ୍କା ହଡ଼ପ କରିଥିବା କୁହାଯାଉଛି।

କଳାହାଣ୍ଡି ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତାଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ବ୍ଲକ୍‌ କର୍ମଚାରୀଙ୍କ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଅଗ୍ରିମ ନେଇଛନ୍ତି। ବର୍ଷ ବର୍ଷ ଧରି ଏହି ଟଙ୍କା ଫେରାଇବାର ନାଁ ଧରୁ ନଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏହି ଟଙ୍କା ସରକାରୀ ବାବୁଙ୍କ ପକେଟକୁ ଯାଇଥିବାବେଳେ ରାଜ୍ୟ ସରକାର ମଧ୍ୟ ଚୁପ୍‌ ରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଡିଟ୍‌ ରିପୋର୍ଟ ଅନୁସାରେ , ଜିଲ୍ଲାରେ ୨୦୧୪-୧୫ରୁ ୨୦୧୯-୨୦ ମସିହା ପର୍ଯ୍ୟନ୍ତ ୭ ବର୍ଷ ଧରି ୧୦୩ କୋଟି ୯୭ ଲକ୍ଷ ୬୮ ହଜାର ୯୫୦ ଟଙ୍କା ଫେରସ୍ତ ନହୋଇ ସରକାରୀ ବାବୁଙ୍କ ପାଖରେ ପଡ଼ିରହିଛି। ଜିଲ୍ଲାର ଜୟପାଟଣା ବ୍ଲକ୍‌ରେ ୭ କୋଟି ୮୦ ଲକ୍ଷ ୬୪ ହଜାର ୭୬୧ ଟଙ୍କା ୧୨ ପଇସା, ଜୁନାଗଡ଼ ବ୍ଲକ୍‌ରେ ୪୭ ଲକ୍ଷ ୧୫ ହଜାର ୬୬୮ ଟଙ୍କା, କଲମପୁର ବ୍ଲକ୍‌ରେ ୨ କୋଟି ୩୭ ଲକ୍ଷ ୨୪ ହଜାର ୫୧୧ ଟଙ୍କା ୫୯ ପଇସା, କୋକସରା ବ୍ଲକ୍‌ରେ ୩୪ ଲକ୍ଷ ୫୯ ହଜାର ୮୪ ଟଙ୍କା, ଲାଞ୍ଜିଗଡ଼ ବ୍ଲକରେ ୯ କୋଟି ୪୨ ଲକ୍ଷ ୭୯ ହଜାର ୨୨୫ ଟଙ୍କା ୩ ପଇସା, ମଦନପୁର ରାମପୁର ବ୍ଲକରେ ୩ କୋଟି ୪ ଲକ୍ଷ ୮୬ ହଜାର ୪୩୧ ଟଙ୍କା ୪୪ ପଇସା, ନର୍ଲା ବ୍ଲକରେ ୪୫ କୋଟି ୬୭ ଲକ୍ଷ ୪୫ ହଜାର ୮୯୭ ଟଙ୍କା ୬ ପଇସା, ଥୁଆମୂଳ ରାମପୁର ବ୍ଲକରେ ୮ କୋଟି ୩୨ ଲକ୍ଷ ୪୯ ହଜାର ୩୫୭ ଟଙ୍କା ୩୬ ପଇସା, କର୍ଲାମୁଣ୍ଡା ବ୍ଲକ୍‌ରେ ୪ କୋଟି ୯ ଲକ୍ଷ ୨୦ ହଜାର ୮୬୫ ଟଙ୍କା ୯୮ ପଇସା, କେସିଙ୍ଗା ବ୍ଲକ୍‌ରେ ୧ କୋଟି ୪ଲକ୍ଷ ୪୪ ହଜାର ୧୨୨ ଟଙ୍କା, ଧର୍ମଗଡ଼ ବ୍ଲକ୍‌ରେ ୨ କୋଟି ୯ ଲକ୍ଷ ୯୪ ହଜାର ୧୮ ଟଙ୍କା ୭୯ ପଇସା, ଗୋଲାମୁଣ୍ଡା ବ୍ଲକ୍‌ରେ ୧୧ କୋଟି ୩୮ ଲକ୍ଷ ୧୯୫୩ ଟଙ୍କା ୭ ପଇସା, ଭବାନୀପାଟଣା ସଦର ବ୍ଲକ୍‌ରେ ୭ କୋଟି ୮ ଲକ୍ଷ ୮୨ ହଜାର ୫୨ ଟଙ୍କା ୯୧ ପଇସା ବକେୟା ପଡ଼ିଛି। ସମୁଦାୟ ୧୦୩ କୋଟି ୯୭ ଲକ୍ଷ ୬୮ ହଜାର ୯୫୦ ଟଙ୍କା ସରକାରୀବାବୁମାନେ ଗତ ୭ବର୍ଷରେ ଅଗ୍ରିମ ନେଇ ଫେରାଇବାର ନା’ ନେଉନାହାନ୍ତି।

ଅପରପକ୍ଷେ, ସେମାନଙ୍କ ମଧ୍ୟରୁ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ କିଛି କର୍ମଚାରୀ ଅବସର ଗ୍ରହଣ କରିସାରିଛନ୍ତି। ଅଡିଟ୍‌ ରିପୋର୍ଟରେ ପ୍ରତିବର୍ଷ ସରକାରୀ ବାବୁଙ୍କ ଅଗ୍ରିମ ଉଠାଣ ନେଇ ରିପୋର୍ଟ ପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ତୁରନ୍ତ ରାଜ୍ୟ ସରକାର ଏନେଇ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର